ନୂଆଦିଲ୍ଲୀ: କାନପୁରର ମିଶ୍ରି ବଜାର ଅଞ୍ଚଳରେ ଏକ ସ୍କୁଟର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି। ବିସ୍ଫୋରଣର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ଫରେନସିକ୍ ଦଳ ଘଟଣାସ୍ଥଳକୁ ପହଞ୍ଚିଛି।

କିଛି ଲୋକଙ୍କ କହିବା ଅନୁସାରେ ଏକ ଘରେ ରଖାଯାଇଥିବା ଏକ ସିଲିଣ୍ଡର ବିସ୍ଫୋରଣ ପରେ ଏହି ଘଟଣା ଘଟିଛି, ଯେତେବେଳେ କି ଆଉ କିଛି କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଏକ ବାଣ ଦୋକାନରେ ନିଆଁ ଲାଗିଥିଲା, ଯାହା ଫଳରେ ଲୋକ ମାନେ ଆହତ ହୋଇଛନ୍ତି। କାନପୁର ପୋଲିସ କମିଶନର ରଘୁବର ଲାଲ ଏବଂ ଯୁଗ୍ମ ପୋଲିସ କମିଶନର ଆଶୁତୋଷ କୁମାର ଘଟଣାସ୍ଥଳକୁ ପହଞ୍ଚିଛନ୍ତି।

ଯୁଗ୍ମ ପୋଲିସ କମିଶନର (ଆଇନ ଶୃଙ୍ଖଳା) ଆଶୁତୋଷ କୁମାର କହିଛନ୍ତି ଯେ ମୂଳଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ମିଶ୍ରି ବଜାର ଅଞ୍ଚଳରେ ପାର୍କିଂ କରାଯାଇଥିବା ଦୁଇଟି ସ୍କୁଟର ଆଜି ବିସ୍ଫୋରଣ ହୋଇଥିଲା। ଏହି ଘଟଣା ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ଘଟିଥିଲା, ଯେଉଁଥିରେ ଜଣେ ମହିଳା ସମେତ ମୋଟ ୮ ଜଣ ଆହତ ହୋଇଛନ୍ତି।

ସେ କହିଛନ୍ତି ଯେ ସମସ୍ତେ ଚିକିତ୍ସା ପାଉଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି। ଆମର ଫରେନସିକ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛି ଏବଂ କାରଣ କଣ ତାହା ତଦନ୍ତ କରୁଛି। ଆମେ ସ୍କୁଟରଟିକୁ ଠାବ କରିଛୁ ଏବଂ ଏହାକୁ ଚଲାଉଥିବା ଲୋକଙ୍କୁ ପଚରାଉଚରା କରିବୁ। ଏହା ଏକ ଦୁର୍ଘଟଣା ନା ଷଡ଼ଯନ୍ତ୍ର ତାହା ପରେ ନିର୍ଣ୍ଣୟ କରାଯିବ।