​​​​​​​ଛତ୍ରପୁର, ୩୧।୫ : ଛତ୍ରପୁରରେ ଠାକୁରାଣୀଙ୍କ ଯାତ୍ରା ଗହଳିର ସୁଯୋଗ ନେଇ ଲୁଟ କରି ଧରାପଡିଥିଲେ ୪ ଲୁଟେରା। ଲୁଟେରାଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଗିରଫ ୪ ଜଣ ହେଲେ ଅମ୍ବୋନା ଚୌଧୁରୀ, ଦେବ ଦାସ ଚୌଧୁରୀ, ପାରୋ ଚୌଧୁରୀ ଓ ଅକ୍ଲେନ ଚୌଧୁରୀ ।

ଗତ କିଛି ସପ୍ତାହ ହେବ ଛତ୍ରପୁରରେ ଠାକୁରାଣୀଙ୍କ ଯାତ୍ରା ପାଇଁ ଲୋକଙ୍କ ଗହଳି ଲାଗିରହିଥିଲା। ସେହି ଗହଳିର ସୁଯୋଗ ନେଇ କିଛି ମହିଳା ଓ ପୁରୁଷ ଲୋକ ମିଶି ଯାତ୍ରା ଦେଖିବା ପାଇଁ ଆସୁଥିବା ମହିଳାଙ୍କୁ ଟାର୍ଗେଟ କରି ତାଙ୍କ ଭ୍ୟାନୀଟି ବ୍ୟାଗରୁ ଟଙ୍କା ଓ ସୁନା ଚୋରି କରୁଥିଲେ। ଗତ ୨୭ ତାରିଖ ସନ୍ଧ୍ୟା ଓ ଗତ କାଲି ସନ୍ଧ୍ୟାରେ ମଧ୍ୟ ଦୁଇ ଜଣ ମହିଳାଙ୍କ  ପର୍ସରୁ କିଛି ଟଙ୍କା ଚୋରି କରିଥିଲେ।  ଏହି ସଂକ୍ରାନ୍ତରେ ଛତ୍ରପୁର ଥାନାରେ  ମାମଲା ରୁଜୁ ହୋଇଥିଲା। ଛତ୍ରପୁର ପୋଲିସ cctv ଆଧାରରେ  ବିଭିନ୍ନ ସନ୍ଦିଗ୍ଧ ଜାଗାରେ ଚଢ଼ଉ କରିଥିଲା।  ତିନି ଜଣ ମହିଳା ଓ ଜଣେ ପୁରୁଷ ମୋଟ ୪ ଜଣକୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ୯  ହଜାର ୭ଶହ ଟଙ୍କା ଜବତ କରାଯାଇଛି ବୋଲି ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର  କଲକତା ହୋଇଥିବା ବେଳେ ସେମାନେ ଏବେ ରାଉଲକେଲା ରେ ରହୁଛନ୍ତି । ଟ୍ରେନ ଯୋଗେ ଛତ୍ରପୁର ଆସିଥିଲେ  ବୋଲି ପୁଲିସ କହିଛି।