ମୁମ୍ବାଇ: ୨୦୧୯ ପରେ ପ୍ରଥମ ଥର ଘରୋଇ ମୈଦାନରେ ଟି-୨୦ ସିରିଜ୍‌ ଜିତିଛି ଭାରତୀୟ ମହିଳା ଦଳ । ଓ୍ବେଷ୍ଟଇଣ୍ଡିଜ୍‌କୁ ୬୦ ରନ୍‌ରେ ପରାସ୍ତ କରି ସିରିଜ୍‌ ହାତେଇଛି ଟିମ୍‌ । ଗୁରୁବାର ନଭି ମୁମ୍ବାଇରେ ଖେଳାଯାଇଥିବା ସିରିଜ୍‌ର ଶେଷ ଟି-୨୦ ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ଏବଂ ରିଚା ଘୋଷଙ୍କ ଦମଦାର ଅର୍ଦ୍ଧଶତକ ଭାରତୀୟ ଦଳକୁ ଅଭୂତପୂର୍ବ ସଫଳତା ଦେଇଛି । ଏପରିକି ଆଜି ଭାରତୀୟ ଦଳ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନିଜର ସର୍ବାଧିକ ସ୍କୋର କରିପାରିଛି ।  

ଭାରତୀୟ ଟିମ୍‌ ୨୧୭ ରନ୍‌ କରିଥିବା ବେଳେ ଭ୍ରମଣକାରୀ ଦଳ ୧୫୭ ରନ୍‌ରେ ଅଟକି ଯାଇଛି । ଓ୍ବେଷ୍ଟଇଣ୍ଡିଜ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍‌ ହରାଇ ମାତ୍ର ୧୫୭ ରନ୍‌ କରିବାରେ ସକ୍ଷମ ହୋଇଛି । ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ପରେ ବୋଲରଙ୍କ କମାଲ ଦଳକୁ ବିଜୟୀ କରାଇଛି । ଭାରତୀୟ ବୋଲର ରାଧା ଯାଦବ ସର୍ବାଧିକ ୪ ଟି ଓ୍ବିକେଟ ନେଇଥିବା ବେଳେ ରେଣୁକା ଠାକୁର, ସଜୀବନ ସଜନା, ଟିଟସ୍‌ ସାଧୁ ଏବଂ ଦିପ୍ତୀ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେପଟେ ଟିମ୍‌ ଇଣ୍ଡିଆର ଅଧିନାୟକ ସ୍ମୃତି ମନ୍ଧାନା ପ୍ରଥମ ମହିଳା କ୍ରିକେଟର ଭାବରେ ୩୦ଟି ଅନ୍ତର୍ଜାତୀୟ ଟି-୨୦ଅର୍ଦ୍ଧାଶତକ କରି ରେକର୍ଡ କରିଛନ୍ତି ।    

ଟସ୍‌ ଜିତି ବୋଲିଂ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ନିଷ୍ପତ୍ତି ନେଇଥିଲା । ସେପଟେ ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ପ୍ରଥମରୁ ଧିମା ଖେଳିଥିଲା । ଶେଷରେ ସ୍ମୃତି ମନ୍ଧାନା (୭୭), ଜେମିମା ରୋଡ୍ରିଗଜ୍‌  (୩୯), ରାଘଭି ବିଷ୍ଟ (୩୧*), ରିଚା ଘୋଷ (୫୪) ଏବଂ ସଜୀବନ ସଜନା (୪*)ଙ୍କ ବଳରେ ଭାରତୀୟ ଟିମ୍‌ ୨୧୭ ରନ୍‌ କରିଥିଲା ।  ଏହି ରନ୍‌ ଭାରତୀୟ ମହିଳା ଟିମ୍‌ ଲାଗି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ସ୍କୋର ।