ଭୁବନେଶ୍ୱର,୦୬/୧୦: ଆଜି କୁମାର ପୂର୍ଣ୍ଣିମା ଏବଂ ଏକ ମାସ  ଧରି ଚାଲିଥିବା ଜହ୍ନି  ଓଷାର ଶେଷ ଦିନ ।  କୁମାରୀ କନ୍ୟାମାନେ ସୂର୍ଯ୍ୟ  ଉଦୟ ପୂର୍ବରୁ ସ୍ନାନ କରି  ନୂଆ ପୋଷାକ ପରିଧାନ  କରିଥିଲେ । ଏହା ପରେ ମା’  ବୃନ୍ଦାବତୀଙ୍କ ନିକଟରେ ଗୁଆ, ଲିଆ, କଷି ଜହ୍ନି ଦେଇ ଆଞ୍ଜୁଳି ଟେକିଲେ ।  

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି ।

ସୋମବାର ସନ୍ଧ୍ୟାରେ ଚାନ୍ଦ ପୂଜା ହେବ । ସେଥିଲାଗି ବିଭିନ୍ନ ଫଳମୂଳ ଓ ଆଞ୍ଜୁଳି ଟେକା  ଲିଆରେ ଚାନ୍ଦ ତିଆରି ହେବ । ଚନ୍ଦ୍ର ଉଦୟ ହେବା ବେଳକୁ କୁମାରୀମାନେ  ଚାନ୍ଦ ପୂଜା କରିବେ ଏବଂ ଭୋଗ ଚାନ୍ଦକୁ ଦେଇ ବ୍ରତ ଶେଷ କରିବେ । ଏବେ  ଚାହିଦାକୁ ଦେଖି ବଜାରରେ ଆଖୁ ଗୋଟେ ଖଣ୍ଡ ୧୦ରୁ ୨୦ଟଙ୍କା, ନଡ଼ିଆ  ଗୋଟାକୁ ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଛି । ଗାଁମାନଙ୍କରେ କୁମାର ପୂର୍ଣ୍ଣିମାରେ  ରାତି ଉଜାଗର ରହି କୁମାରୀମାନେ ବିଭିନ୍ନ ଖେଳକୌତୁକରେ ମଜ୍ଜି ରହନ୍ତି ।

କୁମାର ପୂର୍ଣ୍ଣିମା ଉପଲକ୍ଷେ ରବିବାର ସନ୍ଧ୍ୟାରେ  ରାଜଧାନୀର ବିଭିନ୍ନ ମାର୍କେଟ୍‌ରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା ।  ମାର୍କେଟ୍‌ ବିଲ୍ଡିଂ, ଏକନମ୍ବର ହାଟ ସାଙ୍ଗକୁ ଜନପଥରେ ଥିବା ବିଭିନ୍ନ ପୋଷାକ  ଓ ପ୍ରସାଧନ ସାମଗ୍ରୀ ଦୋକାନରେ ଆଜି ଦିନ ତମାମ ଝିଅମାନଙ୍କ ଭିଡ଼  ଲାଗିଥିଲା । ରବିବାର  ଛୁଟି ଦିନ ହୋଇଥିବାରୁ  ଅପରାହ୍ନ ୪ଟା ପରେ ଏକ  ନମ୍ବର ହାଟରେ ଚାଲିବା ବି  ଅସମ୍ଭବ ହୋଇପଡ଼ିଥିଲା ।