ନୀଳଗିରି,୧୪/୦୧: ମକର ସଂକ୍ରାନ୍ତି ପାଇଁ ଶିକାରୀଙ୍କ ଟାର୍ଗେଟ୍‌ରେ କୁଲଡିହା ଅଭୟାରଣ୍ୟ । ଅଖଣ୍ଡ ଶିକାର ରୋକିବା ପାଇଁ ବନ ବିଭାଗର ୧୦ରୁ ଅଧିକ ଟିମ୍ ରାତିଦିନ ଏକ କରିଥିବା ବେଳେ କୁଲଡିହା ଅଭୟାରଣ୍ୟ ସୀମାନ୍ତରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ, ନୀଳଗିରି ଉପଖଣ୍ଡସ୍ଥ ୨୭୨.୭୫ ବର୍ଗ କିମି ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଲଡିହା ଅଭୟାରଣ୍ୟରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ଦେଶୀ ବିଦେଶୀ ପକ୍ଷୀ ରହିଛନ୍ତି । ମକର ସଂକ୍ରାନ୍ତି ଅବସରରେ ଅଭୟାରଣ୍ୟ ସୀମାନ୍ତ ଗାଁରେ ଥିବା ଶିକାରୀମାନେ ଅଖଣ୍ଡ ଶିକାର କରିବାକୁ ଧନୁତୀର, ଅସ୍ତ୍ରଶସ୍ତ୍ର ଧରି ଅବାଧ ପ୍ରବେଶ କରିଥାନ୍ତି । ହରିଣ, ସମ୍ବର, ଝିଙ୍କ, ଠେକୁଆ, ବାର୍ହା ଓ ଅନ୍ୟ ଜୀବଜନ୍ତୁଙ୍କୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥାନ୍ତି । ଏହାପରେ ମୃତ ମାଂସକୁ ଆଣି ରୋଷେଇ କରି ଏକତ୍ରିତ ହୋଇ ଗାଁରେ ଭୋଜି କରି ଖାଇଥାନ୍ତି । ଆଉ କେହି ମାଂସ ଭାଗ କରି ନେଇ ଯାଇଥାନ୍ତି । ବିଶ୍ୱାସ ରହିଛି ଏହି ମାଂସ ଖାଇଲେ କୌଣସି ରୋଗବ୍ୟାଧି ତାଙ୍କୁ ହେବ ନାହିଁ । କେସିପୁର, ପୀଠହତା, ତେଲିପାଳ, ଗରଡିହି, ସଜନାଗଡ଼, ବାଉଁଶବଣିଆ, ଶ୍ୟାମସୁନ୍ଦରପୁର, କାଣ୍ଡଗରଡିହି ଆଦି ପଞ୍ଚାୟତ ସମେତ ଔପଦା ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ମାଙ୍କଡ଼ପଡା, ଶିକାରୀ ରହୁଥିବା ଗାଁରେ ଶିକାରୀମାନେ ଅଖଣ୍ଡ ଶିକାର କରିବା ପାଇଁ ଶିକାରୀମାନେ ମକର ପୂର୍ବରୁ ସଜବାଜ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ବନବିଭାଗ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଥାନ୍ତି । ଏବେ ଏଆଇ କ୍ୟାମେରା ଅଭୟାରଣ୍ୟରେ ଲାଗିଥିବା ବେଳେ ଶିକାରୀମାନଙ୍କ ଗତିବିଧି ମଧ୍ୟ ସହଜରେ ଜାଣି ହେଉଛି ।

୨୦୨୫ ମସିହାରେ କୁଲଡିହା ବନବିଭାଗ ୧୦୦ରୁ ଅଧିକ ରେକର୍ଡ ସଂଖ୍ୟକ ଶିକାରୀ ଗିରଫ କରିବା ସହ ୩୩ଟି ବନ୍ଧୁକ ଜବତ କରିଥିଲା । ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏସିଏଫ, ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାର୍ଡ, ସବୁଜବାହିନୀ ଜଙ୍ଗଲରେ ଚାଲି ଚାଲି ପାଟ୍ରୋଲିଂ କରି ବନ୍ୟଜନ୍ତୁ ଓ ଶିକାରୀମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ କରିଥିଲେ । ଶିକାରୀମାନେ ଏବେ ଏଆଇ କ୍ୟାମେରା ଏବଂ କଡ଼ା ପାଟ୍ରୋଲିଂ ପାଇଁ ଭୟଭୀତ ହୋଇଥିବା ଜଣାପଡିଛି । ମକର ପାଇଁ ଅଖଣ୍ଡ ଶିକାର ପାଇଁ ପୂର୍ବରୁ ଗାଁରେ ବନ ବିଭାଗ ସଚେତନ କାର୍ଯ୍ୟକ୍ରମ କରିଥିବା ବେଳେ ଗତ ସୋମବାରଠାରୁ ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ କୁଲଡିହା ଅଭୟାରଣ୍ୟ ସୀମାନ୍ତରେ ୧୦ରୁ ଅଧିକ ଟିମ୍ ଏସିଏଫ ତଥା କୁଲଡିହା ରେଞ୍ଜର ଦାୟିତ୍ୱରେ ଥିବା ସୁବ୍ରତ ବେହେରାଙ୍କ ତତ୍ତ୍ୱାବଧାନରେ କଡ଼ା ପାଟ୍ରୋଲିଂ କରିଛନ୍ତି । ବରମପୁର ପୁଲିସ ମଧ୍ୟ ସହଯୋଗ କରିଥିବା ଜଣାପଡ଼ିଛି । ତେବେ ଅଖଣ୍ଡ ଶିକାର ଠାରୁ ଦୂରେଇ ରହି ପ୍ରକୃତି ପ୍ରେମୀ ହେବାକୁ ଡିଏଫଓ ଶ୍ରୀ ମଲ୍ଲିକ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ।