କୋକସରା, ୧୨।୦୨: ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ । ବିଧବା ମା’କୁ ସାହାରା ଦେବାକୁ ନିଜ ଅଞ୍ଚଳରେ କାମ ନ ମିଳିବାରୁ ସାଥି ଶ୍ରମିକଙ୍କ ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କୋକସରା ପଞ୍ଚାୟତ ଚିଲିଗୁଡ଼ା ଗାଁର ବାପ ଛେଉଣ୍ଡ ଯୁବକ ବସନ୍ତ ବାଗ । ହାଇଦ୍ରାବାଦର ଏକ ଠିକାଦାର ନିକଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଆସୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ିବାରେ ଲାଗିଲା, ସାଥିରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବସନ୍ତକୁ ମୃତ ଘୋଷଣା କରିଥିଲେ ।
ଆହୁରି ପଢ଼ନ୍ତୁ... ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ; ମୁନା ମହାନ୍ତିଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ
ଏହି ଦୁଃଖଦ ଖବର ଫୋନରେ ଶୁଣିବା ପରେ ଚିଲିଗୁଡ଼ା ଗ୍ରାମର ତାଙ୍କ ସମ୍ପର୍କୀୟ ଲୋକ ହାଇଦ୍ରାବାଦ ଯାଇଥିଲେ । ସେଠାରୁ ଆଜି ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ନେଇ ଭିଟାମାଟିକୁ ଫେରୁଥିବା ଖବର ମିଳିଛି । ସ୍ୱାମୀକୁ ହରାଇ ବିଧବା ମା’ ନିଜ ରୋଜଗାରିଆ ପୁଅର ମୁହଁ ଦେଖି ଜୀବନର ବାକିତକ ଜୀବନ କାଟୁଥିବା ବେଳେ ପୁଅର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଛନ୍ତି । ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇଦେବାକୁ ଚିଲିଗୁଡ଼ା ଗ୍ରାମବାସୀମାନେ ଦାବି କରିଛନ୍ତି ।