ଭୁବନେଶ୍ୱର,୧୭/୧୨: ରାଜଧାନୀରେ ପ୍ରବାହିତ ଅନ୍ୟତମ ପ୍ରାକୃତିକ କେଦାରେଶ୍ୱର ନାଳ ପୋତା ଚାଲିଛି । ସରକାରୀ ଭାଷାରେ ୭ ନମ୍ବର ଡ୍ରେନ୍‌ ଭାବେ ପରିଚିତ ଏହି ନାଳରେ ରାଜଧାନୀର ଏକ ବିଶାଳ ଅଞ୍ଚଳର ସମସ୍ତ ବର୍ଜ୍ୟଜଳ ଓ ବର୍ଷା ଜଳ ନିଷ୍କାସିତ ହୁଏ । ହେଲେ ଏହି ନାଳ ଉପରେ ସିମେଣ୍ଟ-କଂକ୍ରିଟ୍‌ ଢଳେଇ ପକାଇ ଦେଲେଣି । ସେଥିରେ ମାଟିମୋରମ ପକାଇ ପ୍ରାୟ ୨୫ ଫୁଟ ଓସାରର ଏହି ନାଳକୁ ପୋତି ୪ଫୁଟରେ ପହଞ୍ଚାଇ ଦେଲେଣି । କେଦାରେଶ୍ୱର ନାଳ ଗ୍ୟାରେଜ ଛକ ନିକଟ ଦୟାୱେଷ୍ଟ କେନାଲ ଭୂତଳ କଲଭର୍ଟ ଦେଇ ଗଙ୍ଗୁଆ ନଦୀରେ ପଡ଼ିଛି । ଏହି ନାଳରେ ନିକଟସ୍ଥ କେଦାରଗୌରୀ ବିହାର, କୋଟିତୀର୍ଥ, ପୁରୁଣା ଭୁବନେଶ୍ୱର, ଭୀମପୁର, ନୂଆ ଓ ପୁରୁଣା ଫରେଷ୍ଟ ପାର୍କ ଅଞ୍ଚଳ, ବିମାନବନ୍ଦର, ୟୁନିଟ୍‌-୬, ୟୁନିଟ୍‌-୮, ଓୟୁଏଟି, ଡେଲଟା, ନୂଆପଲ୍ଲୀ, ଗଜପତି ନଗର ଅଞ୍ଚଳର ବର୍ଷାଜଳ ଓ ବର୍ଜ୍ୟ ଜଳ ନିଷ୍କାସିତ ହୁଏ ।

 ଡ୍ରେନ୍‌ ପୋତି ଅଣଓସାରିଆ କରିଦେବା ଫଳରେ ପ୍ରାୟ ୪୦ ବର୍ଗ କିମି ଅଞ୍ଚଳର ବର୍ଜ୍ୟଜଳ ଏପଟେ ନିଷ୍କାସିତ ହେବା ସମ୍ଭବ ନୁହେଁ । ଫଳରେ ନର୍ଦ୍ଦମା ପାଣି କେଦାରଗୌରୀ ବିହାର, କୋଟିତୀର୍ଥ ଜନବସତି ଅଞ୍ଚଳକୁ ମାଡ଼ିବ । ଡ୍ରେନ୍‌ ପୂରି ରାସ୍ତାଘାଟ, ଘରଦ୍ୱାରରେ ପଶିବା ଆଶଙ୍କାକୁ ଏଡ଼ାଇ ହେବନାହିଁ । ସେହିଭଳି ଡ୍ରେନ୍‌ ଫୁଲିବା ଦ୍ୱାରା କେଦାରଗୌରୀ ସହିତ ସଂଯୋଗ ହୋଇଥିବା ନାଳରେ ନର୍ଦ୍ଦମା ଉଜାଣି ବହି ପ୍ରଥମେ କେଦାରଗୌରୀ ପୀଠ ପରିସରରେ ଥିବା ସ୍ନାନକୁଣ୍ଡରେ ପଶିବ । ସେଠାରୁ ସଂଯୋଗ ପ୍ରଣାଳୀ ପଟେ ଗୌରୀ କୁଣ୍ଡ, କେଦାର କୁଣ୍ଡରେ ପହଞ୍ଚିବ । ଏମିତି ତ କେଦାରଗୌରୀ ପୀଠ ପରିସରରେ ଥିବା ସମସ୍ତ କୁଣ୍ଡ ପ୍ରଦୂଷିତ । ସେଥିରେ ଏହି ନର୍ଦ୍ଦମା ଜଳ ମିଶିରେ ପରିସ୍ଥିତ କ’ଣ ହେବ ତାହା ଜଳ ଜଳ ଦିଶୁଛି । କେବଳ ସେତିକି ନୁହେଁ ବର୍ଷାଦିନେ ଅବସ୍ଥା ଭୟାବହ ହେବ ।

ଡ୍ରେନ୍‌ ପୁନରୁଦ୍ଧାର ନହେଲେ କେଦାରଗୌରୀ ବିହାରରେ ଥିବା ସମସ୍ତ ଘରେ ପାଣି ଲହଡ଼ି ଖେଳିବ । ନାଳ ପୋତିଦେବେ ବୋଲି ସ୍ଥାନୀୟ ୫୮ ନଂ ୱାର୍ଡ କର୍ପୋରେଟର ପ୍ରାୟ ମାସେ ହେବ ଘନ ଘନ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ । ହେଲେ କିଛି ପଦକ୍ଷେପ ନେଇନଥିଲେ । ଫଳରେ ନାଳ ଗର୍ଭରେ କଂକ୍ରିଟ ବନ୍ଧ ପଡ଼ିଗଲା ବୋଲି ସ୍ଥାନୀୟ କର୍ପୋରେଟର ନମିତା ଦାସ କହିଛନ୍ତି । ଅନ୍ୟପକ୍ଷରେ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନର ଉପ ନିର୍ବାହୀ ଯନ୍ତ୍ରୀ ଦୈତାରୀ ବେହେରା କହିଛନ୍ତି ପୋତା ଖବର ପାଇବା ପରେ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ମିଶି ଘଟଣାସ୍ଥଳ ପରିଦର୍ଶନ କରିଥିଲୁ । ମାପଚୁପ ହେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲୁ । କେତେ ପରିମାଣର ନାଳ ଜମି ପୋତା ହୋଇଛି ତାହା ମାପଚୁପ ପରେ ଜଣାପଡ଼ିବ । ଏଠାରେ ସୂଚନା ଥାଉ କି, ୨୦୧୯ ମାର୍ଚ୍ଚ ମାସରେ କିଛି ବ୍ୟକ୍ତି ଏହି ସ୍ଥାନରେ ୭ ନଂ ଡ୍ରେନ୍‌ ପୋତା ଆରମ୍ଭ କରିଥିଲେ । ଯାହାକୁ ଏକାମ୍ର ଜନଜାଗରଣ ମଞ୍ଚର ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ବିରୋଧ କରିଥିଲେ । ଫଳରେ ପ୍ରଶାସନର ହସ୍ତକ୍ଷେପରେ ଡ୍ରେନ୍‌ ପୋତା ବନ୍ଦ ହୋଇଥିଲା । ଏହାପରେ ଶ୍ରୀ ନାୟକଙ୍କୁ କିଛି ଦୁର୍ବୃତ୍ତ ଛୁରି ଭୁସିଦେଇଥିଲେ । ଏଥିରେ ଶ୍ରୀ ନାୟକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।