ଉମରକୋଟ,୯।୭ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅମାନୁଷିକ ଘଟଣା। ଜଣେ ୧୨ ବର୍ଷର ନାବାଳକ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ମାମଲାରେ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ଡାବୁଗାଁ ଥାନା ଅଞ୍ଚଳର ଏହି ୪ ବର୍ଷର ଶିଶୁ କନ୍ୟାଟି ନିଜ ଘର ପାଖରେ ଖେଳୁଥିଲା। ସେହି ସମୟରେ ଗ୍ରାମର ଜଣେ ୧୨ ବର୍ଷର ସମ୍ପର୍କୀୟ ନାବାଳକ ତାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଝିଅଟି ନିଖୋଜ ହେବା ପରେ ବାପା ତାକୁ ଖୋଜାଖୋଜି କରି ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ନାବାଳିକାର ବାପା ବୁଧବାର ରାତିରେ ଡାବୁଗାଁ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଥାନା ଅଧିକାରୀ ଲଛମି ପରଜା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ପୁଲିସ ଅଭିଯୁକ୍ତ ନାବାଳକକୁ କାବୁ କରି ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି। ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଉମରକୋଟ sdpo ଶୁଭେନ୍ଦୁ କୁମାର ଶବର କହିଛନ୍ତି ।
ଆହୁରି ପଢନ୍ତୁ : ପଞ୍ଚାୟତ ନିର୍ବାଚନ ପାଇଁ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ, ଘରକୁ ଘର ବୁଲି ସର୍ଭେ ଉପରେ ହେବ ସମୀକ୍ଷା