ସୁନ୍ଦରଗଡ଼,୨୧/୧୧: କଟା ଚାଲିଛି ପାଚିଲା ଧାନ । ଜୋର୍ ଧରିଲାଣି ଅମଳ । କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ଏ ଯାଏ ଧାନ କିଣା ତାରିଖ ସ୍ଥିର ହେଲା ନା ବସିଲା ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ । ଲ୍ୟାମ୍ପସ୍ ଠିକଣାକୁ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ନାମ ପଞ୍ଜିକରଣ କରିଛନ୍ତି ପ୍ରାୟ ୬୨ ହଜାର ଚାଷୀ । ହେଲେ ଅଦ୍ୟାବଧି ଟୋକନ ମିଳି ନ ଥିବାରୁ ଧାନ କିପରି ବିକ୍ରି କରିବେ ସେ ନେଇ ଆଶଙ୍କାରେ ପଡ଼ିଛନ୍ତି ସେମାନେ ।
ସୁନ୍ଦରଗଡ଼ ଜିଲ୍ଲା ଅବନକେଲା ଲ୍ୟାମ୍ପସ ଅଧୀନ ଅବନକେଲା ଗ୍ରାମର ମନଧର ନାଏକ । ଖରିଫ୍ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିସାରିଛନ୍ତି । ନୂଆ ଲ୍ୟାମ୍ପସରେ ଧାନ କିଣିବା ସୁବିଧା ନାହିଁ । ତେଣୁ ପୂର୍ବରୁ ଧାନ ବିକିଥିବା ମଙ୍ଗସପୁର ଲ୍ୟାମ୍ପସରେ ନାଁ ପଞ୍ଜିକରଣ କରିଛନ୍ତି । କିନ୍ତୁ ଅଦ୍ୟାବଧି ତାଙ୍କୁ ଟୋକନ ମିଳିନି । କେବଳ ମନଧର ନୁହନ୍ତି, ଜିଲ୍ଲାର ଏଭଳି ହଜାର ହଜାର ଚାଷୀ ଧାନ ଅମଳ କରି ଟୋକନକୁ ଅପେକ୍ଷା କରିଛନ୍ତି ।
ଗତ ଖରିଫ୍ ଋତୁରେ ଜିଲ୍ଲାରେ ୪୭ଟି ସମବାୟ ସଂସ୍ଥା ଓ ୭ଟି ଏସଏଚଜି ମାଧ୍ୟମରେ ଧାନ କିଣାଯାଇଥିଲା । ୫୪,୪୪୧ ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଚଳିତ ବର୍ଷ ୬୧,୯୭୭ ଚାଷୀ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ ଯାଞ୍ଚ ସରି ନ ଥିବାରୁ କେତେଜଣ ଚାଷୀଙ୍କଠାରୁ ଧାନ କେତେଧାନ କିଣାଯିବ ତାହା ସ୍ପଷ୍ଟ ହୋଇପାରୁନି । ସେହିପରି ଟାର୍ଗେଟ ମିଳି ନ ଥିବାରୁ ଜିଲ୍ଲାରୁ କେତେ ଧାନ ସରକାର କିଣିବେ, ତାହା ମଧ୍ୟ ଜଣାପଡୁନାହିଁ । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଧାନ ଏମ୍ଏସ୍ପି କ୍ୱିଣ୍ଟାଲ୍ ପିଛା ୬୯ ଟଙ୍କା ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ବୋନସ୍କୁ ମିଶାଇ ଏହା ୩୧୬୯ ଟଙ୍କା ହୋଇଛି । ଅନୁକୂଳ ପାଗ ପାଇଁ ଜିଲ୍ଲାରେ ଚଳିତ ବର୍ଷ ଭଲ ଅମଳ ହୋଇଛି । ସରକାରୀ ଧାର୍ଯ୍ୟ ଦରରେ ଧାନ ବିକି ଲାଭବାନ ହେବାକୁ ଆଶା ବାନ୍ଧିଛନ୍ତି ଚାଷୀ । ହେଲେ ଧାନ କିଣିବା ବ୍ୟବସ୍ଥାକୁ ଦେଖିଲେ³ ଚାଷୀ ହିନସ୍ତା ହେବା ଜଳଜଳ ହୋଇ ଦିଶିଲାଣି । ଧାନ ସଂଗ୍ରହ ସୁବ୍ୟବସ୍ଥିତ କରିବା ପାଇଁ ମଣ୍ଡିରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି । ମଧ୍ୟସ୍ଥତାକୁ ପ୍ରଶ୍ରୟ ନ ଦେବା, ଧାନ ପରିବହନରେ ନିୟୋଜିତ ଯାନରେ ଜିପିଏସ୍, ମଣ୍ଡିରେ ସିସି ଟିଭି, ସେଡ୍, ପାନୀୟ ଜଳ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସୁନ୍ଦରଗଡ଼ରେ ମଣ୍ଡି ଭିତ୍ତିଭୂମି ଅସଜଡ଼ା ହୋଇପଡ଼ିଛି । ଚଳିତବର୍ଷ ଖରିଫ୍ ଧାନ ସଂଗ୍ରହରେ ଚାଷୀ ମିଲର୍ସଙ୍କ ଯନ୍ତାରେ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ । ତେଣୁ ଖରିଫ ଧାନ କ୍ରୟ ସୁବ୍ୟବସ୍ଥିତ କରିବା ଲାଗି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।