ଭୋଗରାଇ,୧୨/୭ : ଉଦ୍ଧାର ହେଲା ପଶ୍ଚିମବଙ୍ଗ ଶଙ୍କରପୁରରୁ ନିଖୋଜ ଥିବା ଟ୍ରଲର । ଟ୍ରଲର ଭିତରେ ରହିଛି ମତ୍ସ୍ୟଜୀବୀଙ୍କ ମୃତଦେହ । ଜୁଲାଇ ୨ ରୁ ୧୬ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଇଲିସି ଧରିବା ପାଇଁ ସମୁଦ୍ରକୁ ବାହାରିଥିଲା । ୧୬ଜଣଙ୍କ ମଧ୍ୟରେ ବାଲେଶ୍ୱର ଭୋଗରାଇ ଉଲୁଡା ଗ୍ରାମରେ ଗୋଟିଏ ପରିବାରରେ ଥିଲେ ୩ ଭାଇ । ଆଜି ଟ୍ରଲରଟି ଉଦ୍ଧାର ହେବା ପରେ ଏବେବି ୧୫ ଜଣ ନିଖୋଜ ଅଛନ୍ତି । ବକଖାଲିରୁ ପ୍ରାୟ ୧୬କିଲୋମିଟର ଦୂର ରକ୍ତେଶ୍ଵରୀ ଦୀପରୁ ଟ୍ରଲରଟି ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ଚଳିତ ମାସ ୨ତାରିଖରେ ଏହି ମାଆ କାଳୀ ଟ୍ରଲର ମାଛ ଧରିବା ପାଇଁ ୧୬ଜଣଙ୍କୁ ନେଇ ସମୁଦ୍ରକୁ ଯାଇଥିଲା । ମାତ୍ର ପରେ ମାଆ କାଳୀ ଟ୍ରଲର ସହିତ କୌଣସି ପ୍ରକାରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସଦେଶ ରଞ୍ଜନ ନାୟକ ଖୋଜାଖୋଜି କରିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ । ସମୁଦ୍ର ଭିତରେ ଏକ ଦୀପରେ ପ୍ରାୟ ୧୦ ରୁ ଅଧିକ ମତ୍ସ୍ୟଜୀବୀ ମାନେ ଫସି ରହିଛନ୍ତି ବୋଲି ସଂଘର ସମ୍ପାଦକ ସମସ୍ତ ପରିବାରକୁ ସୂଚନା ଦେବା ପରେ ୧୬ ଜଣଙ୍କ ପରିବାର ସମେତ ଭୋଗରାଇ ବିଜେଡ଼ି ଓ ବିଜେପିର ଏକ ଟିମ ଶଙ୍କରପୁରରେ ପହଂଚି ଦୀର୍ଘ ସମୟ ସମ୍ପାଦକଙ୍କ ସହିତ ଆଲୋଚନା କରି ନିରାଶ ହୋଇ ଫେରିବା ପରେ ଏହି ଖବର ଭୁଲ ଥିଲା ବୋଲି ସନ୍ଧ୍ୟାରେ ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସଦେଶ ରଞ୍ଜନ ନାୟକ କ୍ଷମା ପ୍ରାର୍ଥନା କରିଥିଲେ ।
ଆଜି ଟ୍ରଲର ଟିକୁ ଟାଣି ଟାଣି ଆଣିବା ପରେ ମତ୍ସ୍ୟଜୀବୀଙ୍କ ମୃତଦେହ ଟ୍ରଲର ରେ ଥିବା ବେଳେ ଅନ୍ୟ ମାନଙ୍କ ପତା ଏ ପର୍ଯ୍ୟନ୍ତ ମିଳିନାହିଁ । କେତେ ଜଣଙ୍କ ମୃତ ଦେହ ଟ୍ରଲର ଭିତରେ ରହିଛି ବା ଅନ୍ୟ ମାନଙ୍କ ପତା ନେଇ ତଦନ୍ତ ଚଳାଇଛି ପଶ୍ଚିମବଙ୍ଗ ପୋଲିସ ।