ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମାମଲାର ଶୁଣାଣିରୁ ଓହରିଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା। ଏହାକୁ ନେଇ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ସତ୍ୟର ବିଜୟ ହୋଇଛି। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ପୁଣି ଥରେ ବିଜୟୀ ହୋଇଛି। ଗୁରୁବାର (୧୪ ମଇ) ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ଦୁର୍ଗେଶ ପାଠକ, ସଞ୍ଜୟ ସିଂହ, ସୌରଭ ଭରଦ୍ୱାଜ ଏବଂ ଅନ୍ୟ ମାନଙ୍କ ବିରୁଦ୍ଧରେ ଅବକାରୀ ନୀତି ମାମଲା ସମ୍ପର୍କରେ ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ କରିବା ପାଇଁ ଫୌଜଦାରୀ ଅବମାନନା ମାମଲା ଆରମ୍ଭ କରିଥିଲେ।

ଜଷ୍ଟିସ ଶର୍ମା କହିଛନ୍ତି ଯେ, ଆଇନଗତ ପ୍ରତିକାର ନେବା ପରିବର୍ତ୍ତେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲ ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ସୁସଂଗଠିତ ଅଭିଯାନ ଆରମ୍ଭ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଅଭିଯୁକ୍ତଙ୍କ ଦୋଷମୁକ୍ତକୁ ଚ୍ୟାଲେଞ୍ଜ କରି ସିବିଆଇର ଆବେଦନର ଶୁଣାଣି ଆଉ ଏକ ଖଣ୍ଡପୀଠ କରିବ।

ବିଚାରପତି ଅଭିଯୁକ୍ତଙ୍କ ଦ୍ୱାରା ଅନେକ ସୋସିଆଲ ମିଡିଆ ପୋଷ୍ଟ ଉପରେ ଆପତ୍ତି ଉଠାଇଥିଲେ, ଯେଉଁଥିରେ ତାଙ୍କୁ "ରାଜନୈତିକ ଆନୁଗତ୍ୟ" ବୋଲି ଅଭିଯୋଗ କରାଯାଇଥିଲା ଏବଂ ବାରାଣସୀର ଏକ ଶିକ୍ଷାନୁଷ୍ଠାନରେ ସେ ଦେଇଥିବା ଭାଷଣର "ଏଡିଟିଂ" ଭିଡିଓ ପୋଷ୍ଟ କରି ତାଙ୍କୁ ଟାର୍ଗେଟ କରାଯାଇଥିଲା।

ଜଷ୍ଟିସ ଶର୍ମା କହିଛନ୍ତି, "ମୁଁ ମାମଲାରୁ ନିଜକୁ ଓହରି ଯିବାକୁ ମନା କରିବା ପରେ, ଅରବିନ୍ଦ କେଜରିୱାଲ ଆଇନଗତ ପ୍ରତିକାର ନେବା ପରିବର୍ତ୍ତେ ମୋର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରିଥିଲେ। ଅଭିବ୍ୟକ୍ତି ସ୍ୱାଧୀନତାର ଆଳ ଦେଖାଇ କୋର୍ଟର କର୍ତ୍ତୃତ୍ୱକୁ ଦୁର୍ବଳ କରିବାର ଏହି ଜାଣିଶୁଣି ପ୍ରୟାସକୁ ସହ୍ୟ କରାଯାଇପାରିବ ନାହିଁ।"

ଜଷ୍ଟିସ ଶର୍ମା ସ୍ପଷ୍ଟ କରିଥିଲେ ଯେ ସେ ମାମଲାରୁ ନିଜକୁ ଓହରି ଯାଉନାହାଁନ୍ତି, ବରଂ ଅବମାନନା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ମାମଲାକୁ ଅନ୍ୟ ଏକ ଖଣ୍ଡପୀଠକୁ ସ୍ଥାନାନ୍ତର କରୁଛନ୍ତି ।