ଭୁବନେଶ୍ୱର,୦୬/୦୮: ରାଜଧାନୀରୁ ଡେଙ୍ଗୁ ଚିନ୍ତା ଯାଇନି । ଏବେ ଥରାଇଲାଣି ମ୍ୟାଲେରିଆ । ଗୋଟିଏ ପଟେ ଡେଙ୍ଗୁ ରୋକିବାକୁ ନେଇ ସ୍ୱାସ୍ଥ୍ୟ ବିଭାଗ କସରତ ଚଲାଇଥିବା ବେଳେ ମ୍ୟାଲେରିଆ ବୋଝ ଉପରେ ନଳିତା ବିଡ଼ା ପାଲଟିଛି । ଗତ ୩ ମାସରେ ଭୁବନେଶ୍ୱରରେ ୭୬ ମ୍ୟାଲେରିଆ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କଲାଣି । ସେଥିମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ କେବଳ ୬୩ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏବେ ଭୁବନେଶ୍ୱରର ସମସ୍ତ ୨୨ଟି ୟୁପିଏଚସି, ବିଏମସି ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ସମେତ ୩ଟି ୟୁସିଏଚସିରେ ମ୍ୟାଲେରିଆ ପରୀକ୍ଷା ଚାଲିଛି । ଗତ ଏପ୍ରିଲ ମାସରେ ୩୫୫୨ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୧୪ଜଣ ରୋଗୀ ଚିହ୍ନଟ ହୋଇଥିଲେ । ଏପ୍ରିଲରେ ୩୭୬୩ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୨୬ ଓ ମେ ମାସରେ ସର୍ବାଧିକ ୪୬୭୨ଜଣଙ୍କ ଟେଷ୍ଟ ହୋଇଥିଲା । ଏହି ମାସରେ ୩୬ଜଣ ରୋଗୀ ବାହାରିଛନ୍ତି । ତେବେ ମ୍ୟାଲେରିଆରେ କେହି ମୃତ ହୋଇନଥିବା ଜଣାପଡ଼ିଛି ।
ସେହିପରି ଭୁବନେଶ୍ୱରରେ ଆଜି ସୁଦ୍ଧା ୨୦୮ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । କେବଳ ଭୁବନେଶ୍ୱରରେ ନୁହେଁ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ପରେ ଅନୁଗୁଳ ଜିଲ୍ଲାରେ ମ୍ୟାଲେରିଆ ମୁଣ୍ଡ ଟେକିଛି । ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣ ଉପରେ ଲଗାମ କଷିବାକୁ ୨୦୧୭ରେ ଆରମ୍ଭ ହୋଇଥିଲା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ (ଦମନ) । ହେଲେ ଏହି ଯୋଜନା ଫେଲ୍ ମାରିଛି । ସଂକ୍ରମଣ କମିବା ପରିବର୍ତ୍ତେ ଉପରମୁହାଁ ହେଉଛି ।
ଏନ୍ଭିବିଡିସିପି ରିପୋର୍ଟ ଅନୁସାରେ, ଚଳିତବର୍ଷ ମେ' ସୁଦ୍ଧା ଦେଶରେ ୬୪,୨୪୫ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ସେଥିରେ କେବଳ ଓଡ଼ିଶାରୁ ୨୪,୪୭୨ଜଣ ରୋଗୀ ଅଛନ୍ତି । ଏବେ ଦମନ ଅନ୍ତର୍ଗତ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଇ-ଏଲ୍ଏଲ୍ଆଇଏନ୍ ମଶାରି ବଣ୍ଟନ ହେଉଛି ।
ପ୍ରକାଶ ଥାଉ କି, ୨୩ଟି ଜିଲ୍ଲାରେ ମ୍ୟାଲେରିଆ ସକ୍ରିୟ ରହିଛି । ୨ବର୍ଷ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଗତ ୯ବର୍ଷରେ ରାଜ୍ୟରେ ୧୫୨ଜଣ ବ୍ୟକ୍ତି ମ୍ୟାଲେରିଆରେ ଜୀବନ ହରାଇଛନ୍ତି । ୨୦୧୬ରୁ ୨୦୨୪ ମସିହା ମଧ୍ୟରେ ରାଜ୍ୟରେ ମୋଟ ୧୧ଲକ୍ଷ ୨୬୯ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି ।