ଫୁଲବାଣୀ/ଜି.ଉଦୟଗିରି,୦୧/୧୧: କଳିଙ୍ଗା ଘାଟିରେ ପୁଣି ଗଡ଼ିଲା ଗାଡ଼ି । ଦୀର୍ଘ ଦେଢ଼ ମାସ ପରେ ଏହି ଘାଟି ଉପରେ ଦୁଇଚକିଆ ଓ ଛୋଟ ଭାରିଯାନ ଚଳାଚଳ କରିଛି । ଭୂସ୍ଖଳନ ପରଠାରୁ ଦୀର୍ଘଦିନ ଧରି ଏହି ଘାଟିରେ ଗାଡ଼ିମୋଟର ଚଳାଚଳ ବନ୍ଦ ଥିଲା । ଗାଡ଼ି ଗଡ଼ିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କନ୍ଧମାଳ-ଗଞ୍ଜାମ ସୀମା କଳିଙ୍ଗା ଘାଟିର ମରାମତି କାର୍ଯ୍ୟ ଆପାତତଃ ଶେଷ ହୋଇଛି । ଏନେଇ ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ସାହୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ପ୍ରଶାସନ ପକ୍ଷରୁ ଏହି ରାସ୍ତା ଦେଇ ଗାଡ଼ି ଯାତାୟାତ ପାଇଁ ନିର୍ଦ୍ଦେଶ ଜାରି ହୋଇ ନାହିଁ । ତଥାପି କଳିଙ୍ଗା ଘାଟି ଦେଇ ହାଲ୍କା ଯାନ ଚଳାଚଳ କରୁଥିବା ଦେଖାଯାଉଛି ।
ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୂସ୍ଖଳନ ସ୍ଥାନରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଯାଞ୍ଚ୍ କରିବା ପରେ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରିବେ ବୋଲି ସେ କହିଛନ୍ତି । ଘାଟିରେ ପ୍ରାୟ ସବୁ କାମ ଶେଷ ହୋଇଥିବାବେଳେ ଗାର୍ଡୱାଲ କାମ ହୋଇ ନ ଥିବା ଜଣାପଡ଼ିଛି ।