କୌଣସି ଦୁର୍ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ । ମାତ୍ର ଦୁର୍ଘଟଣାରେ କୌଣସି ଜୀବନ ହାନି ଅଧିକ ହୃଦୟବିଦାରକ । ଦୁବାଇରେ ଅନୁଷ୍ଠିତ ଏୟାର ପ୍ରଦର୍ଶନୀରେ ଉପସ୍ଥିତ ହଜାର ହଜାର ସଂଖ୍ୟକ ଦର୍ଶକ ଭାରତୀୟ ବାୟୁସେନାର "ତେଜସ୍' ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟର କ୍ଷମତା ଓ କୌଶଳ ପ୍ରଦର୍ଶନ ଦେଖୁଥିଲେ । ଭାରତରେ ନିର୍ମିତ ଏହି "ତେଜସ୍' ବିମାନ ଉଡ଼ାଣ ଭରି ଆକାଶରେ ଗତି କରୁଥିବା ସମୟରେ ହଠାତ୍ ଭୂମିରେ ଖସିପଡ଼ିବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ବଡ଼ ବିସ୍ଫୋରଣ ଘଟିବା ପରେ ହୁତ୍ହୁତ୍ ହୋଇ ଜଳିଯାଇଥିଲା । ଉପସ୍ଥିତ ଦର୍ଶକ ହୋଇଥିଲେ ସ୍ତବ୍ଧ । ଟିଭି ପରଦାରେ ଉକ୍ତ ଦୃଶ୍ୟକୁ ଦେଖୁଥିବା ଦର୍ଶକ ହୋଇଥିଲେ ଚକିତ । ପରବର୍ତ୍ତୀ ସମୟରେ ଭାରତୀୟ ବାୟୁସେନାର ଉକ୍ତ ବିମାନର ପାଇଲଟ ୱିଙ୍ଗ କମାଣ୍ଡର ନମାଂଶ ସାୟଲଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଖେଳିଯାଇଥିଲା ଶୋକର ବାତାବରଣ । ଦୁବାଇ ଏୟାର ପ୍ରଦର୍ଶନୀକୁ ମାତ୍ର କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।
ଦୁବାଇରେ ଅନୁଷ୍ଠିତ ଏହି ପାଞ୍ଚଦିନିଆ ଏୟାର ପ୍ରଦର୍ଶନୀର ଶେଷଦିନରେ, ଅର୍ଥାତ୍ ନଭେମ୍ବର ୨୧ ତାରିଖ (ଶୁକ୍ରବାର) ଅପରାହ୍ଣ ୨ଟା ୧୦ ମିନିଟ୍ରେ ଭାରତୀୟ ଯୁଦ୍ଧବିମାନ "ତେଜସ୍' ଦୁର୍ଘଟଣାଗ୍ରସ୍ତ ହେବା ଦେଶପାଇଁ ଥିଲା ଦୁଃଖଦ ଘଟଣା । ଦୁବାଇ ଏୟାର ପ୍ରଦର୍ଶନୀ ହେଉଛି ଅନ୍ତର୍ଜାତୀୟ ବିମାନର ଏକ ବଡ଼ ପ୍ରଦର୍ଶନୀ । ପ୍ରମୁଖ ଏରୋସ୍ପେସ କମ୍ପାନୀ, ଏୟାରଲାଇନ୍ସ, ବାୟୁସେନା ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ନୂତନ ବିମାନ, ହେଲିକୋପ୍ଟର, ଅସ୍ତ୍ର ପ୍ରଣାଳୀ ଏବଂ ଏରୋସ୍ପେସ ପ୍ରଯୁକ୍ତିବିଦ୍ୟା ଏଠାରେ ପ୍ରଦର୍ଶନ କରିଥାନ୍ତି ।
ଦୁବାଇ ଏୟାର ପ୍ରଦର୍ଶନୀ ୧୯୮୯ ମସିହାରେ ଆରମ୍ଭ ହୋଇଥିଲା ଏବଂ ପ୍ରତି ଦୁଇବର୍ଷରେ ଥରେ ଦୁବାଇ ଅଲ୍ମକତୁମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନୁଷ୍ଠିତ ହୁଏ । ଏହି ପ୍ରଦର୍ଶନୀରେ ଭାରତର "ତେଜସ୍' କମ୍ବାଟ ଏୟାରକ୍ରାଫ୍ଟ ଲଗାତାର ଭାବେ ତିନିଥର ଅଂଶଗ୍ରହଣ କରିଛି । ଏୟାର ପ୍ରଦର୍ଶନୀରେ ଦୁର୍ଘଟଣା ଘଟିବା ପୁଣି ଥରେ ସାରା ବିଶ୍ୱରେ ଆୟୋଜିତ ଏୟାର ଶୋ’ରେ ଘଟିଥିବା ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିକୁ ଉଜାଗର କରିଦେଇଛି, ଯେଉଁଥିରେ ଅନେକ ସଂଖ୍ୟକ ବିମାନ ଧ୍ୱଂସ, ବହୁସଂଖ୍ୟକ ଦର୍ଶକ ଏବଂ ପାଇଲଟ୍ଙ୍କ ଅକାଳ ମୃତ୍ୟୁ ଘଟିଛି । ୨୦୨୫ ମସିହାରେ ପୋଲାଣ୍ଡର ରାଜୋମ ଏୟାର ପ୍ରଦର୍ଶନୀରେ ଏକ "ଏଫ୍- ୧୬' ଜେଟ୍ କମ୍ବାଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମଧ୍ୟ ପାଇଲଟ ମୃତ୍ୟୁବରଣ କରିଛନ୍ତି । ୨୦୨୦ ମାର୍ଚ୍ଚ ମାସରେ ଇସଲାମାବାଦରେ ସାମରିକ ପ୍ୟାରେଡ ପାଇଁ ଅଭ୍ୟାସ ଜାରି ରହିଥିଲାବେଳେ ଗୋଟିଏ "ଏଫ୍-୧୬' କମ୍ବାଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ଜଣେ ପାକିସ୍ତାନୀ ପାଇଲଟ୍ଙ୍କ ଘଟିଥିଲା ବିୟୋଗ ।
୧୯୮୮ ମସିହାରେ ଜର୍ମାନୀରେ ଅନୁଷ୍ଠିତ ରାମ୍ଷ୍ଟାଇନ ଏୟାର ପ୍ରଦର୍ଶନୀରେ ଏକ ଫର୍ମେସନ ଉଡ଼ାଣ ସମୟରେ ତିନିଟି ଇଟାଲୀୟ ଜେଟ୍ ବିମାନଗୁଡ଼ିକ ମଧ୍ୟରେ ଆକାଶମାର୍ଗରେ ଧକ୍କା ହେବା କାରଣରୁ ୭୦ଜଣ ଦର୍ଶକଙ୍କ ମୃତ୍ୟୁ ଘଟିଥିଲା ଏବଂ ଶହ ଶହ ଦର୍ଶକ ହୋଇଥିଲେ ଆହତ । ବିଶ୍ୱର ଭୟଙ୍କର ଏୟାର ପ୍ରଦର୍ଶନୀ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ଅନ୍ୟତମ । ସେହିପରି ୨୦୧୫ ମସିହାରେ ଇଂଲଣ୍ଡର ଶୋରହାମ୍ ଏୟାର ପ୍ରଦର୍ଶନୀରେ ଏକ ହକ୍ ହଣ୍ଟର୍ ଜେଟ୍ ବିମାନ ବ୍ୟସ୍ତବହୁଳ ରାସ୍ତାରେ ଚାରିଟି କାର୍ ସହ ଧକ୍କାଦେବା ଫଳରେ ୧୧ଜଣ ମୃତ୍ୟୁବରଣ କରିଥିଲେ ।
ଭାରତରେ ନିର୍ମିତ "ତେଜସ୍' ବିମାନ ବହୁତ କମ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । "ତେଜସ୍'ର ୨୪ବର୍ଷ ଇତିହାସରେ ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ୨୦୨୪ ମାର୍ଚ୍ଚ ମାସ ୧୨ ତାରିଖରେ ଏକ ସାମରିକ ଯୁଦ୍ଧାଭ୍ୟାସରେ ରାଜସ୍ତାନର ଜୈସଲମେରରେ ଘଟିଥିଲା, ମାତ୍ର ପାଇଲଟ୍ ସୁରକ୍ଷିତ ଭାବରେ ବିମାନରୁ ବାହାରକୁ ବାହାରି ଆସିବାରେ ସଫଳ ହୋଇ ଦୁର୍ଘଟଣାରୁ ଜୀବନ ବଞ୍ଚାଇ ପାରିଥିଲେ ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ "ତେଜସ୍' ଭାରତର ହାଲୁକା ଯୁଦ୍ଧ ବିମାନ । ଦୀର୍ଘ ୪୨ବର୍ଷର କଠିନ ପରିଶ୍ରମ ଓ ବହୁ ପରୀକ୍ଷାନିରୀକ୍ଷା ପରେ ଏହାକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହାର ଡିଜାଇନ୍, ନିର୍ମାଣ ଆମ ଦେଶରେ ହିଁ ହୋଇଥିବାରୁ ଏହି ଅଘଟଣ ସମଗ୍ର ଦେଶବାସୀଙ୍କୁ କରିଛି ବ୍ୟଥିତ । ଦୁର୍ଘଟଣାର କାରଣ ଯାହା ହେଉନା କାହିଁକି, ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଭାରତର ଭୂମିକା ସହ ଏହା ଜଡ଼ିତ । ଥରେ ସୁନାମ ହରାଇବା ପରେ ପୁଣି ପୁନଃସ୍ଥାପନ ନିଶ୍ଚିତ ଭାବେ କଷ୍ଟକର ତଥା ସମୟସାପେକ୍ଷ ।
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚ୍.ଏ.ଏଲ୍.) ଡିଫେନ୍ସ ପବ୍ଲିକ ସେକ୍ଟର ୟୁନିଟ୍ ଦ୍ୱାରା ନିର୍ମିତ "ତେଜସ୍ ମାର୍କ ୧ଏ' ହେଉଛି ୪.୫ ଜେନରେସନ୍ର ଏୟାରକ୍ରାଫ୍ଟ । ଯେଉଁ "ତେଜସ୍' ବିମାନ ଦୁବାଇ ଏୟାର ପ୍ରଦର୍ଶନୀରେ ଧ୍ୱଂସ ହେଲା, ଏହାର ଦୁଇଟି ସ୍କ୍ୱାର୍ଡନ (ପ୍ରାୟ ୩୬ ସଂଖ୍ୟକ ବିମାନ) ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଛି । ୨୦୨୩ ନଭେମ୍ବର ୨୫ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶରେ ନିର୍ମିତ ଏହି "ତେଜସ୍' ବିମାନରେ ବାଙ୍ଗାଲୁରଠାରେ ଉଡ଼ାଣ ଭରିଥିଲେ । ସ୍ୱଦେଶୀ ଫାଇଟର ଏୟାରକ୍ରାଫ୍ଟରେ ଦେଶର ପ୍ରଧାନମନ୍ତ୍ରୀ ଉଡ଼ାଣ ଭରିବା ଥିଲା ପ୍ରଥମ ଘଟଣା । ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର-ଚିଫ୍-ମାର୍ଶାଲ ଏ.ପି. ସିଂହ ଏହି "ତେଜସ୍' ବିମାନର ଫର୍ମେସନ ଉଡ଼ାଣରେ ମୁଖ୍ୟ ଭୂମିକା ଗ୍ରହଣ କରି ୟୁରୋ-ଫାଇଟର୍ "ଟାଇଫୁନ୍' ବିମାନରେ ଉଡ଼ାଣ ଭରୁଥିବା "ଲୁଫ୍ଓ୍ବାଫେ' ଏୟାର ଚିଫ୍ଙ୍କୁ ସ୍ୱାଗତ କରିଥିଲେ । ଏଭଳି ଉଡ଼ାଣ ୨୦୨୪ ଅଗଷ୍ଟ ମାସରେ ହୋଇଥିବା "ତରଙ୍ଗ-ଶକ୍ତି' ନାମିତ ବାୟୁସେନା ଯୁଦ୍ଧାଭ୍ୟାସରେ ପ୍ରଦର୍ଶିତ ହୋଇଥିଲା ।
ବାୟୁସେନାର ଜଣେ ପାଇଲଟ୍ଙ୍କ ବିଭିନ୍ନ ପ୍ରକାରର ଉଡ଼ାଣ ଟ୍ରେନିଂ ପ୍ରଦାନ କରାଯାଇଥାଏ । ସେଥିପାଇଁ ବହୁ ସମୟ ତଥା କଠିନ ପରିଶ୍ରମ କରିବାକୁ ପଡ଼େ । ଦୀର୍ଘ ସମୟର ଟ୍ରେନିଂ ସୁଚାରୁ ଭାବେ ପ୍ରଦାନ ପରେ ହିଁ ଜଣେ ଦକ୍ଷ ପାଇଲଟ୍ ଭାବେ ଉଡ଼ାଣ ଭରିବାକୁ ସମର୍ଥ ହୋଇପାରିଥାନ୍ତି । ସେଥିପାଇଁ ଦେଶ ମଧ୍ୟ ବହୁ ପରିମାଣର ଅର୍ଥ ବ୍ୟୟ କରିଥାଏ । ଏୟାର ପ୍ରଦର୍ଶନୀରେ ଭାଗ ନେଉଥିବା ଦଳ ଉଡ଼ାଣ ପାଇଁ ସବୁଠୁ ଦକ୍ଷ, କୁଶଳୀ, ପାରଦର୍ଶୀ, ଅଭିଜ୍ଞ ପାଇଲଟ୍ଙ୍କୁ ବାଛିଥାନ୍ତି । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସର୍ବଶ୍ରେଷ୍ଠ ସୁଦକ୍ଷ ପାଇଲଟ୍ଙ୍କୁ ଉଡ଼ାଣ ଭରିବାକୁ ସବୁଜ ସଙ୍କେତ ଦେଇଥାଏ । କାରଣ, ତାଙ୍କର ଦକ୍ଷତା କେବଳ ବାୟୁସେନା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଖୁବ୍ ଗୁରୁତ୍ୱ ବହନ କରେ । ୱିଙ୍ଗ୍ କମାଣ୍ଡର ନମାଂଶ ସାୟଲ ଜଣେ ଦକ୍ଷ, ଅଭିଜ୍ଞ ତଥା ବହୁ ସମ୍ମାନରେ ବିଭୂଷିତ ପାଇଲଟ୍ଙ୍କ ଅକାଳ ମୃତ୍ୟୁ ଏକ ଅପୂରଣୀୟ କ୍ଷତି । ଏହି "ତେଜସ୍' କମ୍ବାଟ ବିମାନ ଦୁର୍ଘଟଣାର ମୂଳ କାରଣ ଅନୁଷ୍ଠିତ କୋର୍ଟ-ଅଫ୍-ଇନ୍କ୍ବାରୀ ଅନୁଧ୍ୟାନ କରି ମତ ପ୍ରଦାନ ପରେ ହିଁ ପରବର୍ତ୍ତୀ ପ୍ରତିକାର ପଦକ୍ଷେପ ନିଆଯିବ, ମାତ୍ର ଏବେ ଦୁର୍ଘଟଣାର କାରଣ ସମ୍ପର୍କରେ ମତାମତ ପ୍ରକାଶ କରିବା ସମୀଚୀନ ନୁହେଁ ।
