ପୁରୀ,୧୬/୦୭: ଅନାଦି ଅନନ୍ତ ସେ ଅପୂର୍ଵ ଅକାରଣ । ଆଲୋକିକ ମହିମା ହେଁ ତାଙ୍କର ସେ ମହାବାହୁ । ସକଳ ବିଶ୍ୱ ବ୍ରହାଣ୍ଡ ତାଙ୍କରି ସର୍ଜନା । ସକାଳ, ସଞ୍ଜ, ଦିନ ରାତି ତୁମ ନିର୍ଦ୍ଦେଶରେ ପରିଚାଳିତ । ଅପୂର୍ବ ଲୀଳାମୟ ତୁମେ କିଏବା ପାରିବ ତୁମ ମହିମା କରି ବର୍ଣନା କରି । ଆଜି ପବିତ୍ର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥାରୂଢ଼ ହେବେ ଦାରୁବ୍ରହ୍ମ । ଗତ ନୀଳାଦ୍ରି ବିଜେରେ ଭକ୍ତକୁ ପ୍ରତିଶ୍ରୁତି ଦେଇଥିଲେ କାଳିଆ ସାଆନ୍ତେ । ଆର ରଥଯାତ୍ରାକୁ ପୁଣି ଭେଟ । ସଭିଙ୍କ ପ୍ରତୀକ୍ଷା ମିଳନର ସେହି ଦିବ୍ୟ ମୁହୂର୍ତ୍ତକୁ । ଭାବ ଓ ଭକ୍ତିରେ ଭିଜିବେ ଭକ୍ତ ଓ ଭଗବାନ । ଚକାଆଖିଆକୁ ଚାହିଁ ରହିଛନ୍ତି ଭକ୍ତ ।

ନଟ ଠାକୁରଙ୍କ ହଟ କଥା କିଏ ନଜାଣେ । ଏହା ହେଉଛି ୧୯୭୦ ଦଶକର ରଥ ଯାତ୍ରା କଥା । ବଡ଼ଠାକୁରେ ଓ ଦେବୀ ସୁଭଦ୍ରା ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଥିଲେ । କାଳିଆ ସାଆନ୍ତେ ପହଣ୍ଡି ହୋଇ ଚାରମାଳ ଉପରେ ବିଜେ କଲେ । ହେଲେ ଆଉ ରଥ ଉପରକୁ ଉଠିଲେ ନାହିଁ । ପହଣ୍ଡି କରୁଥିବା ସେବକମାନେ ଶତ ଚେଷ୍ଟା କଲେ । ହେଲେ ଠାକୁରେ ଚାରମାଳରେ ଦୁଇ ପାହୁଣ୍ଡ ଯାଇ ପୁଣି ପଛକୁ ହଟୁଥାନ୍ତି । ଶେଷରେ ଗଜପତି ମହାରାଜାଙ୍କୁ ଏହି କଥା ଅବଗତ କରାଗଲା । ଗଜପତି ମହାରାଜା ରଥ ନିକଟରେ ପହଞ୍ଚି ଠାକୁରଙ୍କ ପଛରୁ ସ୍ପର୍ଶ କଲାକ୍ଷଣି ମହାବାହୁ ଆଗକୁ ବଢ଼ି ରଥାରୂଢ଼ ହୋଇଥିବା କୁହନ୍ତି ମହାପ୍ରଭୁଙ୍କ ଦର୍ପଣିଆ ସେବକ ନିଯୋଗ ସଭାପତି ଶ୍ୟାମସୁନ୍ଦର ବେଜ ।

ଶ୍ରୀ ବେଜ କୁହନ୍ତି, ରଥଯାତ୍ରା ଆସିଲେ ତାଙ୍କର ସେହି ବର୍ଷର ରଥ ଯାତ୍ରା କଥା ମନେ ପଡ଼େ । ସେହି ସମୟରେ ଠାକୁରଙ୍କ ନିକଟରେ ସେବା ଦେଉଥାନ୍ତି । ରୁନ୍ଧା ଡୋରି ଧରି ସେ ସେଠାରେ ଠିଆ ହୋଇଥାନ୍ତି । ଚାରରେ ନଟଠାକୁରଙ୍କ ହଟ ଚାଲିଥାଏ । ଚାରମାଳ ଉପରେ ୪୫ ମିନିଟ୍ ଭଳି ଚାଲିଥିଲା ଠାକୁରଙ୍କ ଏଭଳି ଦିବ୍ୟ ଲୀଳା । ଭକ୍ତମାନେ ହରିବୋଲ ହୁଳହୁଳି ଧ୍ୱନି ଦେଉଥାନ୍ତି । ସେବକମାନେ ବାରବାର ଚେଷ୍ଟା କରୁଥାନ୍ତି ଠାକୁରଙ୍କ ପହଣ୍ଡି ସାରିବାକୁ । ଶେଷରେ ଗଜପତିଙ୍କ ମାନ ରଖି ମାଲିକ ବିଜେ କରିଥିଲେ । ସେହି ବର୍ଷ ଶ୍ରୀଗୁଣ୍ଡିଚାମନ୍ଦିରରେ ପହଣ୍ଡି ଶେଷ ବେଳର ଦୃଶ୍ୟ ଦେଖି ଆଜି ବୁଜି ହୋଇଗଲା । ମହାପ୍ରଭୁ ଆଡ଼ପମଣ୍ଡପକୁ ବିଜେ କରୁଥାନ୍ତି । ହଠାତ୍ ଠାକୁରେ ଗୋଟିଏ ପଟକୁ ଏତେ ଢଳିଗଲେ ମନରେ ଭୟ ସଞ୍ଚରିଗଲା । ପୁନଃ ସମ୍ଭାଳିଯାଇ ଆଡ଼ପମଣ୍ଡପକୁ ବିଜେ କରିଥିଲେ ଠାକୁରେ ।

ଭକ୍ତିମୟ ପରିବେଶରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ଆସି ସାରିଛନ୍ତି ଚକ୍ରରାଜ ପ୍ରଭୁ ଶ୍ରୀସୁଦର୍ଶନ ଦେବଦଳନ ରଥକୁ ବିଜେ କରିଛନ୍ତି । ଏହା ପରେ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଛି । ଏହା ପରେ ଆସିବେ କାଳିଆ ସାଆନ୍ତ । ଏହି ଦିବ୍ୟ ଅନୁଭବ ପାଇଁ ପ୍ରସ୍ତୁତ ଅଗଣିତ ଭକ୍ତ, ରଥ ଓ ପଥ । ସିଂହଦ୍ୱାରେ ଅପେକ୍ଷାରତ ରଥତ୍ରୟ । ବଡ଼ଦାଣ୍ଡରେ ଉପସ୍ଥିତ ଲକ୍ଷାଧିକ ଉତ୍କଣ୍ଠିତ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ରଥ ପଥ ।