ଭୁବନେଶ୍ୱର,୨୧/୦୯: ନିମାପଡ଼ା ଓ  ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂଆ ରେଳଲାଇନ୍‌ ଯିବ । ଏଥିପାଇଁ ଫାଇନାଲ୍‌ ଲୋକେସନ୍‌ (ଚୂଡ଼ାନ୍ତ ସ୍ଥାନ) ସର୍ଭେ କରିବାକୁ  ରେଳ ମନ୍ତ୍ରଣାଳୟର ଅନୁମୋଦନ ମିଳିଛି ।  ଅନୁମୋଦନ ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ାଙ୍କୁ ଚିଠି ଲେଖି ସୂଚନା  ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ  କୋଣାର୍କ ନୂଆ ରେଳଲାଇନ୍‌ ନେବା ବାବଦରେ  ପ୍ରଭାତୀ ଗତ ଜୁଲାଇ ୨୮ରେ ରେଳମନ୍ତ୍ରୀ  ଅଶ୍ୱିନୀଙ୍କୁ ଚିଠି ଲେଖିଥିଲେ । ଚିଠି ପାଇବା  ପରେ ଆବଶ୍ୟକ ପଦକ୍ଷେପ ନେବା ସହ ଏବେ  ଭୁବନେଶ୍ୱର-କୋଣାର୍କ ନୂଆ ରେଳଲାଇନ୍‌  ନିମାପଡ଼ା ଓ ଗୋପ ଦେଇ ଯିବ ବୋଲି  ସୂଚନା ଦେଇଛନ୍ତି । ଏଥିପାଇଁ ସେ ରେଳମନ୍ତ୍ରୀ  ଅଶ୍ୱିନୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୋସିଆଲ୍‌  ମିଡିଆରେ ସେ ଉଲ୍ଲେଖ କରିଛନ୍ତି ଯେ,  ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ କେବଳ  ରାଜଧାନୀଓ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ  ମଧ୍ୟରେ ରେଳ ସଂଯୋଗ ସ୍ଥାପନ କରିବ  ନାହିଁ, ବରଂ ଏହା ମୋ ନିର୍ବାଚନମଣ୍ଡଳୀ  ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ପାଇଁ  ମଧ୍ୟ ଆଶୀର୍ବାଦ ସାବ୍ୟସ୍ତ ହେବ ।

ଏହି ନୂଆ ରେଳଲାଇନ୍‌ ସ୍ଥାନୀୟ  ଅର୍ଥନୀତି ଏବଂ କୃଷି କ୍ଷେତ୍ର ପାଇଁ ସହାୟକ  ହେବା ସହ ଅଞ୍ଚଳବାସୀ ସ୍ୱାସ୍ଥ୍ୟ ଓ ଶିକ୍ଷା  ସେବା ସୁବିଧାରେ ପାଇପାରିବେ । ବିଶେଷ  କରି ସ୍ଥାନୀୟ ଗମନାଗମନ ଏବଂ ପର୍ଯ୍ୟଟନ  ପାଇଁ ଏହି ପ୍ରକଳ୍ପ ବେଶ ଲାଭଜନକ ସାବ୍ୟସ୍ତ  ହେବ । ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ପାଇଁ ଶ୍ରୀ ବୈଷ୍ଣବ ଜୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି  ପ୍ରଭାତୀ ଉଲ୍ଲେଖ କରିଛନ୍ତି ।  

ଉଲ୍ଲେଖଯୋଗ୍ୟ, କୋଣାର୍କ-ଭୁବନେଶ୍ୱର  ରେଳପଥକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ  ମଞ୍ଜୁରି ମିଳବା ଦ୍ୱାରା ନିମାପଡ଼ା ଓ ଗୋପ  ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ  ମଧ୍ୟ ସୁଗମ ହୋଇପାରିବ ।