ଭାରତୀୟ ବାୟୁସେନାରେ "ମିଗ୍-୨୧' ଲଢୁଆ ବିମାନ ଷାଠିଏ ଦଶକରେ ତତ୍କାଳୀନ ସୋଭିଏତ୍ ରୁଷିଆରୁ ଆହରଣ କରାଯାଇଥିଲା । ୧୯୬୬ ମସିହାରୁ ୧୯୮୪ ମସିହା ମଧ୍ୟରେ ଆହରଣ ତଥା ଭାରତରେ ନିର୍ମିତ ୮୪୦ ସଂଖ୍ୟକ "ମିଗ୍-୨୧' ବିମାନ ମଧ୍ୟରୁ ଅର୍ଦ୍ଧାଧିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇଯାଇଥିଲା । ୧୭୦ରୁ ଅଧିକ ସଂଖ୍ୟକ ପାଇଲଟ୍, ୪୦ଜଣ ସାଧାରଣ ନାଗରିକଙ୍କ ଜୀବନହାନି କାରଣରୁ ଏହି ବିମାନ "ଉଡ଼ନ୍ତା କଫିନ' ଭାବେ ସାଧାରଣରେ ହୋଇଥିଲା ବିଦିତ । ସେଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ "ତେଜସ୍' ନିର୍ମାଣ ପ୍ରକଳ୍ପ ଜୋର୍ ଧରିଥିଲା ।
"ଏଚ୍.ଏ.ଏଲ୍' ଦ୍ୱାରା "ତେଜସ୍' ନିର୍ମାଣ ଉଦ୍ୟମ ଅନେକ ରାଜନୈତିକ କ୍ଷମତା ପରିବର୍ତ୍ତନ ମଧ୍ୟଦେଇ ଅଗ୍ରଗତି କରିଛି । କିନ୍ତୁ ଭାରତୀୟ ପ୍ରଯୁକ୍ତି ଗବେଷଣା ଓ ଉନ୍ନତି ସେଭଳି ଉଚ୍ଚକୋଟୀର ସ୍ପର୍ଶ କରିପାରିନାହିଁ, ଯଦ୍ୱାରା ଶତ ପ୍ରତିଶତ ସମ୍ପୂର୍ଣ୍ଣ ଭାରତୀୟ ଅତ୍ୟାଧୁନିକ ଯୁଦ୍ଧ ବିମାନଟିଏ ସମ୍ଭବ ହୋଇପାରିବ । ଏକାଧିକ ଦଶକର ପରିଶ୍ରମ, ବହୁକୋଟି ଟଙ୍କାର ନିବେଶ ପରେ ମଧ୍ୟ "କାବେରୀ' ଇଞ୍ଜିନ ଫଳପ୍ରଦ ନହେବାରୁ ଆମେରିକା ଦ୍ୱାରା ନିର୍ମିତ "ଜିଇ ଏଫ୍ ୪୦୪' ଏବଂ "ଜିଇ ଏଫ୍ ୪୧୪' ଇଞ୍ଜିନ କ୍ରୟ କରି "ତେଜସ୍'ରେ ଖଞ୍ଜିବା ଅନିବାର୍ଯ୍ୟ ହୋଇଥିଲା । ପ୍ରଶ୍ନ ଉଠୁଛି ଯେ, ସ୍ୱିଡେନ ଭଳି ଦେଶ ମାତ୍ର ୧୦ବର୍ଷରେ ଏକ ନୂତନ ଯୁଦ୍ଧବିମାନ ନିର୍ମାଣ ପ୍ରକଳ୍ପକୁ ସାକାର କରିଦେଉଥିବା ବେଳେ ଭାରତରେ ଅସହନୀୟ ବିଳମ୍ବ ଘଟୁଛି କାହିଁକି? ଏହାର ଉତ୍ତର ଖୋଜାଯିବା ଆବଶ୍ୟକ ।
ଆମେରିକା ଓ ଚୀନ୍ ପ୍ରଦତ୍ତ ଲଢୁଆ ଅତ୍ୟାଧୁନିକ ବିମାନରେ ପାକିସ୍ତାନ ବାୟୁସେନା ସଜ୍ଜିତ । ଚୀନ୍ ଇତିମଧ୍ୟରେ ତା'ର ବାୟୁସେନାରେ ୬ଷ୍ଠ ପିଢ଼ିର ଅତ୍ୟାଧୁନିକ ବିମାନରେ ବେଶ୍ ଶକ୍ତିଶାଳୀ । ବର୍ତ୍ତମାନ କେତେକ ସାମରିକ ବିଶେଷଜ୍ଞ ମତ ଦିଅନ୍ତି, ଆମ ଦେଶରେ ନିର୍ମିତ "ତେଜସ୍' ଲଢୁଆ ବିମାନର ଇଞ୍ଜିନ ଅନ୍ୟ ଦେଶରୁ ଆହରଣ କରାଯାଇ ସଂଯୋଗ କରାଯିବା ଉଚିତ ହେବ କି? "ଅପରେସନ ସିନ୍ଦୂର' ପରବର୍ତ୍ତୀ ସମୟରେ ସେହି ଚିନ୍ତା ଅଧିକ ତୀବ୍ର ହୋଇଛି । ବିଶେଷଜ୍ଞଙ୍କ ଦୃଷ୍ଟିରେ ଭାରତୀୟ ସେନାର ତିନି ବାହିନୀ ମଧ୍ୟରୁ ବାୟୁସେନା ବାହିନୀ ବିଭିନ୍ନ କାରଣରୁ ସର୍ବାଧିକ ତତ୍ପର । ଭାରତୀୟ ବାୟୁସେନା ୪୨ ସ୍କ୍ୱାର୍ଡନବିଶିଷ୍ଟ ହେବାକୁ କ୍ଷମତା ପ୍ରାପ୍ତ ହୋଇଥିଲେ ମଧ୍ୟ ଏହାର କ୍ଷମତା ୩୧ ସ୍କ୍ୱାର୍ଡନରେ ସୀମିତ । "ମିରାଜ-୨୦୦୦, ଜାଗୁଆର, ମିଗ୍' ବିମାନଗୁଡ଼ିକ ପୁରୁଣା ହେବା କାରଣରୁ ଆମ ବାୟୁସେନାରେ କମ୍ବାଟ୍ ସ୍କ୍ୱାର୍ଡନ ସଂଖ୍ୟା ୨୯କୁ ଖସିଆସିବ । ଏହା ସୃଷ୍ଟିକରୁଛି ଚିନ୍ତାଜନକ ସ୍ଥିତି । ବେଙ୍ଗାଲୁରୁ ଠାରେ ଆୟୋଜିତ ଆନ୍ତର୍ଜାତିକ ଯୁଦ୍ଧବିମାନ ପ୍ରଦର୍ଶନୀ ସମୟରେ ବିମାନବାହିନୀ ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ "ତେଜସ୍' ଯୋଗାଣରେ ଅହେତୁକ ବିଳମ୍ବ ଘେନି ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ । ସଂପ୍ରତି ସ୍ୱଦେଶରେ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିଲେ ମଧ୍ୟ ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ସୃଷ୍ଟି ହେଉଥିବା ତାରତମ୍ୟ ଚିନ୍ତାର କାରଣ ପାଲଟିଛି ।
ଭାରତକୁ ଘୋଟି ରହିଥିବା ଅସୁଖକର ବୈଦେଶିକ ପରିସ୍ଥିତି ଦୃଷ୍ଟିରୁ ବର୍ତ୍ତମାନ ସରକାର ବାୟୁସେନାରେ ଲଢୁଆ ବିମାନର ସ୍କ୍ୱାର୍ଡନ ସଂଖ୍ୟା ବୃଦ୍ଧି କରିବାକୁ ଏହାର ନିର୍ମାଣ ତଥା ଆହରଣ ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରି । ରାଜନୈତିକ ଇଚ୍ଛାଶକ୍ତିର ଦୃଢ଼ତା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ ବୋଲି ଯୁଦ୍ଧ ବିଶାରଦମାନେ ମତ ଦିଅନ୍ତି । ସୁତରାଂ, ଆଶା କରିବା ଯେ ଏହି ଗମ୍ଭୀରତା ବଳବତ୍ତର ରହୁ, ଭାରତର ନିଅଣ୍ଟିଆ ସ୍କ୍ୱାର୍ଡନ ସଂଖ୍ୟା ପୂରଣ ହେବା ସହ "ତେଜସ୍'ର ଅତ୍ୟାଧୁନିକ ସଂସ୍କରଣଗୁଡ଼ିକରେ ବିଦେଶୀ ଇଞ୍ଜିନ ସ୍ଥାନରେ ଭାରତୀୟ ଇଞ୍ଜିନ ସ୍ଥାନିତ ହେଉ । ଏହା ସମ୍ଭବ ହେଲେ, ତାହା ହେବ ଦିବଙ୍ଗତ ପାଲଇଟ୍ ନମାଂଶ ସାୟଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।