ଗୁଣୁପୁର, ୧୫/୭ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI। ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ ଅଧୀନ ସିର୍ଜୁଳି ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜମି ପଟ୍ଟା ଟ୍ରାନ୍ସଫର ପାଇଁ ଅଭିଯୋଗକାରୀଙ୍କ ଠାରୁ ସେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଛି। ସୁଶାନ୍ତଙ୍କ ଅଫିସ୍ ଓ ବାସଭବନରେ ଭିଜିଲାନ୍ସର ୧୫ ଜଣିଆ ଟିମ୍ ରେଡ୍ କରୁଛନ୍ତି। 

ସୂଚନା ଅନୁଯାୟୀ, ସିର୍ଜୁଳି RI ସୁଶାନ୍ତ ମଲ୍ଲିକ ଜଣେ ଅଭିଯୋଗକାରୀଙ୍କ ଠାରୁ ପଟ୍ଟା ଟ୍ରାନ୍ସଫର କରିଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ସୁଶାନ୍ତ ଲାଞ୍ଚ ନେବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଆର୍‌ଆଇଙ୍କୁ ଗୁଣୁପୁର ତହସିଲ କାର୍ଯ୍ୟାଳୟକୁ ନେଇ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଛି। ତାଙ୍କ ଅଫିସ୍ ଓ ବାସଭବନରେ ଭିଜିଲାନ୍ସର ୧୫ ଜଣିଆ ଟିମ୍ ରେଡ୍ କରୁଛନ୍ତି। 

ଏହି ଚଢ଼ାଉରେ ଜୟପୁର, ରାୟଗଡ଼ା ଓ ଭବାନୀପାଟଣା ଭିଜିଲାନ୍ସ ୟୁନିଟ୍‌ର ପ୍ରାୟ ୧୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ରାୟଗଡ଼ା ଡିଏସ୍‌ପି ସୂର୍ଯ୍ୟକାନ୍ତି ଟାକିରି, ଭବାନୀପାଟଣା ଡିଏସ୍‌ପି ପ୍ରମିଳା ସୁନାଙ୍କ ନେତୃତ୍ୱରେ ରାୟଗଡ଼ା ଇନ୍ସପେକ୍ଟର ବଙ୍କିମ ବବାଲି, ଭବାନୀପାଟଣା ଇନ୍ସପେକ୍ଟର ଆଲୋକ ମହାପାତ୍ର, କୋରାପୁଟ ଡିଭିଜନର ଇନ୍ସପେକ୍ଟର ସାବିତ୍ରୀ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ଓ ସରକାରୀ ସାକ୍ଷୀମାନେ ଉପସ୍ଥିତ ରହିଛନ୍ତି।

ଘଟଣାକୁ ନେଇ ଗୁଣୁପୁର ତହସିଲ ଓ ରାଜସ୍ୱ ବିଭାଗରେ ଚର୍ଚ୍ଚା ଜୋର ଧରିଛି। ଜମିଜମା ସମ୍ବନ୍ଧୀୟ କାମରେ ଲାଞ୍ଚ କାରବାରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦୀର୍ଘଦିନର ଅସନ୍ତୋଷ ପୁଣିଥରେ ସାମ୍ନାକୁ ଆସିଛି। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବାବେଳେ ଆୟଠାରୁ ଅଧିକ ସମ୍ପତ୍ତି ସମ୍ପର୍କିତ ଦିଗ ମଧ୍ୟ ଯାଞ୍ଚ ପରିସରକୁ ଆସିପାରେ ବୋଲି ଜଣାପଡ଼ିଛି। ତଦନ୍ତ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ପ୍ରକାଶ କରାଯିବ।

ଆହୁରି ପଢନ୍ତୁ- କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ, କାରଣ ଅସ୍ପଷ୍ଟ

ଅଦ୍ଭୁତ ଚୋର ! ଟ୍ରେନର ଏସି କୋଚରେ ଯାତ୍ରା କରିସାରିବା ପରେ ଚାଦର ଏବଂ ତକିଆ ନେଇ ଗାଏବ ହୋଇଯାଉଛନ୍ତି