ଭୁବନେଶ୍ୱର,୦୨/୦୨: ଯଜ୍ଞ ପାଇଁ  ହୋମକୁଣ୍ଡ ପ୍ରସ୍ତୁତ କରାଯାଉଛି । ସାଧୁମାନେ ମାଟିରେ କୁଣ୍ଡ କରି ତହିଁରେ ଗୋବର ଓ ମାଟି  ଲେପ ଦେଉଛନ୍ତି । ସେମାନଙ୍କ ରହଣି ପାଇଁ  ଅସ୍ଥାୟୀ ଘର ତିଆରି ହେଉଛି । ସେହିପରି ଭିଡ଼  ହଟେଇବାକୁ ରାସ୍ତା ପାଶ୍ୱର୍ରେ ଲୁହାର ବାରିକେଡ୍‌ ଖଞ୍ଜା ଯାଉଛି । ବାହାର ରାଜ୍ୟରୁ ଖେଳଣା, ଫୁଲ  ବେପାରୀ ଓ ଦୋଳି ବେପାରୀମାନେ ମଧ୍ୟ ଆସି  ଖଣ୍ଡଗିରିରେ ପହଞ୍ଚିଲେଣି । ଯାତ୍ରା ପାଇଁ ମଧ୍ୟ  ପେଣ୍ଡାଲ ସଜ୍ଜା ଚାଲିଛି ।  

ତିନି ଦିନ ପରେ ଐତିହାସିକ ଖଣ୍ଡଗିରି  ମେଳା । ସେଥିପାଇଁ ପାହାଡ଼ ପାଦଦେଶଠାରୁ  ନେଇ ଜାଗମରା ରାସ୍ତା, ଖଣ୍ଡଗିରି ବାରି ଓ  ବିଭିନ୍ନ ଯାତ୍ରା ପେଣ୍ଡାଲରେ ପ୍ରସ୍ତୁତି ଶେଷ  ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୪ ତାରିଖରୁ  ହୋମଯଜ୍ଞରେ ଖଣ୍ଡଗିରି ପାହାଡ଼ କମ୍ପିବ ।  ଚଳିତବର୍ଷ ପ୍ରୟାଗରାଜରେ କୁମ୍ଭମେଳା  ଚାଲୁଥିବାରୁ ପ୍ରତିବର୍ଷ ଯେଉଁଭଳି ଦେଶର  କୋଣ ଅନୁକୋଣରୁ ସାଧୁସନ୍ଥ ଆସୁଥିଲେ, ଏଥରକ ସେମାନଙ୍କ ସଂଖ୍ୟା କମିପାରେ । ତଥାପି ପୁରୀ, ଢେଙ୍କାନାଳ ସହ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ରୁ ସାଧୁସନ୍ଥ ଆସିବେ  ବୋଲି ଏଠାରେ ପହଞ୍ଚିଥିବା କେତେକ  ସାଧୁସନ୍ଥ କହିଛନ୍ତି । ମେଳା ଆରମ୍ଭରେ  ପାହାଡ଼ ଉପରେ ଜୈନଙ୍କ ପୀଠ ପାଖରେ  ଯଜ୍ଞ ଓ ଚଣ୍ଡୀ ଯଜ୍ଞ ହେବ । ସେହିପରି ମା’  ବାରଭୁଜାଙ୍କ ପାଖରେ ବୈଦିକ ବ୍ରାହ୍ମଣ ସମାଜ  ପକ୍ଷରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ସହ  ନବଦିନାତ୍ମକ ରାମଚରିତ ମାନସ ପାରାୟଣ,  ଗରିବ ବ୍ରାହ୍ମଣ ପିଲାଙ୍କ ସମୂହ ବ୍ରତ କାର୍ଯ୍ୟକ୍ରମ  ରହିଛି । ପାହାଡ଼ ଚାରିପାଖରେ ସାଧୁସନ୍ଥଙ୍କ  ଦ୍ୱାରା ୧୦୮ କୁଣ୍ଡୀୟ (ଧୂନି ଯଜ୍ଞ) କରାଯିବ  

ଖଣ୍ଡଗିରି ମେଳା ଆସିଲେ ବଞ୍ଜାରାଙ୍କ  ଭିଡ଼ ଜମେ । ସେମାନେ ରାସ୍ତାପାଶ୍ୱର୍ରେ ବସି  ବେପାର କରନ୍ତି । ହେଲେ ଏଥରକ ଏହା  ଉପରେ ଅଙ୍କୁଶ ଲଗାଇବା ପାଇଁ ରାସ୍ତାପାଶ୍ୱର୍ରେ  ବାରିକେଡ୍‌ ତିଆରି କରାଯାଇଛି । ମେଳା  ବେଳେ ଅସ୍ଥାୟୀ ଶୌଚାଳୟ ନଥିବାରୁ  ଲୋକେ ରାସ୍ତା ଉପରେ ପରିସ୍ରା କରନ୍ତି ।  ବିଶେଷକରି ଓଭରବ୍ରିଜ୍‌ ତଳ ଦୁର୍ଗନ୍ଧରେ  ଫାଟିପଡ଼େ । ତେଣୁ ଏଥରକ ଅସ୍ଥାୟୀ  ଶୌଚାଳୟ କରିବାକୁ ସ୍ଥାନୀୟ ବ୍ୟବସାୟୀମାନେ  ଦାବି କରିଛନ୍ତି ।

ସୂଚନାଯୋଗ୍ୟଯେ, ଗତ  ଜାନୁଆରୀ ୧୦ରୁ ବିଶ୍ୱ ସନାତନ ବୈଦିକ ଧର୍ମ  ପରିଷଦ ପକ୍ଷରୁ ପାହାଡ଼ ପାଦଦେଶରେ ପୂର୍ଣ୍ଣ  କୁମ୍ଭମେଳା ଆରମ୍ଭ ହୋଇସାରିଛ।