ଖଲ୍ଲିକୋଟ, ୨/୬ : ବାଇକ୍ ଧକ୍କାରେ ନାବାଳକ ଗୁରୁତର। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ନାବାଳକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ମାଣିକ୍ୟପୁର ଗ୍ରାମରେ ଯାତ୍ରା ଚାଲିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ଲାଗି ରହୁଛି। ରବିବାର ବିଳମ୍ବିତ ରାତିରେ ମାଣିକ୍ୟପୁର ଛକ ନିକଟ ରାସ୍ତା କଡ଼ରେ ଜଣେ ନାବାଳକ ଠିଆ ହୋଇଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ନାବାଳକ ଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ନାବାଳକ ଜଣଙ୍କ ବାଲୁକେଶ୍ୱରପୁର ଗ୍ରାମର ହୋଇଥିବା ବେଳେ ସେ ଯାତ୍ରା ଦେଖିବାକୁ ମାଣିକ୍ୟପୁର ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ବୋଲି ଜଣାପଡ଼ିଛି।