ମୁମ୍ବାଇ, ୨୧।୫: ବଲିଉ ଜଣାଶୁଣା ଅଭିନେତ୍ରୀ କୁନିକା ସଦାନନ୍ଦ ସାଧାରଣତଃ ନିଜର ବେବାକ୍ ଏବଂ ନିର୍ଭୀକ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା । ଗତ କିଛି ଦିନ ହେବ ସେ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ମୁଦ୍ଦା ଉପରେ ସୋସିଆଲ ମିଡିଆରେ ନିଜର ମତ ସ୍ପଷ୍ଟ ଭାବେ ରଖୁଥିବା ଦେଖିବାକୁ ମିଳୁଛି । ଏହି କାରଣରୁ ୬୨ ବର୍ଷୀୟା ଏହି ଅଭିନେତ୍ରୀଙ୍କୁ କ୍ରମାଗତ ଭାବେ ଟାର୍ଗେଟ୍ କରାଯାଉଛି ଏବଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳୁଛି । କିନ୍ତୁ ବର୍ତ୍ତମାନ କୁନିକାଙ୍କ ସହ ଏମିତି କିଛି ଘଟିଛି, ଯାହା ସେମାନଙ୍କୁ ଗଭୀର ମର୍ମାହତ କରିବା ସହ ଅତ୍ୟନ୍ତ କ୍ରୋଧିତ ମଧ୍ୟ କରିଛି । କୁନିକା ଅତି ଦୁଃଖର ସହ କହିଛନ୍ତି ଯେ, "ଭାରତରେ ଜଣେ ମହିଳା ହେବା ବର୍ତ୍ତମାନ ଏକ ପାପ ହୋଇଯାଇଛି, ଯେଉଁଠି ମହିଳାମାନଙ୍କୁ ପ୍ରତିଦିନ ଅପମାନିତ କରାଯାଉଛି, ମାଡ଼ ମରାଯାଉଛି ଏବଂ ସେମାନଙ୍କ ସହ ଦୁଷ୍କର୍ମ କରାଯାଉଛି ।"

ଗୋଟିଏ ଟ୍ୱିଟ୍‌ରୁ ଆରମ୍ଭ ହେଲା ବିବାଦ:

ଘଟଣାର ସୂତ୍ରପାତ ହୋଇଥିଲା ଜଣେ ସୋସିଆଲ ମିଡିଆ ୟୁଜର୍ସଙ୍କ ଏକ ଟ୍ୱିଟ୍‌ରୁ । ସେହି ବ୍ୟକ୍ତିଜଣକ କୁନିକା ସଦାନନ୍ଦଙ୍କର ଏକ ପୁରୁଣା ଚଳଚ୍ଚିତ୍ରର ଭିଡିଓ କ୍ଲିପ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ସେୟାର କରିଥିଲେ । ଏହି ଭିଡିଓରେ ସ୍ୱର୍ଗତ ଅଭିନେତା ଅମରୀଶ ପୁରୀ ଏବଂ କୁନିକା ଏକ ସୁଇମିଂ ପୁଲ୍ରେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି କ୍ଲିପ୍‌କୁ ପୋଷ୍ଟ କରି ସେହି ୟୁଜର ଜଣକ କୁନିକାଙ୍କୁ କଟାକ୍ଷ କରି ଲେଖିଥିଲେ "ଏ ହେଉଛନ୍ତି ସେହି ମହିଳା, ଯିଏ ପ୍ରତିଦିନ ଆଦର୍ଶର ପତାକା ଧରି ବୁଲନ୍ତି ଏବଂ ପ୍ରତିଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଳିଗୁଲଜ କରନ୍ତି ।"

'ଏହା କେବଳ ଅଭିନୟ' ବୋଲି ବୁଝାଇଲେ କୁନିକା, କିନ୍ତୁ ମିଳିଲା ଅଶ୍ଳୀଳ ଗାଳି:

ୟୁଜରଙ୍କ ଏହି ପୋଷ୍ଟ ଉପରେ କୁନିକା ସଦାନନ୍ଦ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଜବାବ ଦେଇଥିଲେ । ସେ ଲେଖିଥିଲେ, "ଏହା କେବଳ ଏକ ଚରିତ୍ର ମୂର୍ଖ, ଏହାକୁ ଅଭିନୟ କୁହାଯାଏ ।" କିନ୍ତୁ କୁନିକାଙ୍କ ଏହି ଜବାବ ପରେ ସୋସିଆଲ ମିଡିଆରେ ଟ୍ରୋଲର୍ସମାନେ ସୀମା ପାର୍ କରିଦେଇଥିଲେ । ଅନ୍ୟ ୟୁଜର୍ସମାନେ ଏହି ବିବାଦକୁ କୁଦିପଡ଼ି ଅଭିନେତ୍ରୀଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଏବଂ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । କେହି କେହି ତାଙ୍କୁ 'ମାଲ୍' ବୋଲି କହିଥିଲେ ତ ଆଉ କେହି ସୀମା ଲଙ୍ଘି କୁତ୍ସିତ ଶବ୍ଦ ବ୍ୟବହାର କରିଥିଲେ । ତେବେ ଜଣେ ମହିଳା ୟୁଜର ଏହି ସବୁ ଆପତ୍ତିଜନକ କମେଣ୍ଟର ସ୍କ୍ରିନଶଟ୍ ସେୟାର କରି କୁନିକାଙ୍କ ସପକ୍ଷରେ ବାହାରିଥିଲେ ଏବଂ ଟ୍ରୋଲ୍ କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରିଥିଲେ ।

ଟ୍ରୋଲର୍ସଙ୍କ ଅତି ନିମ୍ନ ସ୍ତରର ମନ୍ତବ୍ୟ:

ଅଭିନେତ୍ରୀଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ଟ୍ରୋଲର୍ସମାନେ ଅଟକି ନଥିଲେ । ଜଣେ ୟୁଜର କୁନିକାଙ୍କ ରୋମାଣ୍ଟିକ୍ ସିନ୍‌କୁ ନେଇ ଲେଖିଥିଲେ, "ଏହାକୁ ଅଭିନୟ କୁହାଯାଏ ନାହିଁ, ଏହାକୁ କାମନା କୁହାଯାଏ । ଯଦି ତୁମେ ପଇସା ପାଇଁ ଏମିତି କାମୁକ ଅଭିନୟ କରିପାରୁଛ, ତେବେ ଏହା ସମ୍ପୂର୍ଣ୍ଣ ସମ୍ଭବ ଯେ ତୁମେ ଟଙ୍କା ପାଇଁ ବାସ୍ତବ ଜୀବନରେ ଆଉ କେତେ ଅଳିଆ ସୃଷ୍ଟି କରିପାରିବ !"

ରାଗରେ ଗର୍ଜିଲେ କୁନିକା: 'ନ୍ୟୁ ଇଣ୍ଡିଆରେ ସବୁକିଛି ଚଳେ'

ଏଭଳି ମାନସିକତା ଏବଂ କ୍ରମାଗତ ଆକ୍ରମଣରେ ଅତିଷ୍ଠ ହୋଇ କୁନିକା ଏକ ଦୁଃଖଦ ତଥା ଶାଣିତ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି: "ଏହି ଦେଶରେ ମହିଳା ହେବା ଏକ ବଡ଼ ପାପ । ମହିଳାମାନଙ୍କୁ ମାରିଦିଅ, ଜଳାଇ ଦିଅ, ହତ୍ୟା କର, ଦୁଷ୍କର୍ମ କର, ସେମାନଙ୍କୁ ଗାଳି ଦିଅ, ମିଥ୍ୟା ଅପବାଦ ଲଗାଅ, ଭ୍ରୂଣ ହତ୍ୟା କର, ସେମାନଙ୍କୁ ଅପମାନିତ କର ଏବଂ ସେମାନଙ୍କର ଅଧିକାର ଓ ସୁଯୋଗ ଛଡ଼ାଇ ନିଅ... ଆମର ଏହି 'ନ୍ୟୁ ଇଣ୍ଡିଆ' ରେ ଏସବୁ କିଛି ବୈଧ ।"

ବିବାଦର ପ୍ରକୃତ କାରଣ: ପିଏମ ମୋଦୀଙ୍କ ସହ କରିଥିଲେ ତୁଳନା

ସୂଚନାଯୋଗ୍ୟ ଯେ, ଏହି ସମସ୍ତ ବିବାଦର ମୂଳ କାରଣ ହେଉଛି କିଛି ଦିନ ପୂର୍ବରୁ କୁନିକାଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍ । ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସମ୍ପର୍କକୁ ନେଇ ଚାଲିଥିବା ବିବାଦ ଉପରେ କୁନିକା ପ୍ରତିକ୍ରିୟା ଦେଇଥିଲେ । ବିଜୟଙ୍କ ରାଜନୈତିକ ଦଳର ଶପଥ ଗ୍ରହଣ ସମାରୋହର ଏକ ଭିଡିଓ ସେୟାର କରି ଜଣେ ବ୍ୟକ୍ତି ଲେଖିଥିଲେ ଯେ, "ଜଣେ ବ୍ୟକ୍ତି ଯିଏ ଜଣେ ଅଭିନେତ୍ରୀଙ୍କ ପାଇଁ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଛାଡ଼ିଦେଲେ, ସେ ଏବେ ଆମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ବ୍ୟଭିଚାରକୁ ସାଧାରଣ କରୁଛନ୍ତି ।" ଏହି ପୋଷ୍ଟର ଜବାବ ଦେଇ କୁନିକା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦାହରଣ ଟାଣି ଆଣିଥିଲେ । ସେ ଲେଖିଥିଲେ "ଜଣେ ବ୍ୟକ୍ତି ଯିଏ ନିଜ ସ୍ତ୍ରୀକୁ କୌଣସି ଆର୍ଥିକ କିମ୍ବା ଆବେଗିକ ସୁରକ୍ଷା ନଦେଇ ଛାଡ଼ିଦେଲେ, ସେ ଆମ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି । ନାରୀ ବନ୍ଦନ !"

ମିଳୁଛି ଦୁଷ୍କର୍ମ ଓ ଜୀବନରୁ ମାରିଦେବାର ଧମକ:

ପ୍ରଧାନମନ୍ତ୍ରୀଙ୍କୁ ନେଇ କରାଯାଇଥିବା ଏହି ମନ୍ତବ୍ୟ ପରେ କୁନିକା ମୋଦୀ ସମର୍ଥକ ଏବଂ ଟ୍ରୋଲର୍ସଙ୍କ ଟାର୍ଗେଟ୍‌କୁ ଚାଲିଆସିଥିଲେ । କୁନିକା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ଏହି ପୋଷ୍ଟ ପରଠାରୁ ତାଙ୍କୁ କ୍ରମାଗତ ଭାବେ ଦୁଷ୍କର୍ମ ଏବଂ ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ମେସେଜ୍ ଆସୁଛି । ତେବେ ଏତେ ସବୁ ସତ୍ତ୍ୱେ ମଧ୍ୟ କୁନିକା ନିଜ ଜିଦ୍ରେ ଅଟଳ ଅଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ଯେଉଁ ନୀତି ଏବଂ ନିଷ୍ପତ୍ତି ସହ ସେ ଅସହମତ, ସେଥିପାଇଁ ସେ ସ୍ୱର ଉତ୍ତୋଳନ କରିବା ଜାରି ରଖିବେ । କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଚଳଚ୍ଚିତ୍ରର କ୍ଲିପ୍‌କୁ ବ୍ୟବହାର କରି ଯେଉଁଭଳି ଭାବେ ତାଙ୍କ ଚରିତ୍ର ସଂହାର କରାଯାଉଛି, ସେଥିରେ ସେ ଅତ୍ୟନ୍ତ ମର୍ମାହତ ।

ଆହୁରି ପଢ଼ନ୍ତୁ... Suvendu Adhikari: ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ !