ପୁରୀ,୦୮/୦୭: ଚମ୍ପକ ଦ୍ୱାଦଶୀରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅବସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଥିଲା ଉତ୍ସବମୁଖର । ଏକାଦଶୀରେ ଶ୍ରୀମନ୍ଦିରରେ ରୁକ୍ମିଣୀ ଓ ମହାପ୍ରଭୁଙ୍କ ବିବାହ ସମ୍ପନ୍ନ ପରେ ଶନିବାର ଥିଲା ଗୁଆଲି ଯାତ୍ରା । ସେବାୟତ ଓ ଭକ୍ତଙ୍କ ଗହଣରେ ଏକ ବର୍ଣ୍ଣାଢ୍ୟ  ପଟୁଆରରେ ଦେବ-ଦମ୍ପତି ନଗର ପରିକ୍ରମା କରିଥିଲେ । ପରିକ୍ରମା ପଥରେ ଦେବଦମ୍ପତିଙ୍କୁ ସ୍ୱାଗତ କରିଥିଲେ ସାହି ବାସିନ୍ଦା । ଠାକୁରଙ୍କ ପରିକ୍ରମା ମାର୍ଗ ଉଜ୍ୱଳ ଆଲୋକମାଳାରେ ଉଦ୍ଭାସିତ ହେଉଥିଲା । ପାରମ୍ପରିକ ବାଦ୍ୟ ଓ  ମନ୍ତ୍ର ଧ୍ୱନି ସାଙ୍ଗକୁ ଲୋକ ନୃତ୍ୟର ତାଳରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସାହି ଦୁଲୁକିଥିଲା । ଶ୍ରୀନହର ଅଭିମୁଖେ ଦେବଦମ୍ପତିଙ୍କ ପଟୁଆରରେ ଶ୍ରୀମନ୍ଦିରରୁ  ବାହାରିବା ବେଳକୁ ରାତି ୧୦ ପାର ହୋଇଥିଲା ।  

ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି  ଅବସରରେ ଘଣ୍ଟ ଛତା ଯାତ ଭୋଗ ଓ ମଧ୍ୟାହ୍ନ  ଧୂପ ସରିଲା ସନ୍ଧ୍ୟା ୭ଟା୩୫ମିନିଟ୍‌ରେ । ଏହାପରେ ଯଥାବିଧି ଦେବଦମ୍ପତିଙ୍କୁ ବନ୍ଦାପନା ପରେ ବରକନ୍ୟା  ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପରେ ପାଲିଙ୍କିରେ ବିଜେ  ହୋଇ ଶ୍ରୀମନ୍ଦିରରୁ ବାହାରି ପ୍ରଥମେ ଶ୍ରୀନହରରେ ଦେବଦେବୀ ଉଭା ହେଲେ । ଗଜପତି ମହାରାଜା  ଦିବ୍ୟସିଂହ ଦେବ ଦେବଦମ୍ପତିଙ୍କୁ ପାଛୋଟି ନେଇ ନଅର ଅଗଣା ଭିତରେ ପଡ଼ିଥିବା ଖଟରେ ବିଜେ କରାଇଥିଲେ । ସେଠାରେ ପଞ୍ଚୋପଚାରରେ ପୂଜା ହୋଇଥିଲା । ମହାସୁଆରମାନେ ପିଠା ତିଆରି  କରିଥିଲେ । ପୂଜାପଣ୍ଡାମାନେ ମଣୋହି କରାଇଥିଲେ ।  ପ୍ରସାଦ ଲାଗି ସହ ବନ୍ଦାପନା ବଢ଼ିଥିଲା । ଗଜପତି  ମହାରାଜା ଦେବଦମ୍ପତିଙ୍କୁ ବନ୍ଦାପନା କରି  ଚାମର ଆଲଟ କରିଥିଲେ । ରାଜପରିବାର ବର୍ଗ ଠାକୁର ଠାକୁରାଣୀଙ୍କୁ ବନ୍ଦାପନା କରିଥିଲେ ।

ମହାଜନ ସେବକମାନେ ଦେବତାଙ୍କୁ ହାତରେ  ଆଣି ପୁନଃ ପାଲିଙ୍କିରେ ବିଜେ କରାଇଥିଲେ ।  ସେଠାରୁ ବରକନ୍ୟାଙ୍କ ପଟୁଆର ବାଲି ସାହି ଓ ହରଚଣ୍ଡୀ ସାହି ଦେଇ ଶ୍ରୀଯମ୍ବେଶ୍ୱରଙ୍କ ମନ୍ଦିର  ଅଭିମୁଖେ ବାହାରି ଥିଲେ । ବାସିନ୍ଦାଙ୍କ ଉଦ୍ୟମରେ ସାହିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।  ବିଭିନ୍ନ ସ୍ଥାନରେ ସହରବାସୀ ରାସ୍ତାରେ ଝୋଟି  ପକାଇ ଥିଲେ । ପାରମ୍ପରିକ ଶୈଳୀରେ ଠାକୁରଙ୍କ  ପଥକୁ ସୁସଜ୍ଜିତ କରିଥିଲେ । ଦେବଦମ୍ପତିଙ୍କ  ନଗର ପରିକ୍ରମା ସମୟରେ ବିଭିନ୍ନ ଅନୁଷ୍ଠାନ  ଓ ବ୍ୟକ୍ତି ବିଶେଷ ପନ୍ତି ଅର୍ପଣ କରାଯାଇଥିଲା ।  ଶତାଧିକ ସେବକ ଓ ଭକ୍ତଙ୍କ ଗହଣରେ  ଠାକୁର ଠାକୁରାଣୀ ଯମ୍ବେଶ୍ୱରଙ୍କ ମନ୍ଦିରରେ  ବିଜେ ହୋଇଥିଲେ । ସେଠାରେ ପଞ୍ଚୁଗ୍ରାସୀ  ଭୋଗ ବିଧି ସମ୍ପନ୍ନ ହୋଇଥିଲା । ବନ୍ଦାପନା  ପରେ ଦେବଦମ୍ପତି ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ତେବେ ନୀତି ବିଳମ୍ବ ଥିବାରେ ବାହା ଦିଅଁ ବିଳମ୍ବରେ ଶ୍ରୀମନ୍ଦିରରୁ ବାହାରୁଥିବା ସୂଚନା  ରହିଛି । ଠାକୁରଙ୍କ ଯାତ୍ରା ପାଇଁ ବିଳମ୍ବିତ ରାତି  ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଉତ୍ସବମୁଖର ରହିଥିଲା ।