ନୂଆଦିଲ୍ଲୀ : ଆଜି (ରବିବାର) ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ବାର୍ଷିକୀ, ଯିଏ ଦିନେ "ଜୟ ଜବାନ ଜୟ କିଷାନ" ନାରା ଦେଇ ଦେଶର ଆନ୍ଦୋଳନକୁ ଶକ୍ତି ଯୋଗାଇଥିଲେ। ୧୯୬୬ ମସିହା ଜାନୁଆରୀ ୧୧ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦିନ ରାତିରେ ଋଷର ତାସକେଣ୍ଟରେ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ତାଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଜାନୁଆରୀ ୧୧ ତାରିଖର ଏହି ରାତିକୁ ଭାରତୀୟ ଇତିହାସର ସବୁଠାରୁ ରହସ୍ୟମୟ ରାତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
କାହିଁକି ତାସକେଣ୍ଟ ଗସ୍ତ କରିଥିଲେ ଲାଲ ବାହାଦୁର ଶାସ୍ତ୍ରୀ ?
ସୂଚନାଥାଉକି, ୧୯୬୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା। ପରେ ଯଦିଓ ଯୁଦ୍ଧବିରତି ହୋଇଥିଲା, କିନ୍ତୁ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଭାରତ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହାଜି ପୀର ସୀମା ସମେତ ପାକିସ୍ତାନର ଅନେକ ପ୍ରମୁଖ ଅଞ୍ଚଳ କବଜା କରିଥିଲା। ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ "ଜୟ ଜବାନ, ଜୟ କିଷାନ" ସ୍ଲୋଗାନ ଦେଇ ସଙ୍କଟ ସମୟରେ ସମଗ୍ର ଦେଶକୁ ଏକାଠି କରିଥିଲେ। ସେ ଜଣେ ଶାନ୍ତିପ୍ରିୟ ନେତା ଥିଲେ ଏବଂ ଚାହୁଁଥିଲେ ଯେ ଉଭୟ ଦେଶ ଯୁଦ୍ଧରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ ।
କିଏ କରିଥିଲା ମଧ୍ୟସ୍ଥତା ?
ଏହି ବୁଝାମଣାରେ ସୋଭିଏତ୍ ସଂଘ ହସ୍ତକ୍ଷେପ କରିଥିଲା ଏବଂ ଭାରତ ଆଉ ପାକିସ୍ତାନକୁ ସେମାନଙ୍କର ବିବାଦର ସମାଧାନ ପାଇଁ ତାସକେଣ୍ଟକୁ ନିମନ୍ତ୍ରଣ କରିଥିଲା। ଭାରତରୁ ଶାସ୍ତ୍ରୀ ସମାଧାନ ପାଇଁ ଆଲୋଚନା କରିବାକୁ ତାସକେଣ୍ଟରେ ପହଞ୍ଚିଥିଲେ। ଆଉ ସେଠାରେ ହୋଇଥିଲା ଚୁକ୍ତିନାମା । ଉଭୟ ଦେଶ ଅନେକ ପଏଣ୍ଟରେ ସହମତ ହୋଇଥିଲେ । ଏଥିମଧ୍ୟରୁ ଗୋଟିଏ ଥିଲା ଯେ ସେମାନଙ୍କର ସେନା ୫ ଅଗଷ୍ଟ ୧୯୬୫ ପୂର୍ବର ସ୍ଥିତିକୁ ଫେରିଯିବ । ପ୍ରଧାନମନ୍ତ୍ରୀ ଭାବରେ, ଲାଲ ବାହାଦୁର ଶାସ୍ତ୍ରୀଙ୍କ ସବୁଠାରୁ କଷ୍ଟକର ନିଷ୍ପତ୍ତି ଥିଲା ହାଜି ପୀର ଘାଟିକୁ ପାକିସ୍ତାନକୁ ଫେରାଇବା, କାରଣ ଭାରତୀୟ ସେନା ସାହସର ସହିତ ଏହାକୁ ଜିତିଥିଲା। ଏହି ଘାଟି ଭାରତ ପାଇଁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଥିଲା । ତଥାପି, ଅନ୍ତର୍ଜାତୀୟ ଚାପ ଏବଂ ଦୀର୍ଘକାଳୀନ ଶାନ୍ତି ଯୋଗୁଁ, ସେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।
ସାରା ଦିନ ବ୍ୟସ୍ତ ଥିଲେ ଶାସ୍ତ୍ରୀ...
