ବେରୁଟ୍‌,୧୧/୦୧: ଲେବାନନରେ ଦୀର୍ଘ  ରାଜନୈତିକ ଅସ୍ଥିରତା ଭିତରେ ସେନା କମାଣ୍ଡର  ଜୋସେଫ୍‌ ଔନ ନୂଆ ରାଷ୍ଟ୍ରପତି ହୋଇଛନ୍ତି । ଗୁରୁବାର  ସଂସଦରେ ୨ ରାଉଣ୍ଡ ଭୋଟିଂ ପରେ ୬୦ ବର୍ଷୀୟ ଔନ୍‌ଙ୍କୁ  ଏହି ଦାୟିତ୍ୱ ମିଳିଛି । ୨ ବର୍ଷ ହେଲା ଏହି ପଦ ଖାଲି  ଥିବାବେଳେ ରାଷ୍ଟ୍ରପତି ବାଛିବା ଲାଗି ଅଦ୍ୟାବଧି ୧୨ ଥର  ଉଦ୍ୟମ ହୋଇଛି ।

ପ୍ରଥମ ରାଉଣ୍ଡରେ ଜୋସେଫ୍‌ଙ୍କୁ  ୧୨୮ରୁ ୭୧ ଭୋଟ ମିଳିଥିଲା, ଯାହା କି ବହୁମତ  ୮୬ଠାରୁ କମ୍‌ ଥିଲା । ଦ୍ୱିତୀୟ ରାଉଣ୍ଡରେ ତାଙ୍କୁ ୬୫  ଭୋଟ ଆବଶ୍ୟକ ଥିଲା । ଏଥିରେ ତାଙ୍କୁ ୯୯ ଭୋଟ ମିଳିବା  ଯୋଗୁ ସେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ସାଧାରଣତଃ ଲେବାନନରେ ଆର୍ମି କମାଣ୍ଡର କିମ୍ବା ସରକାରୀ କର୍ମଚାରୀ  ଇସ୍ତଫା ଦେବାର ୨ ବର୍ଷ ଭିତରେ ରାଷ୍ଟ୍ରପତି ହୋଇପାରି  ନ ଥାନ୍ତି । କିନ୍ତୁ ଔନଙ୍କ କ୍ଷେତ୍ରରେ ଏହା ହୋଇନାହିଁ ।  ଇସ୍ରାଏଲ ଏବଂ ଲେବାନନର ଆତଙ୍କୀ ଗୋଷ୍ଠୀ ହିଜ୍‌ବୁଲ୍ଲା  ମଧ୍ୟରେ ନିକଟରେ ଯୁଦ୍ଧବିରତି ହୋଇଥିବାବେଳେ ଏବେ  ଲେବାନନରେ ରାଷ୍ଟ୍ରପତି ନିର୍ବାଚନ ହୋଇଛି । ହିଜ୍‌ବୁଲ୍ଲାକୁ  ନିୟନ୍ତ୍ରଣ କରିବା ଔନ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ହିଜ୍‌ବୁଲ୍ଲା ସେଠାକାର ଖ୍ରୀଷ୍ଟିୟାନ  ସମୁଦାୟର ଏକ ପାର୍ଟିର ମୁଖ୍ୟ ସୁଲେମାନ୍‌ ଫ୍ରାଙ୍ଗିହ୍‌ଙ୍କୁ  ସମର୍ଥନ ଦେବାକୁ ଘୋଷଣା କରିଥିଲା । ସୁଲେମାନ  ପୂର୍ବତନ ରାଷ୍ଟ୍ରପତି ଅସଦଙ୍କ ଘନିଷ୍ଠ ଭାବେ ଜଣା ।  କିନ୍ତୁ ସୁଲେମାନ ବୁଧବାର ରାଷ୍ଟ୍ରପତି ଦୌଡ଼ରୁ ନିଜ ନାଁ ପ୍ରତ୍ୟାହାର କରିଥିଲେ ।