ଫିରିଙ୍ଗିଆ,୨୩/୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ରତଙ୍ଗ ପଞ୍ଚାୟତର ଲଦା ଡେଲରପଡା ସାହିରେ ଶୁକ୍ରବାର ପ୍ରାୟ ୧୦ଟା ସମୟରେ ପାଣିରେ ବୁଡ଼ି ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ଡେଲରପଡା ସାହିର ଶତ୍ରୁଘନ ମାଝୀଙ୍କ ସ୍ତ୍ରୀ ମିଲି ସାହୁ (୨୭) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଗରୁ ଦୀର୍ଘ ଦିନ ଧରି ମହିଳା ଜଣଙ୍କ ରୋଗରେ ପୀଡ଼ିତ ଥିବାବେଳେ ଶୁକ୍ରବାର ସକାଳୁ ସେ ଗାଁ ପାଖରେ ଥିବା ଏକ କୁଅକୁ ସବୁ ଦିନ ପରି ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ତାଙ୍କର ରୋଗ ବାହାରି ପଡ଼ିଥିଲା। ଫଳରେ ସେ କୂଅରେ ପଡ଼ି ବୁଡ଼ି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମହିଳାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବାବେଳେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ପରେ ଖବରପାଇ ଥାନା ଅଧିକାରୀ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ମଞ୍ଜୁ ବେହେରାଙ୍କ ସହ ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି । ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ କେଶ ନଂ ୧/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି ।