ମାଲକାଲଗିରି,୦୮/୦୧: ମାଲକାନଗିରିରେ ବଡ଼ ଧରଣର ଲୁଟ୍‌ । କାନ୍ଥ ଭାଙ୍ଗି ମୋବାଇଲ୍‌ ଦୋକାନରୁ ଲୁଟିନେଲେ ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ । ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅନେକ ଦାମୀ ମୋବାଇଲ୍‌ ରହିଥିବା ସୂଚନା ମିଳିଛି । 

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ମୋବାଇଲ୍‌ ଦୋକାନ ଓମ୍‌ ମୋବାଇଲ୍‌ କେୟାର । ଏହି ଦୋକାନରୁ ପ୍ରାୟ ଦେଢ କୋଟି ଟଙ୍କାର ଦାମୀ ମୋବାଇଲ୍‌ ଚୋରି ହୋଇଛି । ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗି ଦୋକାନରେ ପଶିଥିଲେ । ଏହାପରେ ଦୋକାନରେ ଥିବା ଆଇଫୋନ୍‌, ସାମସଙ୍ଗ, ଓପୋ, ଭିଭୋ ଆଦି କମ୍ପାନୀର ଦାମୀ ମୋବାଇଲ୍‌ ଲୁଟ୍‌ କରିଥିଲେ । ଯାହାର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଲୁଟ୍‌ ହୋଇଥିବା ବିଷୟରେ ଜାଣି ଦୋକାନର ମାଲିକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରୁଛି ।

ତେବେ ଲୁଟେରାମାନେ ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି । ଏହାବାଦ୍‌ ଅନ୍ୟ ସବୁ ମୋବାଇଲ୍‌ର ଖୋଳ ଦୋକାନ ସାମ୍ନାରେ ଥିବା ଏକ ନିଛାଟିଆ ଜଙ୍ଗଲରେ ପକାଇ ସମସ୍ତ ମୋବାଇଲ ନେଇ ଫେରାର ମାରିଛନ୍ତି ଲୁଟେରା । ସମସ୍ତ ପ୍ୟାକେଟ୍‌କୁ ଜବତ କରି ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏହି ଲୁଟ୍‌ କରିଛି, ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଦୋକାନ ମାଲିକ ଆଶା କରୁଛନ୍ତି ।