କଟକ,୨୯/୦୯: ଦଶହରାରେ କିଛି ପୂଜାମଣ୍ଡପରେ ମାଛ ଭୋଗ ପରମ୍ପରା ରହିଛି । ସହରରେ ଏହି ପରମ୍ପରା ଚାନ୍ଦିନୀଚୌକ ସମେତ ଅଲିଶା ବଜାର ପୂଜା ମଣ୍ଡପରେ ଦେଖିବାକୁ ମିଳେ । ନବମୀ ଦିନ ମା’ଙ୍କ ପାଖରେ ପ୍ରଥମେ ମାଛ ଭୋଗ ହେଲାପରେ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଏ । ଆଉ ଏଥିପାଇଁ ନବମୀ ଦିନ ଦୁଇଟି ଯାକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥାଏ । ଚାନ୍ଦିନୀଚୌକ ପୂଜା କମିଟି ପକ୍ଷରୁ ପାଖାପାଖି ୩୦୦ ବର୍ଷରୁ ଊଦ୍ଧ୍ୱର୍ ହେବ ଏହି ମାଛ ଭୋଗ ପରମ୍ପରା ରହିଆସିଛି । ଚଳିତବର୍ଷ ମା’ଙ୍କ ପାଖରେ ୧୦ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ମାଛ ଭୋଗ ସାଙ୍ଗକୁ ଅନ୍ନ ଓ ଖଟା ମଧ୍ୟ ହେବ । ପ୍ରଥମେ ଏହି ଭୋଗ ମା’ଙ୍କୁ ଅର୍ପଣ କଲା ପରେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଇଥାଏ । ଚାନ୍ଦିନୀଚୌକ ମାଛ ଭୋଗ ସହରର ପ୍ରସିଦ୍ଧ ମାଛ ଭୋଗ ରୂପରେ ପରିଚିତ ।
ସେଥିପାଇଁ ସହର ତଥା ସହର ବାହାରୁ ଶ୍ରଦ୍ଧାଳୁମାନଙ୍କର ଏଠାରେ ନବମୀ ଦିନ ଆଗୁଆ ଭିଡ଼ ଲାଗେ । କେବଳ ସେତିକି ନୁହେଁ ସପ୍ତମୀ ଦିନ ମଧ୍ୟ ମା’ଙ୍କ ପାଖରେ ୫୦ କ୍ୱିଣ୍ଟାଲ ଲଡ଼ୁ ଭୋଗ ହୋଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥାଏ । ଏ ସଂପର୍କରେ ଚାନ୍ଦିନୀଚୌକ ପୂଜା କମିଟିର ସଂପାଦକ ସୁଶାନ୍ତ କୁମାର ପାଣି କହିଛନ୍ତି, ଏହି ପରମ୍ପରା ଆମ ପୂର୍ବ ପୁରୁଷରୁ ରହି ଆସିଛି । ପୂର୍ବରୁ ଏତେ ପରିମାଣରେ ମାଛ ଭୋଗ ହେଉନଥିଲା । ଧୀରେ ଧୀରେ ଭକ୍ତମାନଙ୍କ ଚାହିଦାକୁ ନେଇ ଏବେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଭୋଗ ହେଉଛି । ଏହି ଭୋଗକୁ ତିଆରି କରିବା ୩୦ରୁ ଊଦ୍ଧ୍ୱର୍ କାରିଗର ସକାଳୁ ଲାଗିଥାନ୍ତି ।
ସେହିପରି ଅଲିଶା ବଜାର ପୂଜା ମଣ୍ଡପରେ ଟିକିଏ ନିଆରା ପରମ୍ପରା ଅନୁସାରେ ମାଛ ଭୋଗ ହୋଇଥାଏ । ଏଠାରେ ଦୁଇ ଶହ ବର୍ଷରୁ ଊଦ୍ଧ୍ୱର୍ ହେବ ମାଛ ଭୋଗ ପରମ୍ପରା ରହି ଆସିଛି । ଇତିହାସରୁ ଜଣାଯାଏ ଅଷ୍ଟମୀ ଦିନ ମା’ଙ୍କ ପାଖରୁ ଆଜ୍ଞାମାଳ ନରାଜ କୈବର୍ତ୍ତ ସମାଜ ପାଖକୁ ଯାଇଥାଏ । ମା’ଙ୍କ ସିନ୍ଦୂର ଡଙ୍ଗାରେ ଲଗାଯିବା ପରେ କୈବର୍ତ୍ତମାନେ ମାଛ ଧରିବାକୁ ନଦୀକୁ ଯାଇଥାନ୍ତି । ଆଉ ନଦୀରୁ ଜାଲରେ ଯେଉଁ ପ୍ରଥମ ମାଛ ଧରନ୍ତି ତାହାକୁ ମା’ଙ୍କ ପାଖକୁ ଭେଟି ଦିଅନ୍ତି । ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ରହି ଆସିଛି । ଏଠାରେ ମା’ଙ୍କୁ ମାଛ ସହିତ କାନିକା ପଲାଉ ମଧ୍ୟ ଭୋଗ ହୋଇଥାଏ । ଏ ସଂପର୍କରେ ଅଲଶା ବଜାର ପୂଜା କମିଟିର ସଭାପତି ଡା. ରବି ରଞ୍ଜନ ସାହୁ କହିଛନ୍ତି, ଚଳିତ ବର୍ଷ ଆମର ୧୫ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ମାଛ ଭୋଗ ହେବ । ଆଉ ନବମୀ ଦିନ ନରାଜର କୈବର୍ତ୍ତ ସମାଜର ଭାଇମାନଙ୍କୁ ଆମେ ନିମନ୍ତ୍ରିତ ମଧ୍ୟ କରିଥାଉ । ସେମାନଙ୍କୁ ସେଦିନ ଆମ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥାଏ।