ଲକ୍ଷ୍ନୌ,୧୬/୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ପାଇଁ ମିନି ନିଲାମ ଚଳିତ ବର୍ଷ ଡିସେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି। ଦଳଗୁଡ଼ିକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କର ଖେଳାଳିଙ୍କ(କିଏ ରହିବେ କିଏ ଯିବେ) ତାଲିକା ଦାଖଲ କରିବାକୁ ପଡ଼ିବ। ସମସ୍ତ ଦଳ ଆଇପିଏଲ୍ ୨୦୨୬ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିସାରିଛନ୍ତି। ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍ସନ୍ ମଧ୍ୟ ଆଇପିଏଲ୍ ୨୦୨୬ ର ଅଂଶ ହେବେ, କିନ୍ତୁ ତାଙ୍କୁ ଖେଳାଳି ଭାବରେ ନୁହେଁ, ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ। ୩୫ ବର୍ଷୀୟ ୱିଲିୟମ୍ସନ୍ଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି) ର ରଣନୀତିକ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। ଜାହିର ଖାନ ଦଳର ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ, ତେଣୁ କେନ୍ଙ୍କ ଯୋଗଦାନ ଦଳ ପାଇଁ ବହୁତ ଲାଭଦାୟକ ହୋଇପାରେ।
କେନ୍ ୱିଲିୟମ୍ସନ୍ ଆଇପିଏଲ୍ ୨୦୨୬ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ଯୋଗଦେବେ। ଉଲ୍ଲେଖଯୋଗ୍ୟ ଯେ, ୱିଲିୟମ୍ସନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇନାହାଁନ୍ତି। ସେ ନ୍ୟୁଜିଲାଣ୍ଡ କ୍ରିକେଟ୍ (ଏନ୍ଜେଡ୍ସି) ସହିତ ଏକ ଚୁକ୍ତିନାମା ପ୍ରତ୍ୟାଖ୍ୟାନ କରିଥିଲେ ଯାହା ଦ୍ଵାରା ସେ ଫ୍ରାଞ୍ଚାଇଜ୍ କ୍ରିକେଟରେ ସକ୍ରିୟ ରହିପାରିବେ। ଏହି ସମୟରେ, ଇଂଲଣ୍ଡର କାର୍ଲ କ୍ରୋଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ସ୍ପିନ୍ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି, ଯିଏକି ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହିତ ଏହି ଦାୟିତ୍ୱ ତୁଲାଇଥିଲେ।
ଦଳର ହେଡ୍ କୋଚ୍ ଭାବେ କାଏମ ରହିବେ ଲେଙ୍ଗର:
ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଜଷ୍ଟିନ୍ ଲେଙ୍ଗର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ବ ଜାରି ରଖିବେ। କେନ୍ ୱିଲିୟମ୍ସନ୍ଙ୍କୁ ଦଳକୁ ଆଣିବାର ନିଷ୍ପତ୍ତି ଆରପିଏସ୍ଜି ଗ୍ରୁପ୍ର ଅଧ୍ୟକ୍ଷ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମାଲିକ ସଞ୍ଜିବ ଗୋଏଙ୍କା ବ୍ୟକ୍ତିଗତ ଭାବରେ ନେଇଥିଲେ। ଗୋଏଙ୍କା ଲଣ୍ଡନରେ କେନ୍ ୱିଲିୟମ୍ସନ୍ଙ୍କୁ ଭେଟିଥିଲେ।
ସଞ୍ଜିବ ଗୋଏଙ୍କା ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, "କେନଙ୍କ ରଣନୈତିକ ଚିନ୍ତାଧାରା ଏବଂ ନେତୃତ୍ୱ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡର ପ୍ରଭାବଶାଳୀ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ଜଣେ ଚମତ୍କାର ଖେଳାଳି, ଭଲ ମଣିଷ ଏବଂ ଉତ୍ତମ ଅଧିନାୟକ। ତାଙ୍କର ଶାନ୍ତ ଆଚରଣ ଏବଂ ଖେଳାଳିମାନଙ୍କୁ ପ୍ରେରଣା ଦେବାର କ୍ଷମତା ମୋତେ ସର୍ବଦା ପ୍ରଭାବିତ କରିଛି। ଲଣ୍ଡନରେ ଆମର ସାକ୍ଷାତ ପରେ, କେନ, ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲେଙ୍ଗର ଏବଂ ଅଧିନାୟକ ରିଷଭ ପନ୍ତଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା। ଏହା ପରେ, ଆମେ ସମସ୍ତେ ଏହି ନିଷ୍ପତ୍ତି ନେଇଥିଲୁ ଯେ ସେ ଦଳ ପାଇଁ ସର୍ବୋତ୍ତମ ପସନ୍ଦ।"
କେନ୍ ୱିଲିୟମ୍ସନ୍ ତାଙ୍କର କ୍ରିକେଟ୍ ଦକ୍ଷତା ଏବଂ ନେତୃତ୍ୱ ଦକ୍ଷତା ପାଇଁ ଜଣାଶୁଣା। ସେ ୧୦୫ଟି ଟେଷ୍ଟ, ୧୭୩ଟି ଦିନିକିଆ ଏବଂ ୯୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ୱିଲିୟମ୍ସନ୍ ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ପାଇଁ ଖେଳିଛନ୍ତି। କେନ୍ଙ୍କୁ ଏଲ୍ଏସ୍ଜି ଦଳରେ ସାମିଲ କରିବା ପାଇଁ ପ୍ରକ୍ରିୟା ପ୍ରାୟ ତିନି ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ଦଳର ମାଲିକ, ପ୍ରଶିକ୍ଷକ, ଅଧିନାୟକ ଏବଂ ପରିଚାଳନା ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ସଞ୍ଜିବ ଗୋଏଙ୍କା ଆହୁରି କହିଛନ୍ତି, "ମୁଁ କେନ୍ଙ୍କ ସହ ଅନେକ ଥର କଥା ହୋଇଛି। ପ୍ରତ୍ୟେକ ଥର ମୁଁ ତାଙ୍କୁ ଭେଟିବା ସମୟରେ ତାଙ୍କର ମାନବିକତା, ନେତୃତ୍ୱ ଏବଂ ସଚ୍ଚୋଟତା ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେ ଖେଳାଳିମାନଙ୍କୁ ଯେଉଁଭଳି ଭାବରେ ପ୍ରେରଣା ଦିଅନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ। ଆମେ ଏକ ଦୃଢ଼ ରଣନୈତିକ ଥିଙ୍କ ଟ୍ୟାଙ୍କ ଗଠନ କରିବାକୁ ଚାହୁଁଛୁ। ଜଷ୍ଟିନ୍ ଲେଙ୍ଗର (ମୁଖ୍ୟ ପ୍ରଶିକ୍ଷକ), ଭାରତ ଅରୁଣ (ବୋଲିଂ ପ୍ରଶିକ୍ଷକ) ଏବଂ କାର୍ଲ କ୍ରୋ (ସ୍ପିନ୍ ବୋଲିଂ ପ୍ରଶିକ୍ଷକ) ସହିତ କେନଙ୍କ ଉପସ୍ଥିତି ଆମକୁ ଆଗାମୀ ସିଜନ ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଶକ୍ତି ପ୍ରଦାନ କରିବ।"