ନୂଆଦିଲ୍ଲୀ ୨୦/୦୭: ୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସରମାନେ ପୃଥିବୀରେ ବିଚରଣ କରୁଥିଲେ । ପୃଥିବୀପୃଷ୍ଠରେ ସେମାନଙ୍କ ରାଜ୍ ଚାଲିଥିଲା । ତେବେ ଏକ ବିଶାଳ ଉଲ୍‌କାପିଣ୍ଡ ପୃଥିବୀକୁ ଧକ୍କା ଦେବା ପରେ ଏହି ଜୀବର ବିଲୁପ୍ତି ଘଟିଥିବା ଦଶନ୍ଧି ଧରି ମନେ କରାଯାଉଥିଲା । କିନ୍ତୁ କେଉଁ ପ୍ରଜାତିର ଉଲ୍‌କାପିଣ୍ଡ ଏଭଳି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ସେଥିନେଇ ବୈଜ୍ଞାନିକମାନେ ସୁନିଶ୍ଚିତ ନଥିଲେ । ବର୍ତ୍ତମାନ ୟୁନିଭରସିଟି ଅଫ୍ ବ୍ରିଟିଶ କଲମ୍ବିଆ ଏବଂ ପ୍ୟାରିସ୍, ବ୍ରସେଲ୍ସ, ଭିଏନାର ଗବେଷକମାନେ ସେହି ପ୍ରଶ୍ନର ଉତ୍ତର ପାଇଥିବା ଦାବି କରିଛନ୍ତି ।

ଡାଇନୋସରଙ୍କୁ ନିଶ୍ଚିହ୍ନ କରିଥିବା ସେହି ବିଶାଳ ଉଲ୍‌କାପିଣ୍ଡ ଅତି ବିରଳ ଶ୍ରେଣୀର କାର୍ବୋନାସିଅସ୍ କୋଣ୍ଡ୍ରାଇଟ୍ସ ବୋଲି ସେମାନେ କହିଛନ୍ତି । ପୃଥିବୀର ବିଭିନ୍ନ ସ୍ଥାନରୁ ମିଳିଥିବା ପ୍ରାଚୀନ ମାଟିର ନମୂନା ପରୀକ୍ଷା କରି ଏହି ସତ୍ୟ ସାମ୍ନାକୁ ଆଣିଛନ୍ତି ଗବେଷକ । ‘ସାଇନ୍ସ ଆଡଭାନ୍ସ’ ଜର୍ନାଲରେ ଶୁକ୍ରବାର ଏ ସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ...ପେରୁରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ, ୫ ମୃତ, ୨୦ରୁ ଅଧିକ ଆହତ…

ଅଧ୍ୟୟନରେ ଭାଗ ନେଇଥିବା ପ୍ରଫେସର ଫିଲିପ୍ସ କ୍ଲେୟସ୍‌ଙ୍କ ଅନୁସାରେ, ଡାଇନୋସରଙ୍କୁ ପୃଥିବୀ ପୃଷ୍ଠରୁ ନିପାତ କରିଥିବା ଉଲ୍‌କାପିଣ୍ଡ କିଛି ସାଧାରଣ ଉଲ୍‌କାପିଣ୍ଡ ନଥିଲା । ତାହା ଅତି ବିରଳ ଶ୍ରେଣୀ କାର୍ବୋନାସିଅସ୍ କୋଣ୍ଡ୍ରାଇଟ୍ସର ଅନ୍ତର୍ଭୁକ୍ତ । ପୃଥିବୀରେ ଆଜି ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଅନ୍ୟାନ୍ୟ ଉଲ୍‌କାପିଣ୍ଡ ତୁଳନାରେ ଏଥିରେ କାର୍ବନ, ଜିଙ୍କ୍, ପାଣି ଏବଂ ସଲ୍‌ଫର ଭଳି ଉଦ୍‌ବାୟୀ ଉପାଦାନଗୁଡିକ ବହୁତ କମ୍ ଥାଏ । ତେଣୁ ଉଲ୍‌କାପିଣ୍ଡଟି ପୃଥିବୀପୃଷ୍ଠରେ ଧକ୍‌କା ଖାଇବା ପରେ ସେଥିରୁ ବାହାରିଥିବା ଥିବା ସଲଫର ଏହି ବିଧ୍ୱଂସର ମୁଖ୍ୟ କାରଣ ହୋଇନପାରେ ବୋଲି ଆମେ ଭାବୁଛୁ । ପୃଥିବୀପୃଷ୍ଠରେ ଉଲ୍‌କା ପିଣ୍ଡ ଧକ୍‌କା ଖାଇବା ପରେ ବାୟୁମଣ୍ଡଳରେ ବ୍ୟାପକ ଭାବେ ପରିବ୍ୟାପ୍ତ ହୋଇଯାଇଥିବା ସୂକ୍ଷ୍ମ ଧୂଳି ଏବଂ ଧ୍ୱଂଶାବଶେଷ ଡାଇନୋସର ନିଶ୍ଚିହ୍ନ ହେବା ପଛର ପ୍ରମୁଖ କାରଣ ହୋଇପାରେ । ସେହି ଧୂଳି ବର୍ଷ ବର୍ଷ ଧରି ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ ଆସିବାକୁ ଦେଲାନାହିଁ । ତେଣୁ ପୃଥିବୀରେ ଦୀର୍ଘ ଦିନ ଧରି ଅନ୍ଧାର ଏବଂ ପ୍ରବଳ ଶୀତ ଲହରି ଖେଳିଗଲା । ସୂର୍ଯ୍ୟାଲୋକ ଅଭାବରୁ ଗଛଲତା ମରିଗଲେ । ଏହାପରେ ଖାଦ୍ୟାଭାବ କାରଣରୁ ପ୍ରଥମେ ଶାକାହାରୀ ଡାଇନୋସର ଏବଂ ପରେ ମାଂସାହାରୀ ଟି-ରେକ୍ସ ଭଳି ଡାଇନୋସର ଛଟପଟ ହୋଇ ପ୍ରାଣ ହରାଇଥିବା ସେ ଦାବି କରିଛନ୍ତି । ସେହିପରି ଉଲ୍‌କାପିଣ୍ଡର ଉତ୍ପତ୍ତି ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ ବୋଲି ସେ ଦର୍ଶାଇଛନ୍ତି ।