କନ୍ଧମାଳ,୪।୬ : ସହାୟତା କରିବା ନାଁରେ ଅନ୍ୟ ମାନଙ୍କୁ ଠକି ଟଙ୍କା ଲୁଟ୍ କରୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ କନ୍ଧମାଳ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ବଡ଼ବନ୍ଧ ଗ୍ରାମର ମନୋଜ ନାୟକ । ବିଭିନ୍ନ ପ୍ରକାରେ ସହାୟତା ନାଁରେ ୬ ଜଣଙ୍କ ଏଟିମରୁ ୨ ଲକ୍ଷ ୭୭ ହଜାର ଟଙ୍କା ଉଠାଇ ନେବା ସହିତ ଜଣେ ବ୍ୟକ୍ତିଙ୍କର ଏକ ମଟର ସାଇକଲ ମଧ୍ୟ ଚୋରି କରିଥିବାର ତଦନ୍ତରୁ ଜଣାଯାଇଛି । ପୋଲିସ୍ ଅଭିଯୁକ୍ତ ଠାରୁ ଗୋଟିଏ ମଟର ସାଇକଲ ସହିତ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଥିବା କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।
ଗତ ୧୩।୨।୨୦୨୬ ତାରିଖରେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ତେନ୍ତୁଳିସାହି ଅଂଚଳର ପ୍ରଦୀପ ପ୍ରଧାନ ଫୁଲବାଣୀକୁ କୌଣସି କାମରେ ଆସି ବ୍ରାହ୍ମଣସାହି ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଚତୁରତାର ସହିତ ପ୍ରଦୀପଙ୍କ ନିକଟରେ ପହଁଚି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ତମକୁ ସରକାରଙ୍କ ତରଫରୁ ଅନୁଦାନ ମିଳି ପାରିବ ବୋଲି କହିଥିଲେ । ପ୍ରଦୀପ ଏହାକୁ ସତ ବୋଲି ଭାବି ନିଜର ଏଟିଏମ୍ କାର୍ଡ଼ ଦେଇଥିଲେ । ତେବେ ମନୋଜ ପ୍ରଦୀପଙ୍କ ଏଟିଏମ୍ ଜରିଆରେ ଦୁଇଟି ପର୍ଯ୍ୟୟରେ ୩୯ ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲା । କିଛି ସମୟ ପରେ ପ୍ରଦୀପଙ୍କ ମୋବାଇଲ କୁ ମେସେଜ୍ ଆସିବାରୁ ସେ ଟଙ୍କା ଲୁଟ୍ ହୋଇଥିବା ଜାଣିପାରି ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଟାଉନଥାନା ଏସ୍.ଆଇ ମନୋରଂଜନ ଭୋଇ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ସହିତ ଶେଷରେ ଅଭିଯୁକ୍ତ ମନୋଜ ପାଖରେ ପହଁଚିଥିଲେ । ବୌଦ୍ଧ ପୁଲିସ୍ ସହାୟତରେ ନିଜ ଗ୍ରାମରୁ ମନୋଜକୁ ଗିରଫ କରି ଫୁଲବାଣୀ ଅଣାଯାଇ ପଚାରା ଉଚରା ପରେ ସେ ଏକାଧିକ ବ୍ୟକ୍ତିଙ୍କୁ ଏଭଳି ଠକେଇ କରିଥିବା ଜଣାପଡ଼ିଥିଲା ।
ସୂଚନା ଅନୁସାରେ କେବଳ ଫୁଳବାଣୀ ଟାଉନଥାନାରେ ୫ଟି ଏଟିଏମ୍ ଦ୍ୱାରା ଟଙ୍କା ଲୁଟ୍ ହୋଇଥିବା ମାମଲାରେ ମନୋଜ ସଂପୃକ୍ତ ଥିବା ତଦନ୍ତରୁ ଜଣାଯାଇଛି । , ସଦରଥାନା ଅଂଚଳର ହୃଷିକେଶ ସାହୁଙ୍କର ୨୦ ହଜାର ଟଙ୍କା , ଖଜୁରିପଡ଼ା ଅଂଚଳର ରାଜୁ ରଣାଙ୍କର ୧୨ ହଜାର ଟଙ୍କା , ଟିକାବାଲି ଅଂଚଳର ସତ୍ୟ ନାରାୟଣ କହଁରଙ୍କର ୩୯ ହଜାର ୭୦୦ ଟଙ୍କା , ସାଙ୍ଗପଡ଼ାର ଜଳେଶ୍ୱର କହଁରଙ୍କର ୭ ହଜାର ଟଙ୍କା ଏବଂ ପାଦେରିପଡ଼ା ଅଂଚଳର ପ୍ରତିମା ପ୍ରଧାନ ଏବଂ କିସମତି ପ୍ରଧାନଙ୍କର ଏଟିଏମ୍ ଦ୍ୱାରା ୮୦ ହଜାର ଟଙ୍କା ମନୋଜ ଲୁଟ୍ କରିଥିବାର ସୂଚନା ମିଳିଛି । କେବଳ ସେତିକି ନୁହେଁ ମନୋଜ ବିଭୂତି ଭୂଷଣ ସାମନ୍ତଙ୍କ ଏକ ମଟର ସାଇକଲ ମଧ୍ୟ ଲୁଟି ଥିବାର ପୋଲିସ୍ ଜାଣିବାକୁ ପାଇଛି।
ଆହୁରି ପଢନ୍ତୁ : ନଦୀରେ ଗାଧୋଇବା ହେଲା କାଳ, ବ୍ରାହ୍ମଣୀରେ ବୁଡିଗଲେ ଛାତ୍ରୀ