ମାଲକାନଗିରି, ୩୦/୧୧: ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଡିଏନକେ ଖେଳ ପଡିଆରେ ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଟିମ୍ ଏବଂ ବିଭିନ୍ନ ଗଣମାଧ୍ୟମର ଭିଡିଓ ଜର୍ଣ୍ଣାଲିଷ୍ଟ ଏଦାଦଶ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଛି । ୧୫ ଓଭର ବିଶିଷ୍ଟ ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭିଡିଓ ଜର୍ଣ୍ଣାଲିଷ୍ଟ ଟିମ୍ । ନିର୍ଦ୍ଧାରିତ ୧୫ ଓଭରରେ ଦଳ ୬ ଓ୍ବିକେଟ୍ ହରାଇ ୧୩୯ ରନ କରିବାରେ ସକ୍ଷମ ହୋଇଥିଲା । ୧୪୦ ରନ୍ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଚିକିତ୍ସିକ ଏକାଦଶ । ଦଳ ଜର୍ଣ୍ଣାଲିଷ୍ଟ ଟିମର ବୋଲରଙ୍କ ସାମ୍ନାରେ ସଂଘର୍ଷ କରିଥିଲା । ନିର୍ଦ୍ଧାରିତ ୧୫ ଓଭରରେ ୭ଟି ଓ୍ବିକେଟ୍ ହରାଇ ମାତ୍ର ୧୨୫ ରନ୍ କରି ପାରିଥିଲା । ଯାହାଫଳରେ ଏହି ମ୍ୟାଚକୁ ଜୋର୍ଣ୍ଣାଲିଷ୍ଟ ଟିମ୍ ୧୫ରନରେ ବିଜୟ ହାସଲ କରିଛି । ଡାକ୍ତର ଏକାଦଶ ପକ୍ଷରୁ ଡା ଅଭିଷେକ ୩୩ ବଲରେ ସର୍ବାଧୂକ ୫୨ରନ ସଂଗ୍ରହ କରିଥିବା ବେଳେ ଭିଡିଓ ଜର୍ଣ୍ଣାଲିଷ୍ଟ ଦଳ ପକ୍ଷରୁ ସଂଜୟ ସର୍ବାଧିକ ୨୧ଟି ବଲ ଖେଳି ୨୨ରନ ସଂଗ୍ରହ କରିଥିଲେ।
ଏହି ବନ୍ଧୁତ୍ଵପୂର୍ଣ ମ୍ୟାଚକୁ ସହଯୋଗ କରିଥିଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ। ମ୍ୟାଚର ବିଜୟୀ ଭିଡିଓ ଜୋର୍ଣ୍ଣାଲିଷ୍ଟ ଟିମକୁ ୨୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଉଭୟ ଟିମ୍ର ସର୍ବାଧିକ ଛକା ଏବଂ ଚୌକା ମାରିଥିବା ବ୍ୟାଟରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ମୁଖ୍ୟ ଉପଦେଷ୍ଟା ରତ୍ନାକର ଦାଶ, ସାମ୍ବାଦିକ ଜିତେନ୍ଦ୍ର ବେଉରିଆ ଏବଂ ଦେବବ୍ରତ ସାନା, ଏ ଈଶ୍ବର ରାଓ, ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବିଜୟୀ ଟିମକୁ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ବେଉରିଆ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ମ୍ୟାନେଜର ସତବୀର ସିଂ ରିୟାର ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।