ନୂଆଦିଲ୍ଲୀ, ୧୧/୦୧: ବଲିଉଡ୍ ଏଣ୍ଟ୍ରି ପାଇଁ ଅଣ୍ଟା ଭିଡ଼ିଛନ୍ତି ‘ଲୋକା’ ଗର୍ଲ କଲ୍ୟାଣୀ ପ୍ରିୟଦର୍ଶନ । ସେ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଝିଅ । ଫିଲ୍ମ ‘ପ୍ରଳୟ’ରେ ରଣବୀର ସିଂହଙ୍କ ଅପୋଜିଟ୍‌ରେ ସେ ବଲିଉଡ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ, ‘ପ୍ରଳୟ’ ବଲିଉଡ୍‌ର ପ୍ରଥମ ବାସ୍ତବ ବିନାଶକାରୀ ଜୋମ୍ବି ଫିଲ୍ମ । ୨୦୧୩ର ସୈଫ୍ ଅଲି ଖାନ୍‌ଙ୍କ ‘ଗୋ ଗୋଆ ଗନ୍’ଠୁ ଏହା ଭିନ୍ନ । ‘ପ୍ରଳୟ’ର କାହାଣୀ ବିନାଶ ପରବର୍ତ୍ତୀ ବିଶୃଙ୍ଖଳିତ ମୁମ୍ବାଇ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ କଲ୍ୟାଣୀ କହିଛନ୍ତି, ହିନ୍ଦୀ ସିନେମାରେ ତାଙ୍କର ଖୁବ୍ ରୁଚି ରହିଛି । ଭଲ କାହାଣୀ ଉପରେ ତାଙ୍କର ପୂରା ଫୋକସ୍ । ସିନେମାରେ ଭାଷା ତାଙ୍କ ପାଇଁ କଦାପି ବାଧକ ନୁହେଁ । ସେ ଆହୁରି କହିଛନ୍ତି, ଭଲ କାହାଣୀ ସର୍ବଦା ତାଙ୍କ ପାଖକୁ ଆସେ । କାହାଣୀ ମାମଲାରେ ସେ ନିଜକୁ ଜଣେ ଲୋଭୀ କଳାକାର ବୋଲି କହିଛନ୍ତି । ବ୍ଲକ୍ବଷ୍ଟର ଫିମେଲ୍ ସୁପର୍‌ହିରୋ ଫିଲ୍ମ ‘ଲୋକା’ର ସଫଳତା ପରେ କଲ୍ୟାଣୀଙ୍କ ପାଖକୁ ଅନେକ ଅଫର୍ ଆସୁଛି । ହିନ୍ଦୀ ସିନେମାରେ ମଧ୍ୟ ଏକାଧିକ ଅଫର୍ ମିଳିଥିବା ସେ କହିଛନ୍ତି ।