ନୂଆଦିଲ୍ଲୀ ୨୯/୦୬: ଅଷ୍ଟ୍ରେଲିଆର କାନବେରାରେ ରହୁଥିବା ଜୋସେଫ୍ ମ୍ୟାକଗ୍ରେଲ-ବେଟଅପ୍ ଏବେ ଚର୍ଚ୍ଚାରେ । ଜୋର୍‌ରେ ଚିତ୍କାର କରି ସେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ଗତ ସପ୍ତାହରେ ୫୮ ବର୍ଷୀୟ ଜୋସେଫ୍‌ଙ୍କୁ ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠୁ ଜୋର୍‌ରେ ଚିତ୍କାର କରୁଥିବା ବ୍ୟକ୍ତି ଭାବେ ମାନ୍ୟତା ମିଳିଛି । ରେକର୍ଡ ସ୍ଥାପନ ଲାଗି ଜୋସେଫ୍ ୧୨୨.୪ ଡେସିବେଲ୍ ତୀବ୍ରତାରେ ‘ନାଓ’ ଶବ୍ଦ ଉଚ୍ଚାରଣ କରିଥିଲେ । ଏତେ ଜୋର୍ ଶବ୍ଦ ମଣିଷର ଶ୍ରବଣ ଶକ୍ତିକୁ ଖରାପ କରିପାରେ । ଏହା ରକ୍ କନ୍‌ସର୍ଟ ଏବଂ ଜେଟ୍ ବିମାନ ଟେକଅଫ୍ କରିବାବେଳେ ସୃଷ୍ଟି ହେଉଥିବା ଶବ୍ଦର ସ୍ତର ସହ ସମାନ ।

ସୂଚନା ଅନୁସାରେ, ଜୋସେଫ୍‌ଙ୍କ ପେସା ତାଙ୍କୁ ଏଥିଲାଗି ଅନେକାଂଶରେ ସହାୟତା କରିଛି । ୨୦୧୭ରେ ତାଙ୍କୁ କାନବେରାର ଆନୁଷ୍ଠାନିକ ଟାଉନ୍ କ୍ରାୟର(ଘୋଷଣା କରୁଥିବା ବ୍ୟକ୍ତି) ଭାବେ ନିଯୁକ୍ତି ମିଳିଥିଲା । ଏହି ପଦରେ ନିଯୁକ୍ତ ଲୋକଙ୍କୁ ସାର୍ବଜନୀନ କାର୍ଯ୍ୟକ୍ରମରେ ବଡ଼ ପାଟିରେ ଘୋଷଣା କରିବାକୁ ହୋଇଥାଏ । ଜୋସେଫ୍ ଅଦ୍ୟାବଧି ଅନେକ କାର୍ ଶୋ’, ସାର୍ବଜନୀନ କାର୍ଯ୍ୟକ୍ରମରେ ଏହି ଦାୟିତ୍ୱ ନିର୍ବାହ କରିସାରିଛନ୍ତି ।

 

ଆହୁରି ପଢ଼ନ୍ତୁ...Akshay Kumar Haiwaan: ସେପ୍ଟେମ୍ବର ୧୧ରେ ଆସିବ ‘ହୈୱାନ’, ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଲେ ନିର୍ମାତା

ଏ ସଂପର୍କରେ ସେ କହିଛନ୍ତି, ବହୁ ଜୋର୍‌ରେ ଚିତ୍କାର କରି ‘ନାଓ’ ଶବ୍ଦ କହିବା ଲାଗି ତାଙ୍କୁ ୭ ଥର ଉଦ୍ୟମ କରିବାକୁ ପଡି଼ଥିଲା । ତେବେ ପରବର୍ତ୍ତୀ କିଛି ଦିନ ଧରି ତାଙ୍କର ଗଳା ଖରାପ ହୋଇଯାଇଥିଲା । ତାହା ଏକ ତିକ୍ତ ଅନୁଭୂତି ଥିଲା । କିନ୍ତୁ ଗିନିଜ୍ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କର ଖୁସିର ଠିକଣା ନାହିଁ । ପୂର୍ବରୁ ଏହି ରେକର୍ଡ ନଦର୍ନ ଆୟରଲ୍ୟାଣ୍ଡର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ନାମରେ ରହିଥିଲା ।