ନୂଆଦିଲ୍ଲୀ: ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ରୋହିତ ଶର୍ମା ଏବେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ। ରୋହିତଙ୍କ ଦିନିକିଆ ଖେଳିବା ନେଇ ଅନେକ ପ୍ରଶ୍ନ ଉଠୁଛି । ୩୮ ବର୍ଷୀୟ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ସମାଲୋଚନା କରାଯାଉଛି । କିନ୍ତୁ ଜଣେ ପୂର୍ବତନ କ୍ରିକେଟର ରୋହିତଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି । ସେ ରୋହିତଙ୍କୁ ଦୀର୍ଘ ସମୟ ଧରି ଦିନିକିଆ ଖେଳିବା ପାଇଁ ପ୍ରଶଂସା କରିଛନ୍ତି । ସେ ରୋହିତଙ୍କୁ ତାଙ୍କ ଫିଟନେସ ଉପରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ, ରୋହିତ ପ୍ରତିଦିନ ୧୦ କିଲୋମିଟର ଦୌଡ଼ିଲେ ହିଁ ତାଙ୍କ ଫିଟନେସରେ ଉନ୍ନତି ଆସିବ। ଏକ ସାକ୍ଷାତକାର ସମୟରେ ରୋହିତ ଶର୍ମାଙ୍କ ODI କ୍ରିକେଟରୁ ଅବସର ନେବାର ପ୍ରଶ୍ନରେ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ କହିଛନ୍ତି ଯେ, ରୋହିତଙ୍କ ପାଖରେ ଏବେ ବି ବହୁତ ଖେଳିବା ବାକି ରହିଛି । ସେ କହିଛନ୍ତି, ‘ଅନେକ ଲୋକ ରୋହିତ ଶର୍ମାଙ୍କ ବିଷୟରେ ବହୁତ କଥା କୁହନ୍ତି। ସେ ସବୁଠାରୁ ଦାୟିତ୍ୱବାନ ଖେଳାଳି। ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ସମସ୍ତେ ଏହା ଦେଖିଥିବେ। ସେ ଯେଉଁଭଳି ବ୍ୟାଟିଂ କରିଥିଲେ, ଗୋଟିଏ ପଟେ ତାଙ୍କର ବ୍ୟାଟିଂ ଏବଂ ଅନ୍ୟ ପଟେ ଦଳର ଅନ୍ୟ ଖେଳାଳିମାନେ। ଏହା ତାଙ୍କର କ୍ଲାସ୍।’
ରୋହିତ ଶର୍ମା ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୩ ବଲରୁ ୭୬ ରନ କରି ଭାରତକୁ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଦେଇଥିଲେ । ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ। ଯୋଗରାଜ କହିଛନ୍ତି ଯେ, ଏହି ଇନିଂସ ରୋହିତଙ୍କ ୫୦ ଓଭର କ୍ରିକେଟରେ ଅତୁଳନୀୟ ଦକ୍ଷତାର ପ୍ରମାଣ ଥିଲା। ଯୁବରାଜ ସିଂହଙ୍କ ବାପା କହିଛନ୍ତି, ‘ରୋହିତ, ଆମକୁ ଆହୁରି ୫ ବର୍ଷ ପାଇଁ ତୁମର ଆବଶ୍ୟକତା ଅଛି । ତେଣୁ ତୁମର ଫିଟନେସ ଉପରେ କାମ କର। ଚାରି ଜଣ ଲୋକଙ୍କୁ ନିଯୁକ୍ତି ଦିଅ, ପ୍ରତିଦିନ ସକାଳେ ୧୦ କିଲୋମିଟର ଦୌଡ଼।’
ପ୍ରତି ଦିନ ୧୦ କିଲୋମିଟ ଦୌଡ଼ିଲେ ରୋହିତ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଭଲ ଖେଳିପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି ଯୋଗରାଜ । ସେ ଆହୁରି କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ରୋହିତ ଘରୋଇ କ୍ରିକେଟ୍ ଖେଳିବା ଉଚିତ। ତୁମେ ଯେତେ ଅଧିକ ଖେଳିବ, ସେତେ ଅଧିକ ଫିଟ୍ ହେବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଦେଖିବାକୁ ମିଳିପାରେ। ସେମାନେ ଚାମ୍ପିଅନ୍ସ ଟ୍ରଫି ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି।