ଚେନ୍ନାଇ,୦୬/୧୧: ଚଳିତ ପୁରୁଷ ଜୁନିୟର ହକି ବିଶ୍ୱକପ୍ରେ ଆୟୋଜକ ଭାରତ ବିଜୟ ଜାରି ରଖି ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲ୍ରେ ଦଳ ପେନାଲ୍ଟି ସୁଟ୍ ଆଉଟ୍ରେ ବେଲଜିୟମକୁ ୨-୨(୪-୩) ଗୋଲ୍‌ରେ ପରାସ୍ତ କରିଥିଲା । ଷ୍ଟାର୍ ଖେଳାଳି ସରଦାନନ୍ଦ ତିୱାରୀ ୩ଟି ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲ୍‌ରେ ପରିଣତ କରିଥିବାବେଳେ ଗୋଲ୍ କିପର ପ୍ରିନ୍ସଦୀପ ବେଲଜିୟମର ଶେଷ ୨ଟି ପ୍ରୟାସକୁ ଅଟକାଇବାରେ ସଫଳ ହୋଇଥିଲେ । ଅଙ୍କିତ ପାଲ୍ ଶେଷ ପ୍ରୟାସକୁ ଗୋଲ୍ରେ ପରିଣତ କରି ଭାରତକୁ ସେମିରେ ପହଞ୍ଚାଇଥିଲେ । ଆସନ୍ତା ୭ ତାରିଖରେ ଭାରତ ସେମି ମୁକାବିଲାରେ ଜର୍ମାନୀକୁ ଭେଟିବ ।

ଭାରତ-ବେଲଜିୟମ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଦଶମ ମିନିଟ୍‌ରେ ଭାରତକୁ ପ୍ରଥମ ପେନାଲ୍ଟି ସୁଯୋଗ ମିଳିଥିଲା ଏବଂ ଏହା ବିଫଳ ଯାଇଥିଲା । ଏହାର ୩ ମିନିଟ୍ ମଧ୍ୟରେ ବେଲଜିୟମ ଅଗ୍ରଣୀ ହାସଲ କରିଥିଲା । କୋରନେଜ ମାସାଣ୍ଟ ଗାସ୍ପର୍ଡ ଏହି ଗୋଲ୍ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ତୃତୀୟ କ୍ୱାର୍ଟରର ଅନ୍ତିମ ମିନିଟ୍ରେ ଅଧିନାୟକ ରୋହିତଙ୍କ ଗୋଲ୍ ବଳରେ ଭାରତ ୧-୧ରେ ସ୍ଥିତି ବରାବର କରିଥିଲା ।

ଚତୁର୍ଥ କ୍ୱାର୍ଟରରେ ଦଳ ଆକ୍ରମଣକୁ ଜୋରଦାର କରି ଅଗ୍ରଣୀ ହାସଲ କରିଥିଲା । ୪୮ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି ସୁଯୋଗକୁ ସରଦାନନ୍ଦ ଗୋଲ୍ରେ ରୂପାନ୍ତରିତ କରିଥିଲେ । ମାତ୍ର ମ୍ୟାଚ୍ ଶେଷ ହେବାର ଗୋଟିଏ ମିନିଟ୍ ପୂର୍ବରୁ ବେଲଜିୟମ ଆଉ ଏକ ଗୋଲ୍ କରି ୨-୨ରେ ସ୍ଥିତି ବରାବର କରିଥିଲା । ଏହାପରେ ସୁଟ୍ ଆଉଟ୍‌ରେ ସହାୟତା ନିଆଯାଇଥିଲା ଏବଂ ଭାରତ ୪-୩ ଗୋଲ୍ରେ ବାଜିମାତ୍ କରିଥିଲା ।