ଭୁବନେଶ୍ୱର,୨୦/୦୫: ଜୟଦେବ ବିହାରରୁ ନନ୍ଦନକାନନ  ଯାଏ ପ୍ରସ୍ତାବିତ ଏଲିଭେଟେଡ୍‌ ରୋଡ୍‌ କରିଡର ପ୍ରକଳ୍ପର ଟେଣ୍ଡର ବାତିଲ ହୋଇଛି । ଏଥିପାଇଁ ପ୍ରକଳ୍ପ କାମ ବିଳମ୍ବ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମେଟ୍ରୋ  ରେଳ ପ୍ରକଳ୍ପ ପାଇଁ ମୂଳ ଷ୍ଟ୍ରକ୍‌ଚରାଲ ଡିଜାଇନ୍‌ରେ କିଛି ପରିବର୍ତ୍ତନ ହେବ । ଏଥିପାଇଁ ପୁରୁଣା ଟେଣ୍ଡରକୁ ବାତିଲ କରାଯାଇଛି । ଖୁବ୍‌ଶୀଘ୍ର ନୂଆ ଟେଣ୍ଡର  ହେବ ବୋଲି ସୂଚନା ମିଳିଛି । 

ଜୟଦେବ ବିହାରରୁ ନନ୍ଦନକାନନ  ଯାଏ ଏଲିଭେଟେଡ୍‌ କରିଡର ହେବ ।  ମୁଖ୍ୟ ରାସ୍ତା ଉପରେ ଦୁଇଥାକିଆ ବ୍ରିଜ୍‌  ହେବ । ଫ୍ଲାଏଓଭର ଉପରେ ମେଟ୍ରୋ ରେଳପଥ ରହିବ । ଫ୍ଲାଏଓଭରରେ ଗାଡ଼ି  ଚଳାଚଳ କରିବ । ଏହା ଉପରେ ପୁଣି  ଏକ ବ୍ରିଜ୍‌ ରହିବ । ସେଥିରେ ମେଟ୍ରୋ ଦୌଡ଼ିବ । ରାସ୍ତା ପାଇଁ ଜାଗା ଅଭାବକୁ  ଦୂର କରିବା ଏବଂ ଭିଡ଼ ଏଡ଼ାଇବାକୁ  ଏଭଳି ଏଲିଭେଟେଡ୍‌ କରିଡର  ତିଆରି ପାଇଁ ଯୋଜନା ହୋଇଥିଲା ।  ନାଲ୍‌କୋ ଛକ, ଚନ୍ଦ୍ରଶେଖରପୁର,  ଡମଣା ଛକ, ପଟିଆ ଛକ, କିଟ୍‌ ଛକ  ଓ ରଘୁନାଥପୁର ଛକରୁ ଫ୍ଲାଏଓଭରକୁ  ଯିବାକୁ/ଓହ୍ଲାଇବାକୁ ସୁବିଧା ରହିବ ।  ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୧୮୦୦ କୋଟି  ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ  ହୋଇଥିଲା । ଏଥିପାଇଁ ଡିପିଆର ବା  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପରେ ଟେଣ୍ଡର ଡକାଯାଇଥିଲା । 

ଓଡ଼ିଶା ସେତୁ ଓ ନିର୍ମାଣ ନିଗମ  ଲିମିଟେଡ୍‌(ଓବିସିସି) ଏହି ଟେଣ୍ଡର ଆହ୍ୱାନ କରିଥିଲା । କିନ୍ତୁ ମେଟ୍ରୋ ରେଳପଥ ପାଇଁ ମୂଳ ଷ୍ଟ୍ରକ୍‌ଚରାଲ ଡିଜାଇନ୍‌ରେ କିଛି ପରିବର୍ତ୍ତନ ଆବଶ୍ୟକ ହୋଇଥିଲା । ଫଳରେ ଉକ୍ତ ଟେଣ୍ଡରରେ ସଂଶୋଧନ ପାଇଁ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା । ମୂଳ ଷ୍ଟ୍ରକ୍‌ଚରାଲ ଡିଜାଇନ୍‌ରେ  ପରିବର୍ତ୍ତନ କରି ମେଟ୍ରୋ ପାଇଁ ସ୍ୱତନ୍ତ୍ର କରିଡର  ରଖିବାକୁ ହେଲେ ଆହୁରି ଅତିରିକ୍ତ ହଜାରେ କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଆକଳନ  କରାଯାଇଥିଲା । ଉଚ୍ଚସ୍ତରୀୟ ବୈଠକରେ ଏହା  ଉପରେ ଆଲୋଚନା ହେବା ପରେ ଟେଣ୍ଡରକୁ  ବାତିଲ କରାଯାଇଛି । ପ୍ରାୟ ସପ୍ତାହେ ତଳୁ ଏହି  ଟେଣ୍ଡରକୁ ବାତିଲ କରାଯାଇଛି । ଏବେ ୨୭୦୦ କୋଟି  ଟଙ୍କାର ନୂଆ ଟେଣ୍ଡର ପାଇଁ ସରକାରଙ୍କୁ ପ୍ରଶାସନିକ  ଅନୁମୋଦନ ମଗାଯାଇଛି । ଅର୍ଥ ବିଭାଗ ପାଖରୁ  ଏହି ଅନୁମୋଦନ ମିଳିଲେ ଖୁବ୍‌ଶୀଘ୍ର ସାନି ଟେଣ୍ଡର  ଡକାଯିବ ବୋଲି ଓବିସିସି ପକ୍ଷରୁ ସୂଚନା ଦିଆଯାଇଛି ।