ଭୁବନେଶ୍ୱର ୦୬/୦୩: ସରିଲା ମାଟ୍ରିକ୍ ପରୀକ୍ଷା। ଏବେ ରେଜଲ୍ଟକୁ ଅପେକ୍ଷା। ଶିକ୍ଷା ବର୍ଷ ୨୦୨୪-୨୫ପାଇଁ ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି। ଆଜି କୌଣସି ପିଲା କପି କରି ଧରା ପଡ଼ି ନାହାନ୍ତି। ମାର୍ଚ୍ଚ ୧୯ରୁ ଦଶମ ଖାତା ଦେଖା ଆରମ୍ଭ ହେବ। ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ନେଇ ଚେଷ୍ଟା କରାଯିବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତ।

ଶେଷ ଦିନରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ତେବେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ସରିଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରୁ ବାହାରିଥିଲେ। ଶେଷ ପରୀକ୍ଷା ସାରି କେନ୍ଦ୍ରରୁ ବାହାରିବା ବେଳେ ପରୀକ୍ଷାର୍ଥୀଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା। ଶେଷ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ନେଇ କହିଛନ୍ତି ପରୀକ୍ଷାର୍ଥୀ। ଏବେ ଖାଲି ରେଜଲ୍ଟକୁ ଅପେକ୍ଷା।

ଚଳିତ ବର୍ଷ ୩ ହଜାର ୧୩୩ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ। ଏଥର ପରୀକ୍ଷାରେ କପି ରୋକିବା ଏଆଇ କ୍ୟାମେରା। ପ୍ରଶ୍ନ ପତ୍ରରେ କୋଡ୍ ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋ ବ୍ୟବସ୍ଥା କରାଯାଇଥିଲା। କଣ୍ଟ୍ରୋଲ୍ ରୁମ୍ରେ ବୋର୍ଡ ଅଧିକାରୀମାନେ ବସି ପରୀକ୍ଷା କେନ୍ଦ୍ରରେ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଏଥସହିତ ଚାରି ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା। ଏଥି ସହିତ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରମଧ୍ୟକୁ ସ୍ମାର୍ଟ ଓ୍ବାଚ୍ ଆଣିବାକୁ ବାରଣ କରାଯାଇଥିଲା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ମାର୍ଚ୍ଚ ୬ରେ ସୁରୁଖୁରୁରେ ଶେଷ ହୋଇଛି। କେବଳ ବିଜ୍ଞାନ ପରୀକ୍ଷାରେ ବି ଏବଂ ସି ପ୍ରଶ୍ନପତ୍ର ସାମାନ୍ୟ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହା ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ବିଭ୍ରାଟ ନେଇ ସ୍ବୀକାର କରିଥିଲେ।
