ଭୁବନେଶ୍ୱର,୧୨/୦୨: ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ କାର୍ଯ୍ୟକାରିତା ନେଇ ଚିଠି ଲେଖିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭାଗୀୟ ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ ସମସ୍ତ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ, ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ଅଧିକାରୀ, ରାଜସ୍ୱ ଆୟୁକ୍ତ ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଛନ୍ତି । ଯୋଜନା ଅନୁଯାୟୀ ନିଆଯାଇଥିବା ପଦକ୍ଷେପ ସଂକଳ୍ପ ପତ୍ର ମଧ୍ୟ ପଠାଇଛନ୍ତି ।
ଏହି ଯୋଜନା ଅନୁଯାୟୀ, ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକଶିତ କରାଯିବ । ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବିକାଶ କରାଯିବ । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ତଥା ସ୍ମାରକୀ ସ୍ଥାପନ କରାଯିବ । ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରି କେନ୍ଦ୍ର ସ୍ଥାପନ ହେବ । ବରପୁତ୍ରମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରିବାକୁ ନିଷ୍ପତ୍ତି ହୋଇଛି । ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ନିମନ୍ତେ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଛି । ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ନିମନ୍ତେ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ତେଣୁ ୨୫ ବରପୁତ୍ରଙ୍କ ପାଇଁ ସର୍ବାଧିକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ସରକାର ଯଥାର୍ଥ ଅନୁଭବ କଲେ ପରେ ଅନ୍ୟ ବରପୁତ୍ରମାନଙ୍କୁ ଚୟନ କରି ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ନିମନ୍ତେ ଅର୍ଥରାଶି ପ୍ରଦାନ କରିବେ । ଏହା ପ୍ରତିବର୍ଷ ରାଜ୍ୟ ବଜେଟ୍ରେ ସ୍ଥାନିତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଚିଠି ଆକାରରେ ପ୍ରେରିତ ଏହି ସଂକଳ୍ପଟି ଏକ ଅସାଧାରଣ ରାଜପତ୍ରରେ ପ୍ରକାଶ କରିବାକୁ ଆଦେଶ ଦିଆଯାଇଛି । ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତ୍ୟିକ, ଶିକ୍ଷାବିତ୍, ସମାଜ ସୁଧାରକ ଏବଂ ମହାନ୍ ବ୍ୟକ୍ତିତ୍ୱଙ୍କ ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ପରପିଢ଼ି ପାଇଁ ସାଇତିବା ଆବଶ୍ୟକ । ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କର ରଖିବାର ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ମନେ କରି ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ କାର୍ଯ୍ୟକାରିତା ନିଷ୍ପତ୍ତି ହୋଇଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲାବେଳେ ୨୦୨୫ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ମଞ୍ଜୁରି ମିଳିଥିଲା ।
ରାଜ୍ୟରେ ପ୍ରାୟ ୧୪ କୋଟି ଟଙ୍କାରେ ନୂଆ ନିର୍ମାଣ ସାଙ୍ଗକୁ ୭୫ ଜଣ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂଜ୍ୟପୂଜାକୁ ଗୁରୁତ୍ୱ ଦେଇଥିଲା ବେଳେ ତାଙ୍କ ଆଦେଶ କ୍ରମେ ଓଡ଼ିଶାର ବିଭିନ୍ନ ସ୍ଥାନର ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପଦକ୍ଷେପ ନେଇଛି । ସମସ୍ତ କାର୍ଯ୍ୟ ଏ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଥିଲା ବେଳେ ସେଥିରୁ କେବଳ ଭୁବନେଶ୍ୱରରେ ୧୩ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରହିଥିବା ସୂଚନା ମିଳିଛି ।