ବାରିପଦା,୨୫/୭ : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଆଜି ରେଡ ୱାର୍ଣ୍ଣିଂରେ ରହିଛି । ଆଜି ସକାଳ ପ୍ରାୟ ୧୦ଟା ପାଖରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏଣୁ ସମ୍ଭାବ୍ୟ ବର୍ଷାକୁ ଲକ୍ଷରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଗାମୀ ୧୨ଘଣ୍ଟାରେ ମୟୂରଭଞ୍ଜରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ଶିମିଳିପାଳ ଅଭ୍ୟାରଣ୍ୟରେ ଭାରି ବର୍ଷା ହୁଏ ତେବେ ବୁଢାବଳଙ୍ଗ, ଜମ୍ଭୀରା, ସୋନ, ଗଂଗାହାର, ପଳପଳା, ଦେଓ, ଖଡ଼ଖାଇ ଆଦି ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି ।
ବିଶେଷ କରି ମୟୂରଭଞ୍ଜ ଜିଲ୍ଲାର ସାରସକଣା, ଶ୍ୟାମାଖୁଣ୍ଟା, ବଡ଼ସାହି,ବେତନଟୀ, ଉଦଳା, ଗୋପବନ୍ଧୁ ନଗର, ମୋରଡା, ରାସଗୋବିନ୍ଦପୁର ଆଦି ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିବ। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଚ୍ଚା ହଷ୍ଟେଲ ରୁମ ଏବଂ ଅଜବେଷ୍ଟସ ହଷ୍ଟେଲ ରୁମରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ନିକଟସ୍ଥ ପକ୍କା ହଷ୍ଟେଲକୁ ସ୍ଥାନାନ୍ତର ପାଇଁ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲରୁମ ଖୋଲାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଖୋଲାଯାଇଛି । ଜିଲ୍ଲାର ବନ୍ୟା ପ୍ରପୀଡ଼ିତ ପଞ୍ଚାୟତ ତଥା ବ୍ଲକ ଗୁଡିକରେ ସମସ୍ତ ପୂର୍ବ ପ୍ରସ୍ତୁତି ସରିଛି। ଯଦି ଆଗକୁ ବର୍ଷା ଲଗାତର ଭାବରେ ବଢ଼େ ତେବେ ନଦୀକୁଳ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ଏବଂ ସହାୟତା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ୍ ସହାୟତା ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି।