ନୂଆଦିଲ୍ଲୀ,୨୯/୧୧; କର୍ଣ୍ଣାଟକ କ୍ଷମତା କନ୍ଦଳରେ କଂଗ୍ରେସ ହାଇକମାଣ୍ଡ ହସ୍ତକ୍ଷେପ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ବସି ବିବାଦର ଆପୋସ ସମାଧାନ ଲାଗି ପରାମର୍ଶ ଦେଇଥିଲେ । ସେହିକ୍ରମରେ ଆଜି ଉଭୟଙ୍କ ମଧ୍ୟରେ ବ୍ରେକଫାଷ୍ଟ ବୈଠକ ହୋଇଛି । ଏହାପରେ ଦୁହିଁଙ୍କର ସ୍ୱର ଏକ ହୋଇଛି । ବିବାଦ ତୁଟିଥିବା ପରି ମନେ ହେଉଛି । ଆମ ଭିତରେ କିଛି ମତଭେଦ ନାହିଁ । ହାଇକାଣ୍ଡ ଯାହା ନିଷ୍ପତ୍ତି ନେବେ ତାହାକୁ ଦୁହେଁ ପାଳନ କରିବୁ ବୋଲି ବ୍ରେକଫାଷ୍ଟ ପରେ ପ୍ରେସମିଟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

​​​​​​​କଣ କହିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ? ଉପମୁଖ୍ୟମନ୍ତ୍ରୀ ସହ ବ୍ରେକଫାଷ୍ଟ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରେସ୍‌ମିଟରେ କହିଛନ୍ତି,'' ବ୍ରେକଫାଷ୍ଟ ଭଲ ଥିଲା । ଆମେ ଅନ୍ୟ କିଛି କଥା ହୋଇନାହୁଁ କେବଳ ସକାଳ ଜଳଖିଆ କଲୁ । ଡିକେ ଶିବକୁମାର ଆଜି ଆମ ଘରକୁ ଆସିଥିଲେ ସେ ମାତେ ବି ତାଙ୍କ ଘରକୁ ଡାକିଛନ୍ତି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ଦୁହେଁ ତାହା ପାଳନ କରିବୁ । ଡିକେ ଶିବକୁମାର ଏବଂ ମୋ ମଧ୍ୟରେ କୌଣସି ମତଭେଦ ନାହିଁ । ସେମାନେ (ବିଜେପି ଏବଂ ଜେଡିଏସ୍) କହୁଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଆଗତ ହେବ ନାହିଁ । ଆମେ ଏହାକୁ ସାମ୍ନା କରିବୁ । ଆମର ଏଜେଣ୍ଡା ୨୦୨୮ ନିର୍ବାଚନ । ଲୋକାଲ ବଡିଂ ନିର୍ବାଚନ ଜରୁରୀ । ଆମେ ଏକାଠୀ ହୋଇ ଚାଲିବୁ ଭବିଷ୍ୟରେ ଆମ ଭିତରେ କିଛି ମତଭେଦ ରହିବ ନାହିଁ । କିଛି ଏମଏଲଏ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ତେଣୁ ହାଇକମାଣ୍ଡଙ୍କୁ ଭେଟିଛନ୍ତି । ଏହାର ମାନେ ନୁହେଁ ଯେ ସେମାନେ ଲିଡରସିପ ବିରୋଧରେ । ''

କଣ କହିଲେ ଉପମୁଖ୍ୟମନ୍ତ୍ରୀ ଶିବକୁମାର ? ସିଦ୍ଧରମୈୟାଙ୍କ ପରେ ବ୍ରେକଫାଷ୍ଟ ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ତୁମ ସମର୍ଥନରେ ଆମେ କଂଗ୍ରେସ ସରକାର ଗଢିଛୁ ।  ତୁମ ପ୍ରତିଶ୍ରୁତି ମୁତାବାକ କାମ କରୁଛୁ । ରାଜ୍ୟବାସୀ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି । ଆମକୁ ସେମାନଙ୍କୁ ଇଚ୍ଛା ପୂରଣ କରିବାକୁ ହେବ । ଏ ଦିଗରେ କାମ କରୁଛୁ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ କିଛି ଗୋଷ୍ଠୀ ନାହିଁ । ସିଏମ୍ ଯିଏ ବି  ହେଉ ମୁଁ ସିଏମ୍‌ଙ୍କ ସହିତ ଅଛି । ଆମେ ଏକାଠୀ କାମ କରିବୁ ।''

​​​​​​​କର୍ଣ୍ଣାଟକ କ୍ଷମତା କଳହ କ'ଣ ? ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । କୁହାଯାଉଛି କି କଂଗ୍ରେସର ନେତୃତ୍ୱ ସେତେବେଳେ କୁଆଡେ ପ୍ରତିଶ୍ରୁତି ଦେଇଥିଲେ ଯେ, ସିଦ୍ଦରମୈୟା ୨.୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଶିବକୁମାର ପରବର୍ତ୍ତୀ ୨.୫ ବର୍ଷ ମୁଖ୍ୟମନ୍ତ୍ରୀ ହେବେ । ସିଦ୍ଦରମୈୟାଙ୍କ ୨.୫ ବର୍ଷ ନଭେମ୍ବର ୨୦ରେ ଶେଷ ହୋଇଛି । ତେଣୁ ଶିବକୁମାରଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଲାଗି ଦାବି କରିଛନ୍ତି । କିନ୍ତୁ ଏଭଳି କୌଣସି ପ୍ରତିଶ୍ରୁତିକୁ ସିଦ୍ଦରମୈୟା ଖଣ୍ଡନ କରିଛନ୍ତି ।