ନୀଳଗିରି ୧୬/୦୨: ଜ୍ୟୋତିର୍ମୟୀଙ୍କ ସଂଗୀତ ଶୁଣି ମତୁଆଲା ହୋଇଛନ୍ତି ଓଡ଼ିଶାବାସୀ । ଏବେ ଇଣ୍ଡିଆନ ଆଇଡଲ ରିଏଲଟି ସୋ’ରେ ତାଙ୍କ ସୁମଧୁର ଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଏହି ସମୟରେ ଜ୍ୟୋତିର୍ମୟୀଙ୍କ ବିବାହ ଆବୁଧାବିରେ ହେବା ନେଇ ବାପା-ମା’ ରିଏଲିଟି ସୋ’ରେ ସ୍ପଷ୍ଟ କରିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କଣ୍ଠଶିଳ୍ପୀ ତଥା ନୀଳଗିରି ମାଟିର କନ୍ୟା ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ ଆଇଡଲ ପ୍ରତିଯୋଗିତାରେ ଅଂଶଗ୍ରହଣ ଟପ ଟେନ୍ରେ ପହଞ୍ଚି ସାରିଛନ୍ତି ।
ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ଅଧୀନ ବାଉଁଶନାଳ ଗାଁର ଚକ୍ରଧର ନାୟକ, ଗୌରୀ ନାୟକଙ୍କ କନ୍ୟା ଜ୍ୟୋତିର୍ମୟୀ କେବଳ କଣ୍ଠଶିଳ୍ପୀ ନୁହଁନ୍ତି ଡାକ୍ତରଖାନାରେ ସେ ମାଗଣାରେ ମ୍ୟୁଜିକ ଥେରାପି ମାଧ୍ୟମରେ କର୍କଟ ରୋଗୀଙ୍କୁ ଉପଶମ ଦିଅନ୍ତି । ତାଙ୍କ ବିଜୟ ପାଇଁ ଭାଗବତ ଗୋସାଇଁଙ୍କ ପାଖରେ ଅଖଣ୍ଡ ଦୀପ ଜାଳିଛନ୍ତି ଜେଜେବାପା, ଜେଜେମାଆ । ରିଏଲିଟି ସୋ’ରେ ବାପା-ମାଆ ଜ୍ୟୋତିର୍ମୟୀଙ୍କ ବିବାହ ସ୍ଥିର ହୋଇ ସାରିଛି ଘୋଷଣା କରିବା ସହ ଜଜ୍ ତଥା ଅନ୍ୟମାନଙ୍କୁ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି । ଆବୁଧାବିରେ ଏକ କମ୍ପାନୀରେ ବରିଷ୍ଠ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଆଶୁତୋଷ ସାମଲଙ୍କୁ ଜ୍ୟୋତିର୍ମୟୀ ବିବାହ କରିବେ । ଜ୍ୟୋତିର୍ମୟୀ ମଧ୍ୟ ଭାବି ସ୍ୱାମୀଙ୍କ ଗୁଣ ଗାନ କରିବା ବେଶ ଚର୍ଚ୍ଚାର ବିଷୟ ହୋଇଛି ।