ଭୁବନେଶ୍ଵର, ୧୩/୧୨ : ମହାନଦୀ ଜଳ ବିବାଦକୁ ନେଇ ଶାସକ-ବିରୋଧୀ ଟଣାଓଟରା। ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନବାଣ, ଧୋଇଦେଲେ ଜୟ ନାରାୟଣ ମିଶ୍ର। ବିଜେପି-ବିଜେଡି ମୁହାଁମୁହିଁ। ଟ୍ରିପଲ ଇଞ୍ଜିନ ସରକାରରେ ସମାଧାନ କେବେ ପଚାରିଥିଲେ ବିଜେଡି ନେତା। ମହାନଦୀ କଳିର ସୃଷ୍ଟି କର୍ତ୍ତା ସେତେବେଳର ବିଜେଡି ସରକାର କହି ମୁହଁ ବନ୍ଦ କରିଦେଲେ ଜୟ। ଆସନ୍ତା ୨୨ ତାରିଖରେ ମହାନଦୀ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ବସିବ। ଏହା ପୂର୍ବରୁ ପ୍ରେସମିଟ୍ କରି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଘେରିଥିଲେ। ମହାନଦୀ ବିବାଦର ସମାଧାନ କେବେ ବୋଲି ୫ଟି ପ୍ରଶ୍ନ ପଚାରିଥିଲେ। ଏବେ ବିଜେପି ନେତା ତଥା ମହାନଦୀ କମିଟି ସଦସ୍ୟ ଜୟ ନାରାୟଣ ମିଶ୍ର ତାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଜୟ କହିଛନ୍ତି ଯେ, ମହାନଦୀ ଜଳ ବିବାଦର ସୃଷ୍ଟି କର୍ତ୍ତା ହେଉଛି ସେତେବେଳେର ବିଜେଡି ସରକାର। ତେଣୁ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ଉପଦେଶ ଦେଇଥିଲେ ଭଲ ହୋଇଥାନ୍ତା। ମହାନଦୀ ପାଇଁ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଆସନ୍ତା ୨୨ ତାରିଖରେ ବସିବ। ସେହିଠାରେ ରାଜ୍ୟ ତରଫରୁ କଣ କଣ ପଦକ୍ଷେପ ନିଆଯିବ ସେନେଇ ବିଶେଷ ଆଲୋଚନା ହେବ। ମହାନଦୀ ବିବାଦର ସମାଧାନ ପାଇଁ ବିଜେଡି ୨୪ ବର୍ଷ ଭିତରେ କିଛି କଲେ ନାହିଁ। ମହାନଦୀରେ ଯେତେ ପାଣି ଆସୁଛି ସବୁ ସମୁଦ୍ରକୁ ଚାଲିଯାଉଛି। ୩ଟି ଡ୍ୟାମ ମଧ୍ୟ କରି ପାରିଲେ ନାହିଁ। ସରକାର ଏକ ଏକ୍ସପର୍ଟ କମିଟି ଗଠନ କରନ୍ତୁ । ସେହି ଅନୁସାରେ କାମ ହେବା ଉଚିତ। ଏହାସହ ଆମ ସରକାର ପାରୁ ପର୍ଯ୍ୟନ୍ତ ଏ ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏହାକୁ ନେଇ ବିଜେଡି କେବେ ସନ୍ତୁଷ୍ଟ ନୁହେଁ। ଏହା ତାଙ୍କ ଚରିତ୍ର। ତାଙ୍କ ସରକାର ସମୟରେ ଅନେକ କମିଟି ଗଠନ କଲେ । ହେଲେ ଗୋଟିଏ ମଧ୍ୟ ବୈଠକ ବସିଲା ନାହିଁ। ମହାନଦୀର ଜଳକୁ କିପରି ଉପଯୋଗ କରାଯାଇ ପାରିବ ସରକାର ତା ଉପରେ ଗୁରୁତ୍ୱ ଦେଉଛନ୍ତି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ।
ସେପଟେ ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଏହି ୫ଟି ପ୍ରଶ୍ନ ପଚାରିଥିଲେ :-
- ଆପୋସ ସାମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କ'ଣ ରହିବ ?
- ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ କି ?
- ଆପୋସ ସମାଧାନକୁ ଯିବା ପୂର୍ବରୁ ସରକାର ସମସ୍ତ ରାଜନୈତିକ ଦଳ ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଗଠନମାନଙ୍କ ସହ ଆଲୋଚନା କରିବେ କି ?
- ଛତିଶଗଡ଼ ସରକାର ଏବେ ସୁଦ୍ଧା ଚାଲୁ ରଖିଥିବା ମାହାନଦୀ ଓ ତାର ଶାଖା ନଦୀମାନଙ୍କରେ ନିର୍ମାଣଧିନ ଆନିକଟ କାର୍ଯ୍ୟକୁ ବନ୍ଦ ରଖିବେ କି ?
- ମହାନଦୀ ଟ୍ରିବ୍ୟୁନାଲର ଦୈନଦିନ କାର୍ଯ୍ୟ ବନ୍ଦ ରହିଥିବାରୁ ଏହାକୁ ତ୍ବରାନ୍ବିତ କରିବା ପାଇଁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିବେ କି ?
ମହାନଦୀକୁ ବିକଳାଙ୍ଗ କରିବାକୁ ହୀନ ଚକ୍ରାନ୍ତ
ଏହା ସହ ବରିଷ୍ଠ ବିଜେଡି ନେତା ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଗତ କିଛି ଦଶନ୍ଧି ହେଲା ମହାନଦୀକୁ ବିକଳାଙ୍ଗ କରିବାକୁ ହୀନ ଚକ୍ରାନ୍ତ କରାଯାଉଛି। ଏହାର ଆର୍ତ୍ତ ଚିତ୍କାର ନା କେନ୍ଦ୍ର ସରକାର ଶୁଣୁଛନ୍ତି ନା ଛତିଶଗଡ଼ ସରକାର ଶୁଣୁଛନ୍ତି। ଓଡ଼ିଶାର ବିନା ସହମତିରେ ଆନ୍ତଃରାଜ୍ୟ ନଦୀଜଳ ସମ୍ପର୍କିତ ସମସ୍ତ ବିଧି ବିଧାନକୁ ବେଖାତିର କରି ଛତିଶଗଡ଼ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି। କେନ୍ଦ୍ର ସରକାର ଶୁଣ୍ଢି ସାକ୍ଷୀ ମାତାଲ୍ ଭଳି ନୀରବଦ୍ରଷ୍ଟା ସାଜିଛନ୍ତି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ପରେ ବ୍ୟାରେଜ୍ ନିର୍ମାଣ କରୁଛନ୍ତି। ମହାନଦୀର ଜଳସ୍ରୋତକୁ ମନଇଛା ନିଜ ଅଧିନରେ ରଖି ଓଡ଼ିଶାରେ ନଦୀର ଧାରକୁ ଶୁଷ୍କ ଓ ନିରସ କରି ଦେଇଛନ୍ତି। ଏହି ପ୍ରକ୍ରିୟା ଜାରି ରହିଲେ ହୀରାକୁଦ ଜଳଭଣ୍ଡାର ଦିନେ ଜଳଶୂନ୍ୟ ହେବ ଓ ଅନିଶ୍ଚିତ ସଂକଟ ଭିତରକୁ ଠେଲି ହୋଇଯିବ।
ଟ୍ରିପଲ ଇଞ୍ଜିନରେ ସମାଧାନ କେବେ ?
କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖୁଥିଲେ। ହେଲେ ତାହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି। ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ । ମହାନଦୀ ଜଳ ଟ୍ରିବୁନାଲ ନିକଟରେ ମାମଲାଟି ସାତ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେଲା ପଡି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡ଼ୁଛି। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଗତି ଅତ୍ୟନ୍ତ ନୈରାଶଜନକ।