ଅଶାନ୍ତ ଢାକାରେ ଅଦୃଶ୍ୟ ଶୂନ୍ୟତା। ବିଏନପି କାର୍ଯ୍ୟକର୍ତ୍ତାଙ୍କ ବାଷ୍ପରୁଦ୍ଧ କଣ୍ଠ। ସକାଳୁ ଟିଭି ସ୍କ୍ରିନ୍ ରେ କେବଳ ଗୋଟିଏ ନାଁ... ଖାଲିଦା ଜିଆ। ଭାରତରେ ଜନ୍ମିତ, ଜଣେ ଫୌଜିଙ୍କ ସ୍ତ୍ରୀ... ପାକିସ୍ତାନର ବୋହୂ... ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ... ଭାରତର କଟ୍ଟର ବିରୋଧୀ। ଏମିତି ଜଣେ ମହିଳା ଯିଏ କେବେ ଭାବିନଥିଲେ ରାଜନୀତି ତାଙ୍କୁ ପରିଚୟ ଦେବ । ସେ ଥିଲେ ଜଣେ ଲାଜକୁଳୀ ଗୃହିଣୀ। ହେଲେ ବିଧବା ହେଲା ପରେ ପାଲଟିଗଲେ ବାଂଲାଦେଶର ବାଘୁଣୀ। ସ୍ଵାମୀଙ୍କ ବିରହ ତାଙ୍କୁ ଆହୁରି ମଜବୁତ କଲା। ଆଜି ସେହି କଠୋରପନ୍ଥୀ ନାରୀ ନେତ୍ରୀ ଆଉ ନାହାଁନ୍ତି। ଏହାସହ ୨୦୨୫ରେ ବାଂଲାଦେଶୀ ରାଜନୀତିର ଅନ୍ତ ହୋଇଛି ଖାଲିଦା ଅଧ୍ୟାୟ ।

ଭାରତର ପୁତୁଲ ବାଂଲାଦେଶର ଖାଲିଦା

୧୯୪୫ ମସିହାର ଅବିଭାଜ୍ୟ ଭାରତ। ଅଗଷ୍ଟ ମାସ ୧୫ ତାରିଖରେ ବେଙ୍ଗଲ ପ୍ରେସିଡେନ୍ସିର ଜଲପାଈଗୁଡ଼ିରେ ଏକ ସାଧାରଣ ପରିବାରରେ ଖାଲିଦା ମଜୁମଦାରଙ୍କ ଜନ୍ମ। ତାଙ୍କୁ ଗେହ୍ଲାରେ ପରିବାର ଲୋକେ ଡାକୁଥିଲେ ପୁତୁଲ। ରାଜନୈତିକ ଚାକଚକ୍ୟର ଲାଳସା ନଥିଲା ତାଙ୍କର । କ୍ରାନ୍ତିକାରୀ ହେବାର ସ୍ଵପ୍ନ ବି ଦେଖିନଥିଲେ ସେ । ଏହା ମଧ୍ୟରେ ପାକିସ୍ତାନୀ ସେନା କ୍ୟାପ୍ଟେନ ଜିୟାଉର ରେହମାନଙ୍କୁ ବିବାହ କଲେ ଖାଲିଦା। ୧୯୬୫ରେ ସ୍ଵାମୀଙ୍କ ସହ ପାକିସ୍ତାନ ଚାଲିଗଲେ। ନିଜ ନାମ ବଦଳାଇ ଖାଲିଦା ଜିଆ ରଖିଲେ। ୧୯୬୫ ଭାରତ ପାକିସ୍ତାନ ଯୁଦ୍ଧରେ ଜିୟାଉର ନିଯୁକ୍ତ ଥିଲେ। ଏପରିକି ସ୍ୱାଧିନ ବାଂଲାଦେଶରେ ୧୯୭୭ରେ ଜିୟାଉର ହେଲେ ରାଷ୍ଟ୍ରପତି । ଆଉ ଖାଲିଦା ହେଲେ ଫାଷ୍ଟ ଲେଡି। ସବୁକିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ଗୋଟିଏ ଗୁଳିକାଣ୍ଡ ତାଙ୍କ ଜୀବନ ବଦଳାଇଥିଲା।

ମଜବୁତ କଲା ସ୍ଵାମୀଙ୍କ ବିରହ

ଜିୟାଉରଙ୍କ ହତ୍ୟା ପରେ ବିଧବା ହେଲେ ଖାଲିଦା । ସ୍ଵାମୀଙ୍କ ବିରହ ତାଙ୍କୁ ମଜବୁତ କଲା। ଏଇଠୁ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିଅର । ରାଜନୀତି ତାଙ୍କ ପ୍ଲାନିଂରେ ନଥିଲା ବରଂ ତାଙ୍କ ଭାଗ୍ୟରେ ଥିଲା। ୧୯୮୩ରେ ସେ ନେଲେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିଂର କମାଣ । ମହମ୍ମଦ ଇରଶାଦଙ୍କ ଅନ୍ତରୀଣ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ । ଭାଷଣ ଦେଲେ । ଗିରଫ ବି ହେଲେ। ୧୯୯୦ରେ ଇରଶାଦଙ୍କ ଶାସନ ଭାଙ୍ଗିଲା । ଲୋକତନ୍ତ୍ର ଫେରିଲା। ଆଉ ଖାଲିଦା ଜିଆ ହେଲେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ସାମ୍ନାରେ ଥିଲା ଅନେକ ଚ୍ୟାଲେଞ୍ଜ ।

ହସିନା-ଖାଲିଦାଙ୍କ ଆଜୀବନ ଶତ୍ରୁତା

ଏଇଠୁ ଆରମ୍ଭ ହୋଇଥିଲା ଅସଲ ଲଢେଇ। ମୁହାଁମୁହିଁ ହେଲେ ଦୁଇ ମହିଳା ନେତ୍ରୀ। ଆଜୀବନ ଶତ୍ରୁତାରେ ପରିଣତ ହେଲା ଲମ୍ଵା ରାଜନୈତିକ ଲଢେଇ। ଗୋଟିଏ ପଟେ ଖାଲିଦା ଆଉ ଗୋଟେ ପଟେ ହସିନା। ଦୁହିଁଙ୍କ ପିତା ଓ ପତି ଥିଲେ ସ୍ଵାଧୀନତା ସଂଗ୍ରାମୀ। ହେଲେ ଦୁହିଁଙ୍କ ବିଚାରାଧାରା ଥିଲା ଭିନ୍ନ। ଖାଲିଦା ଥିଲେ ଭାରତର କଟ୍ଟର ବିରୋଧୀ। ହସିନାଙ୍କ ସମୟରେ ବଦଳିଥିଲା ଭାରତ ସହ ବାଂଲାଦେଶର ସମ୍ପର୍କ। ୨୦୦୭ରେ ଖାଲିଦାଙ୍କ ବିରୋଧରେ ହେଲା ଭ୍ରଷ୍ଟାଚାର ମାମଲା। ସମର୍ଥକ କହିଲେ ଷଡ଼ଯନ୍ତ୍ର । ବିରୋଧୀ କହିଲେ ଆଇନ ତା କାମ କରୁଛି। ଦୀର୍ଘ ଦିନ ଯାଏ ହସ୍ପିଟାଲ ଓ ଜେଲ୍ ଚକ୍କର କାଟିଲେ ଖାଲିଦା। ପୁଅ ତାରିକ ରେହମାନ ନିର୍ବାସନ ଦଣ୍ଡ ଭୋଗିଲେ। ଆଉ ଜଣେ ପୁଅ ଅରାଫାତ ରେହମାନଙ୍କ ହୃଦଘାତରେ ମୃତ୍ୟୁ ହେଲା।

ହସ୍ପିଟାଲ ବେଡ୍ ରେ ଶେଷ ନିଃଶ୍ଵାସ

ହସ୍ପିଟାଲ, ଆଇସିୟୁ ଏବଂ ହ୍ଵିଲ୍ ଚେୟାର। ଶେଷ ସମୟରେ ରାଜନୀତିରୁ ଦୂରେଇ ରହିଲେ। ହେଲେ ବିଏନପି କର୍ମକର୍ତ୍ତାଙ୍କ ପାଇଁ ତାଙ୍କ ନାଁ ହିଁ ଯଥେଷ୍ଟ। ଦୀର୍ଘଦିନର ଜେଲ୍ ଓ ଅସୁସ୍ଥତା ଯୋଗୁଁ ସେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ଆଉ ଡିସେମ୍ଵର ୩୦ରେ ଖବର ବାଜିଲା ଏବେ ଆଉ ନାହାଁନ୍ତି ଖାଲିଦା ଜିଆ।