ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପକ୍ରିୟା ଜାରି ରହିଛି। ଏହା ଭିତରେ ଏନ୍ସିପି ମୁଖ୍ୟ ଅଜିତ ପାଓ୍ବାର ବାରାମତି ବିଧାନସଭା ଆସନରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ହୋଇପଡିଥିଲେ ଇମୋସନାଲ। ଏହା ସହ ସେ ଶରଦ ପାଓ୍ବାରଙ୍କ ଉପରେ ପରିବାର ଭିତରେ ବିବାଦ ସୃଷ୍ଟି କରିବା ନେଇ ଅଭିଯୋଗ କରିଛନ୍ତି।
ଅଜିତ ପାଓ୍ବାର କହିଛନ୍ତି, ମୋତେ ପରେ ଅନୁଭବ ହେଲା ସୁନେତ୍ରାଙ୍କୁ ସୁପ୍ରିୟାଙ୍କ ବିରୋଧରେ ଠିକ କରିବାର ନଥିଲା। ମୋ ଦ୍ବାରା ଭୁଲ ହୋଇଯାଇଛି, ମୁଁ ଏଥିପାଇଁ କ୍ଷମା ମାଗିଥିଲି, କିନ୍ତୁ ଲୋକେ ତା’ର ନିଷ୍ପତ୍ତି କରିସାରିଥିଲେ। ମୋତେ ଲାଗୁଛି ଅନ୍ୟଲୋକମାନେ ମଧ୍ୟ ଠିକ୍ ସେଭଳି ଭୁଲ କରୁଛନ୍ତି। ମୁଁ ଓ ମୋର ପରିବାର ପୂର୍ବରୁ ବାରାମତିରେ ଫର୍ମ ଦାଖଲ କରିବା ନେଇ ସହମତ ହୋଇଥିଲେ, କିନ୍ତୁ ଏଭଳି ହେଲାନି। ଚ୍ୟାଲେଞ୍ଜ ପରେ ଆମେ ସ୍ଥିତି ସୁଧାରିବାରେ ସଫଳ ହେଲା। ମୋ ମା’ ବହୁତ ସହଯୋଗୀ ଥିଲେ। ସେ ପରାମର୍ଶ ଦେଇଥିଲେ ଯେ, ତାଙ୍କୁ (ଶରଦ ଗୋଷ୍ଠୀ) ଅଜିତ ପାଓ୍ବାରଙ୍କ ବିରୋଧରେ ନିଜର ପ୍ରାର୍ଥୀ ଠିଆ କରିବା ଉଚିତ ନଥିଲା।
ନିର୍ବାଚନ ପୂର୍ବରୁ ସାହେବ(ଶରଦ ପାଓ୍ବାର)ଙ୍କୁ ନିଜ ଘର କଥା ଠିକ୍ରେ ଦେଖିବା ଉଚିତ। ମୁଁ ଏଥିପାଇଁ କହୁଛି, କାରଣ ମୋ’ ନିଜର ଘର ସଫାସୁତୁରା ନୁହେଁ। ତେଣୁ କହିବା ସମୟରେ ମୋତେ ସବୁ ଦିଗକୁ ଦେଖିବାକୁ ପଡୁଛି। ଘରର ଝଗଡା ଚାରିକାନ୍ଥ ଭିତରେ ରହିବା ଦରକାର। ସମ୍ପର୍କୀୟ ମିଳିମିଶି ଏକାଠି ରହିଲେ ଆଗକୁ ବଢିପାରିବେ।
ଉଲ୍ଲେଖନୀୟ ଯେ, ପୁତୁରା ଅଜିତ ପାଓ୍ବାରଙ୍କ ବିରୋଧରେ ଶରଦ ପାଓ୍ବାର ନିଜ ନାତିଙ୍କୁ ଏଥର ନିର୍ବାଚନରେ ଠିଆ କରାଇଛନ୍ତି। ଶରଦଙ୍କ ନାତି ତଥା ଯୁବପ୍ରାର୍ଥୀ ହେଉଛନ୍ତି ଯୁଗେନ୍ଦ୍ର ପାଓ୍ବାର। ଯୁଗେନ୍ଦ୍ର ହେଉଛନ୍ତି ଅଜିତ ପାଓ୍ବାର ବଡ ଭାଇ ଶ୍ରୀନିବାସଙ୍କ ପୁଅ। ନାତିକୁ ପୁତୁରା ଅଜିତଙ୍କ ବିରୋଧରେ ପ୍ରାର୍ଥୀ ଭାବରେ ଠିକ୍ କରାଇବା ପରେ ଶରଦ କରିଛନ୍ତି ଭବିଷ୍ୟବାଣୀ। ସେ କହିଛନ୍ତି, ଯୁଗେନ୍ଦ୍ର ବିଦେଶରେ ଶିକ୍ଷା ଲାଭ କରିଛନ୍ତି ଏବଂ ଉଚ୍ଚ ଶିକ୍ଷିତ। ଦଳ ଆଉ ଏକ ଯୁବ ନେତାଙ୍କୁ ସୁଯୋଗ ଦେଇଛି। ମୋର ପୁରା ବିଶ୍ବାସ ବାରମତିର ଜନତା ନୂଆ ପୀଡିର ନେତୃତ୍ବ ସ୍ବୀକାର କରିବେ।’