ତୁମୁଡିବନ୍ଧ: ଘରୁ ଡାକିଲେ, ଗୁଲି କଲେ । ଜମି ବିବାଦରୁ ହତ୍ୟାକାଣ୍ଡ । କଳାହାଣ୍ଡି ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରୁ ଆସିଛି ଏଭଳି ଛାତିଥରା ଖବର । ମୃତକ ଜଣକ ହେଲେ ବେଲଘର ଥାନା ଗୁମା ପଞ୍ଚାୟତ ସାପେରି ଗାଁର କାମଦେବ ମାଝି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାରରେ ଖେଳି ଯାଇଛି ଶୋକର ଛାୟା ।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ କାମଦେବ ନିଜ ଘରେ ଶୋଇଥିବା ବେଳେ ତାଙ୍କର ଦୁଇ ସମ୍ପର୍କୀୟ ମଧୁସୂଦନ ମାଝୀ ଓ ଲିଟୁ ମାଝୀ ତାଙ୍କୁ ଡାକି ନେଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ପରେ କାଡ଼ାପାନ୍ନା ଗ୍ରାମ ନିକଟରେ କାମଦେବଙ୍କ ମୃତ ଦେହ ଦେଖି ଅଞ୍ଚଳବାସୀ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଓ ସମ୍ପର୍କୀୟ ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଦେଖିବା ପରେ ବେଲଘର ପୁଲିସକୁ ଜଣାଇଥିଲେ ।

ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି । ମୃତକଙ୍କ ଶରୀରର ଗୁଳି ଚିହ୍ନ ରହିଥିବା ଜଣାପଡିଛି । ପରିବାର ଲୋକ ଥାନାରେ ଏତଲା ଦେଇ ମଧୁସୂଦନ ଓ ଲିଟୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଉଭୟ ବର୍ତମାନ ଫେରାର ଅଛନ୍ତି l ସେପଟେ ଶବ ନେବା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ନ ପହଁଚିବାରୁ ଘରଲୋକେ ପ୍ରାୟ ୮ କିଲୋମିଟର ଶବକୁ ବୋହି ବେଲଘର ନେଇଥିବା ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଲଘର ଥାନା ଅଧିକାରୀ କହିଛନ୍ତି।