ଭୁବନେଶ୍ୱର,୧୪/୦୯: ରାଜଧାନୀରେ  ଜଣେ ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ପୀଡ଼ିତାଙ୍କ ପ୍ରେମିକ ମିଥ୍ୟା ବାହାନା କରି ଏକ ଲଜ୍‌କୁ ଡକାଇ ୨ ବନ୍ଧୁଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି । ଏଭଳି ସଙ୍ଗୀନ ଅଭିଯୋଗ  ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ ୩  ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡର ଚନ୍ଦୁ ଓରଫ ଚନ୍ଦନ କୁମାର ହାତୀ (୨୫),  ସେହିଗ୍ରାମର ପ୍ରସନ୍ନ କୁମାର ଆଚାର୍ଯ୍ୟ(୩୭)  ଏବଂ ଜଗତସିଂହପୁର ଥାନା ତୁମ୍ବା ଅଧେଇସାହିର  ରାଜେଶ କୁମାର ଦାସ(୩୨) ।

ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ରହୁଥିବା ୨୩ ବର୍ଷର ଜଣେ ଯୁବତୀଙ୍କର ଚନ୍ଦନ ସହ ଫେସ୍‌ବୁକ୍‌ ମାଧ୍ୟମରେ ଚିହ୍ନା ପରିଚୟ ହୋଇଥିଲା । ଧୀରେ ଧୀରେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ଚନ୍ଦନ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଯୋଜନା କରିଥିଲେ । ଚନ୍ଦ୍ରଶେଖରପୁର ପୋଖରାନ ଭିଲେଜରେ ଥିବା ଏକ ଲଜ୍‌ର ତତ୍ତ୍ୱାବଧାରକ ଥିବା ତା’ର ବନ୍ଧୁ ରାଜେଶ ସହିତ ଯୋଗାଯୋଗ କରିଥିଲା । ତା’ର ସହାୟତା ଲୋଡ଼ିଥିଲା । ରାଜେଶ ତାକୁ ଲଜ୍‌ରେ ଏକ ରୁମ୍‌ ଦେବେ ବୋଲି କହିବା ପରେ ଚନ୍ଦନ ନିଜ ଗ୍ରାମର ପ୍ରସନ୍ନଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା । ଗତ ୧୦ ତାରିଖରେ ଚନ୍ଦନ  ଫଟୋ ସୁଟ୍‌ କରିବା ବାହାନାରେ ଉକ୍ତ ଯୁବତୀଙ୍କୁ ପୋଖରାନ ଭିଲେଜରେ ଥିବା ଉକ୍ତ ଲଜ୍‌କୁ ଡକାଇଥିଲା । ଯୁବତୀ ଜଣକ ସେଠାରେ ପହଞ୍ଚିବା ପରେ ଚନ୍ଦନ ତାଙ୍କୁ ଲଜ୍‌ର ଏକ ରୁମ୍‌କୁ ନେଇ ଯାଇଥିଲା । ସେଠାରେ ଯୁବତୀଙ୍କୁ ମୃଦୁପାନୀୟରେ  ନିଶା ଦ୍ରବ୍ୟ ମିଶାଇ ପିଆଇ ଦେଇଥିଲେ ।  ଯୁବତୀ ଜଣକ ଶୋଇ ପଡ଼ିବା ପରେ ଚନ୍ଦନ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ରାଜେଶ  ଏବଂ ପ୍ରସନ୍ନ ଜଣକ ପରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଚେତା ଫେରିବା ପରେ  ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

ପରେ ସେମାନଙ୍କ କବଳରୁ  ଖସି ସେ ଘରକୁ ଚାଲି ଆସିଥିଲେ । ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ  ତାଙ୍କ ବଡ଼ ଭଉଣୀଙ୍କୁ ଜଣାଇଥିଲେ।​​​​​​​୧୧ ତାରିଖରେ ବଡ଼ଭଉଣୀ ଯୁବତୀଙ୍କୁ ଧରି ମହିଳା ଥାନାରେ  ଅଭିଯୋଗ କରିଥିଲେ । ମହିଳା ଥାନା ପୁଲିସ ଏକ ମାମଲା  ରୁଜୁକରି ତନାଘନା ଆରମ୍ଭ କରିଥିଲା । ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯୁବତୀଙ୍କ ସମେତ ୩ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଇଥିଲା ପୁଲିସ ।  ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର  ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।