ନୂଆଦିଲ୍ଲୀ,୦୩/୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ମଜବୁତ୍ ସ୍ଥିତିରେ ରହିଛି ଭାରତ । ଓପନର କ୍ଲାସି କେଏଲ ରାହୁଲ ଦ୍ବିତୀୟ ଦିନରେ ଶତକ ହାସଲ କରିଛନ୍ତି । ୯ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ସେଞ୍ଚୁରୀ ହାସଲ କରିଛନ୍ତି ଲୋକେଶ ରାହୁଲ । ଏହା ତାଙ୍କର ୧୧ତମ ଟେଷ୍ଟ ଶତକ । ୧୯୨ ବଲ୍ରେ ଅପରାଜିତ ଶତକ ମାରିଛନ୍ତି । ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୧୮ ରନ୍ କରିଛି । ୫୬ରନ୍ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ । ଶୁବମନ୍ ଗିଲ୍ ୧୦୦ ବଲ୍ରେ ୫୦ ରନ୍ କରିଛନ୍ତି ।
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ ହରାଇ ୧୨୧ ରନ୍ କରିଥିଲା । ଆଜି ଦ୍ବିତୀୟ ଦିନରେ ୧୨୧ରନ୍ରୁ ଖେଳ ଆରମ୍ଭ କରି ବ୍ୟାଟିଂ ସୃଦୁଢ କରିଛି । ପ୍ରଥମ ଇନିଂସରେ ଲିଡ୍ ସହିତ ବଡ ସ୍କୋର କରି ଫଲୋଅନ୍ ଦେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ୧୨୧ ରନ୍ରୁ ଆଜି ଖେଳ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ୫୩ ରନ୍ କରି ନଟଆଉଟ ଥିଲା କେଏଲ ରାହୁଲ ଓ ଶୁବମନ ଗିଲ କ୍ରିଜରେ ସେଟ୍ ହୋଇଯାଇଥିଲେ । ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦୁହିଁଙ୍କ ଭିତରେ ୫୦ରନ୍ର ଭାଗୀଦାରି ହୋଇଛି । ୫୦ ଓଭର ଖେଳ ଚାଲିଥିବାବେଳେ କ୍ୟାପ୍ଟେନ୍ ଶୁବମନ ଗିଲ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ତାଙ୍କର ଅଷ୍ଟମ ଟେଷ୍ଟ ଅର୍ଦ୍ଧଶତକ । ଟେଷ୍ଟ ମ୍ୟାଚରେ ୩୦୦ଟି ଚୌକା ମାରିବାର ରେକର୍ଡ କରିଛନ୍ତି ଗିଲ୍ । ଦଳୀୟ ସ୍କୋର ୧୮୮ରେ ଜଷ୍ଟିନ ଗ୍ରେଭସଙ୍କ ବଲରେ ଆଉଟ୍ ହୋଇଥିଲେ ଶୁବମନ । ଲଞ୍ଚ ବ୍ରେକୁ ସୁଦ୍ଧା ଭାରତର ସ୍କୋର ୨୧୮ ହୋଇଛି । କ୍ରିଜରେ କେଏଲ ରାହୁଲଙ୍କ ସମେତ ଧ୍ରୁବ ଜୁରେଲ ରହିଛନ୍ତି । ଧ୍ରୁବ ୩୮ ବଲରେ ୧୪ ରନ୍ କରିଛନ୍ତି ।
ରାହୁଲଙ୍କ ରେକର୍ଡ- ଓପନର ହିସାବରେ ସର୍ବାଧିକ ଶତକ ହାସଲ କରିଥିବା ଟପ୍ ୫ ଭାରତୀୟଙ୍କ ତାଲିକାରେ ରହିଛନ୍ତି ରାହୁଲ । ରୋହିଲ ଓ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିଛନ୍ତି ଶତକବୀର କେଏଲ ରାହୁଲ । ଟେଷ୍ଟ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି । ଇନିଂସ ଓପନିଂରେ ତାଙ୍କର ଏହା ୧୦ମ ସେଞ୍ଚୁରୀ । ଏହା ସହିତ ସେ ଓପନର ଭାବରେ ସର୍ବାଧିକ ଶତକ ହାସଲ କରି ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି । ରୋହିତ ଓ ଗମ୍ଭୀର ତାଙ୍କ ଟେଷ୍ଟ କ୍ୟାରିୟରରେ ଇନିଂସ ଓପନିଂ କରି ୯-୯ ଶତକ ହାସଲ କରିଛନ୍ତି । ଏବେ ଏହି ଲିଷ୍ଟରେ ରାହୁଲ ତାଙ୍କୁ ଟପିଛନ୍ତି ।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନ୍ କରିପାରିଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜଷ୍ଟିନ୍ ଗ୍ରୀଭ୍ସ ସର୍ବାଧିକ ୩୨ ରନ୍ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ ।