ମସ୍କଟ,୨/୧୨: ପୁରୁଷ ଜୁନିୟର ଏସିଆ କପ୍‌ ହକିରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ  ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୩  ତାରିଖରେ ଖେଳାଯିବାକୁ ଥିବା ସେମି ଫାଇନାଲରେ  ମାଲେସିଆକୁ ଭେଟିବ । ସେମିତି ଦ୍ୱିତୀୟ ସେମି  ପାକିସ୍ତାନ ଓ ଜାପାନ ମଧ୍ୟରେ ଖେଳାଯିବ । 

ପୁଲ ଏ’ରେ ରବିବାର ଅନ୍ତିମ ମ୍ୟାଚ୍‌ରେ ଭାରତ ୮-୧  ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରିଥିଲା ।  ୪ଟି ମ୍ୟାଚ୍‌ରେ ଅପରାଜେୟ ରହି ମୋଟ୍‌ ୧୨ ପଏଣ୍ଟ  ସହ ଦଳ ପୁଲ ଟପ୍ପର ହୋଇଥିଲା । ସେମିତି ଜାପାନ ୯  ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲକୁ ଉନ୍ନୀତ ହୋଇଛି । ସେମିତି ପୁଲ୍‌ ବି’ରେ ପାକିସ୍ତାନ  ୧୨ ପଏଣ୍ଟ ସହ ଟପ୍ପର ଏବଂ ମାଲେସିଆ ୭ ପଏଣ୍ଟ  ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଏହି ୪ଟି  ଯାକ ଦଳ ୨୦୨୫ ଜୁନିୟର ବିଶ୍ୱକପ୍‌କୁ ଯୋଗ୍ୟତା  ହାସଲ କରିଛନ୍ତି । 

ଭାରତ- ଦକ୍ଷିଣ କୋରିଆ ମ୍ୟାଚ୍‌ ଏକତରଫା  ଥିଲା । ଅର୍ଶଦୀପ ସିଂ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ଦଳକୁ  ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ସେ ୯, ୪୪, ୬୦ ମିନିଟରେ ଗୋଲ୍‌ ସ୍କୋର  କରିଥିଲେ । ସେହିପରି ଅରଇଜିତ ହୁଣ୍ଡାଲ ୩ ଓ  ୩୭ ମିନିଟରେ, ଗୁରଜୋତ ସିଂ ୧୧ ମିନିଟରେ,  ରୋଶନ କୁଜୁର ୨୭ ମିନିଟରେ ଏବଂ ୩୦  ମିନିଟରେ ରୋହିତ ଗୋଲ୍‌ ସ୍କୋର କରିଥିଲେ ।  

ଦକ୍ଷିଣ କୋରିଆ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ଗୋଲ୍‌  ପରିଶୋଧ କରିଥିଲା । ୧୮ ମିନିଟରେ କିମ୍‌ ତାଏ  ହାଏନ ଏହି ଗୋଲ୍‌ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଦଳ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇ  ନଥିଲା । ଭାରତ ଶେଷରେ ୮-୧ ଗୋଲରେ ଅଗ୍ରଣୀ  ସହ ମ୍ୟାଚ୍‌ ଜିତି ନେଇଥିଲା । 

ପୂର୍ବରୁ ଭାରତ ୧୬-୦ରେ ଚାଇନିଜ  ତାଇପେଇକୁ, ୩-୨ରେ ଜାପାନକୁ ଏବଂ ୧୧-୦ରେ  ଥାଇଲାଣ୍ଡକୁ ପରାଜିତ କରିଥିଲା । ଅର୍ଶଦୀପ ଏ ପର୍ଯ୍ୟନ୍ତ  ଟୁର୍ଣ୍ଣାମେଣ୍ଟରେ ୭ଟି ଗୋଲ୍‌ ସ୍କୋର କରିବାରେ ସଫଳ  ହୋଇଛନ୍ତି । ସେମିତି ଅରଇଜିତ ୬ଟି ଗୋଲ୍‌ ଦେଇଛନ୍ତି ।