ମଧ୍ୟରାତ୍ରିରେ ତାଙ୍କ ମୃତ୍ୟୁ ପୂର୍ବରୁ, ଶାସ୍ତ୍ରୀଙ୍କର ଏକ ବହୁତ ବ୍ୟସ୍ତ କାର୍ଯ୍ୟସୂଚୀ ଥିଲା। ଡିସେମ୍ବର ୧୦ ତାରିଖ ସକାଳ ୧୧ଟାରେ, ଶାସ୍ତ୍ରୀ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରେ ଶେଷ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିଲା। ସୋଭିଏତ୍ ପ୍ରଧାନମନ୍ତ୍ରୀ ଆଲେକ୍ସି କୋସିଗିନ୍ ଆଲୋଚନାରେ ମଧ୍ୟସ୍ଥତା କରୁଥିଲେ। ଅପରାହ୍ନ ୪ଟାରେ, ତାସକେଣ୍ଟରେ ଐତିହାସିକ ତାସକେଣ୍ଟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଶାସ୍ତ୍ରୀ ଏହି ଶାନ୍ତି ଚୁକ୍ତିନାମାକୁ ଭାରତ-ପାକିସ୍ତାନ ସମ୍ପର୍କରେ ଏକ ନୂତନ ଆରମ୍ଭ ଭାବରେ ବର୍ଣ୍ଣନା କରିଥିଲେ।
ରାତ୍ରୀ ଭୋଜନରେ ବି ବହୁତ ଖୁସି ଥିଲେ ଶାସ୍ତ୍ରୀ…
ସନ୍ଧ୍ୟା ୬ଟାରୁ ରାତି ୮ଟା ମଧ୍ୟରେ ସୋଭିଏତ୍ ୟୁନିଅନ୍ ଦ୍ୱାରା ଏକ ଭବ୍ୟ ଭୋଜି ଆୟୋଜନ କରାଯାଇଥିଲା। ଶାସ୍ତ୍ରୀ ଏହି ଭୋଜିରେ ବି ବହୁତ ଖୁସି ଦେଖାଯାଉଥିଲେ। ଶାସ୍ତ୍ରୀଙ୍କୁ ଏକ ଭିଲାରେ ରଖାଯାଇଥିଲା, ଯେତେବେଳେ କି ତାଙ୍କର ଅନ୍ୟ କର୍ମଚାରୀ ମାନେ ନିକଟସ୍ଥ ଏକ ହୋଟେଲରେ ରହିଥିଲେ। ଭୋଜି ପରେ ସେ ରାତି ପ୍ରାୟ ସାଢେ ୮ଟାରେ ଭିଲାରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କର ପ୍ରେସ୍ ସଚିବ କୁଲଦୀପ ନାୟାର ଏବଂ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଥିଲେ।
ରାତି ୯ଟାରେ, ସେ ହାଲୁକା ଭୋଜନ କରିଥିଲେ। ତାଙ୍କର ଖାଦ୍ୟ ତାଙ୍କ ବ୍ୟକ୍ତିଗତ ରୋଷେୟା ରାମ ନାଥ ପ୍ରସ୍ତୁତ କରିଥିଲେ । ରାତି ୧୦ ଟାରେ, ଶାସ୍ତ୍ରୀ ଦିଲ୍ଲୀକୁ ଫୋନ୍ କରି ତାଙ୍କ ଝିଅ କୁସୁମଙ୍କ ସହ କଥା ହୋଇଥିଲେ। ସେ ଭାରତରେ ଚୁକ୍ତିନାମା ପ୍ରତି ପ୍ରତିକ୍ରିୟା ବିଷୟରେ ପଚାରିଥିଲେ। ଝିଅ କୁସୁମ କହିଥିଲେଯେ, ଦେଶର କିଛି ଲୋକ ଅସନ୍ତୁଷ୍ଟ ଥିଲେ କାରଣ ଭାରତ ଦ୍ବାରା କବଜା କରାଯାଇଥିବା ଭୂମି (ହାଜି ପୀର ଘାଟି) ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲା। ଶାସ୍ତ୍ରୀ ତାଙ୍କ ପତ୍ନୀ ଲଳିତା ଶାସ୍ତ୍ରୀଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସହ ଯୋଗାଯୋଗ କରିପାରି ନଥିଲେ।
ଚୁକ୍ତିନାମାକୁ ଚାପରେ ଥିଲେ କି ଶାସ୍ତ୍ରୀ ?
ରାତି ୧୧ ଟାରେ, ଶାସ୍ତ୍ରୀ କୋଠରୀକୁ ବୁଲାଇ ତାଙ୍କ ସଚିବ ମାନଙ୍କୁ କହିଥିଲେ ଯେ ଚୁକ୍ତିନାମା ସମ୍ପର୍କରେ "ଆସନ୍ତାକାଲି ଭାରତରେ ଅନେକ ଉତ୍ତର ଦିଆଯିବ"। ରାତି ୧୨:୩୦ ରେ ଶାସ୍ତ୍ରୀ ତାଙ୍କ କର୍ମଚାରୀଙ୍କୁ ପାଣି ମାଗି ସେମାନଙ୍କୁ ଶୋଇବାକୁ ପଠାଇଲେ। ରାତି ୧:୨୦ ରେ ହଠାତ୍ ଶାସ୍ତ୍ରୀ ତାଙ୍କ କୋଠରୀର ଦ୍ୱାର ପାଖରେ ଦେଖାଦେଲେ ଏବଂ କାଶି କାଶି ତାଙ୍କ କର୍ମଚାରୀଙ୍କ ରୁମ୍ ଆଡକୁ ଗଲେ। ସେ କେବଳ ଗୋଟିଏ ଶବ୍ଦ କହିଲେ , "ଡକ୍ଟର ସାହେବ କେଉଁଠି ?" ରାତି ୧:୨୫ ରେ ଡକ୍ଟର ଆର.ଏନ୍. ଚୁଗ୍ ତାଙ୍କ କୋଠରୀରେ ପହଞ୍ଚିଲେ । ସେତେବେଳକୁ ଶାସ୍ତ୍ରୀ ବିଛଣାରେ ଶୋଇ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ।
କୁଲଦୀପ ନାୟର୍ ତାଙ୍କ ପୁସ୍ତକରେ କ'ଣ ବର୍ଣ୍ଣନା କରିଛନ୍ତି ?
ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର୍ ଲାଲ ବାହାଦୁର ଶାସ୍ତ୍ରୀଙ୍କ ତାସକେଣ୍ଟ ଗସ୍ତରେ ତାଙ୍କ ପ୍ରେସ୍ ସଚିବ ଭାବରେ ତାଙ୍କ ସହିତ ଯାଇଥିଲେ। ସେ ତାଙ୍କ ଆତ୍ମଜୀବନୀ "BEYOND THE LINES" ଏବଂ ଅନ୍ୟାନ୍ୟ ଅନେକ ଲେଖାରେ ସେହି ରାତିର ବର୍ଣ୍ଣନା କରିଛନ୍ତି। ନାୟର୍ଙ୍କ ଅନୁଯାୟୀ, ଶାସ୍ତ୍ରୀ ସେହି ରାତିରେ ଅତ୍ୟନ୍ତ ଚାପଗ୍ରସ୍ତ ଥିଲେ କାରଣ ସେ ଖବର ପାଇଥିଲେ ଯେ ଦେଶ ଭିତରେ ତାସକେଣ୍ଟ ଚୁକ୍ତିନାମାକୁ ସମାଲୋଚନା କରାଯାଉଛି। ସୋଭିଏତ୍ ୟୁନିଅନ୍ ଏବଂ ଭାରତ ସରକାରଙ୍କ ସରକାରୀ ଦସ୍ତାବିଜ୍ ଅନୁସାରେ, ଶାସ୍ତ୍ରୀଜୀଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା।