କେନ୍ଦୁଝର ସଦର,୧୯/୧୧(ଆପ୍ର) ; କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପଞ୍ଚାୟତ ଜାମୁନାଳିଆ ଠାରେ ଥିବା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟକୁ ଯିବା  ମୁଖ୍ୟ ରାସ୍ତା ଅତ୍ୟନ୍ତ  ଶୋଚନୀୟ ହୋଇ ପଡିଛି।ଫଳରେ କଲେଜ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବର୍ଷା ଦିନରେ ଆଣ୍ଠୁଏ ବହଳରେ ପାଣି କାଦୁଅ, ଶୀତ ଏବଂ ଖରାରେ ଧୂଳିରେ ଅତିଷ୍ଠ ହେଉଛନ୍ତି ପଥଚାରୀ।

ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ରାସ୍ତାଟି ସମ୍ପୂର୍ଣ ଖାଲଖମା ସାଙ୍ଗକୁ ଅନେକ ସ୍ଥାନରେ ମେଣ୍ଟଲ୍ ଗୁଡ଼ିକ ବାହାରି ପଡିଛି ତାହାରି ମଧ୍ୟରେ ସଙ୍କୁଚିତ ଓଭର ବ୍ରିଜ ରହିଥିବାରୁ କଲେଜକୁ ବଡ଼ ଗାଡ଼ି ଯିବା ସମ୍ଭବ ନାହିଁ। ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ଦେହୁରୀଙ୍କୁ ପଚାରିବାରୁ କୁହନ୍ତି କଲେଜ ନିର୍ମାଣ ସମୟରେ କେବଳ କଲେଜ ପାଇଁ ରାସ୍ତା ନିର୍ମାଣ ହୋଇଥିଲା। ଦୀର୍ଘ ବର୍ଷ ବିତିଗଲାଣି ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହୋଇପଡିଛି। ଯଦିଓ ରାସ୍ତାଟି ପଞ୍ଚାୟତ ଅଧୀନରେ ରହିଛି ୧୩ଶହ ମିଟର ରାସ୍ତାକୁ ପିଚୁ କରିବା ପାଇଁ ପଞ୍ଚାୟତ ପକ୍ଷେ ସମ୍ଭବ ନୁହେଁ ତେଣୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ଵାରା ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି ବୋଲି କହିଛନ୍ତି ଶ୍ରୀ ଦେହୁରୀ।