ଢେଙ୍କାନାଳ,୨୯/୦୫ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୧୭ ବର୍ଷୀୟା ନାବାଳିକାଙ୍କୁ ଝାନ୍ସିରେ ବାରମ୍ବାର ବିକ୍ରି ଓ ବଳାତ୍କାର ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କାମାକ୍ଷାନଗର ପୁଲିସ୍ ତଦନ୍ତକୁ ଜୋରଦାର କରିବା ସହ ଗୁରୁବାର ଏକ ସ୍ୱତନ୍ତ୍ର ଟିମ୍ ଉତ୍ତରପ୍ରଦେଶ ରାଜ୍ୟର ଝାନ୍ସି ଯାଇଛନ୍ତି । ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍କୁ ଝାନ୍ସି ପଠାଯାଇଛି । ପୀଡ଼ିତା ଚିହ୍ନଟ କରିଥିବା ଫଟୋ, ଅଭିଯୁକ୍ତଙ୍କ ଘର ଠିକଣା ଆଧାରରେ ପୁଲିସ୍ ଟିମ୍ ଛାନ୍ଭିନ୍ କରିବ । ଝାନ୍ସି ଏସ୍ପିଙ୍କ ସହ ଢେଙ୍କାନାଳ ଏସ୍ପି ଅଭିନବ ସୋନକର ମଧ୍ୟ ଘଟଣା ସମ୍ପର୍କରେ କଥା ହୋଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାରେ ଝାନ୍ସି ପୁଲିସ୍ ସହଯୋଗ କରିବାକୁ କୁହାଯାଇଥିବା ଏସ୍ପି କହିଛନ୍ତି । ସେହିଭଳି ନାବାଳିକାଙ୍କୁ ଝାନ୍ସିରେ ବିକ୍ରି କରିଥିବା କଙ୍କଡ଼ାହାଡ଼ ଡଙ୍ଗାପାଳର ଦଲାଲକୁ ଧରିବା ନିମନ୍ତେ ପୁଲିସ୍ ତଦନ୍ତ ଚଳାଇଛି ।
ଗତ ୨୩ ତାରିଖରେ ପୀଡ଼ିତା ପରିବାର ସହ କାମାକ୍ଷାନଗର ଥାନାରେ ପହଞ୍ଚି ଏତଲା ଦେଇଥିଲେ । କାମାକ୍ଷାନଗର ପୁଲିସ୍ ମାମଲା ରୁଜୁ କରିବା ସହ ମାନବଚାଲାଣ, ଯୌନ ନିର୍ଯାତନା, ବଳାତ୍କାର ଆଦି ପୋକ୍ସୋ ଆଇନର ଦଫା ଲଗାଇ ତଦନ୍ତ କରିଥିଲା । ପୀଡ଼ିତାଙ୍କୁ କିପରି ବିକ୍ରି କରାଗଲା, ଯୌନ ରାକ୍ଷସ ତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ ଏବଂ କିଭଳି ସେଠାରୁ ଖସି ଆସିଲେ ସବୁକିଛି ପୀଡ଼ିତା ପୁଲିସ୍କୁ ଜଣାଇଥିଲେ । ଅଭିଯୁକ୍ତମାନଙ୍କର ଫଟୋ ମଧ୍ୟ ନାବାଳିକା ପୁଲିସ୍କୁ ଦେଇଛନ୍ତି । ପ୍ରଥମେ କେଉଁଠି ରହୁଥିଲେ ପରେ କିଏ କେଉଁଠିକୁ ନେଇଥିଲା ସେ ସ୍ଥାନ ସମ୍ପର୍କରେ ପୁଲିସ୍ ସବିଶେଷ ତଥ୍ୟ ସଂଗ୍ରହ କରିଛି । ଗତକାଲି ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଝାନ୍ସି ଯାଇଛି । ଅଭିଯୁକ୍ତଙ୍କୁ ଧରିବାକୁ ସମସ୍ତ ଉଦ୍ୟମ କରାଯାଉଥିବା କାମାକ୍ଷାନଗର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ କହିଛନ୍ତି । ଏହି ଘଟଣା ସମ୍ପର୍କରେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ସହ ନାବାଳିକାଙ୍କୁ ନ୍ୟାୟ ଦାବି ହୋଇଛି । ଏହିଭଳି ଅନେକ ଝିଅଙ୍କୁ ଚାକିରି ଲୋଭ ଦେଖାଇ ବାହାରେ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି । ପୁଲିସ୍ ଏସବୁ ଦିଗକୁ ନେଇ ତଦନ୍ତ କରିବାକୁ ଦାବି ହୋଇଛି।
ଆହୁରି ପଢନ୍ତୁ- ଯୌନ ସୌଦାଗରଙ୍କ କଳା କାହାଣୀ, ନାବାଳିକାଙ୍କୁ ୨ ବର୍ଷ ଯାଏଁ ନର୍କ ଯନ୍ତ୍ରଣା, ପଣ୍ୟ ଦ୍ରବ୍ୟ ଭଳି ବାରମ୍ଵାର ବିକ୍ରି-ବଳାତ୍କାର
ସୂଚନାଯୋଗ୍ୟ, କାମାକ୍ଷାନଗର ଅଞ୍ଚଳର ନାବାଳିକା ତାଙ୍କ ମାମୁ ଘରେ ରହୁଛନ୍ତି । ମା’ କଙ୍କଡ଼ାହାଡ଼ ଅଞ୍ଚଳରେ ଅନ୍ୟତ୍ର ବିବାହ କରିଛନ୍ତି । ଦୁଇବର୍ଷ ପୂର୍ବେ ମା’ଙ୍କ ଅସ୍ତ୍ରୋପଚାର ସମୟରେ ନାବାଳିକା ତାଙ୍କ ପାଖକୁ ଯାଇଥିଲେ । ସେଠାରେ ବିନୋଦ ପାତ୍ର ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ମା’ଙ୍କ ଚିକିତ୍ସା ପାଇଁ ରୋଜଗାର କରିବାର ଆଶା ଦେଖାଇ ଭୁବନେଶ୍ୱରରେ ଚାକିରି କରାଇଦେବାକୁ କହି ନେଇଯାଇଥିଲେ । ସେଠାରେ ସେ ତାଙ୍କୁ ଝାନ୍ସିର ଆଶିଷ ଯାଦବଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଆଶିଷ ପୀଡ଼ିତାଙ୍କୁ ଝାନ୍ସିକୁ ନେଇଯାଇଥିଲା । ସେଠାରେ ବାପ-ପୁଅ ମିଶି ତାଙ୍କୁ ୩ ମାସ ବଳାତ୍କାର କରିଥିଲେ । ପରେ ସେ ୫୦ ହଜାର ଟଙ୍କାରେ ଅନ୍ୟ ଜଣକୁ ବିକ୍ରି କରିଥିଲେ । ସେଠାରୁ ୩ ମାସ ପରେ ପୁଣି ଆଉ ଜଣଙ୍କୁ ବିକ୍ରି କରାଯାଇଥିଲା । ବାରମ୍ବାର ବିକ୍ରି ହୋଇ ପୀଡ଼ିତା ବଳାତ୍କାରର ଶିକାର ହୋଇ ଆସୁଥିଲେ । ଗତ ୨୦ ତାରିଖ ରାତିରେ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ । ଝାନ୍ସି ଥାନାରେ ପହଞ୍ଚି ଅଭିଯୋଗ କରିଥିବା ବେଳେ ପୁଲିସ୍ ଅଭିଯୋଗ ରଖିନଥିଲା । ନିଜ ଥାନାରେ ଜଣାଇବାକୁ କହି ନାବାଳିକାଙ୍କୁ ଟ୍ରେନ୍ରେ ବସାଇଦେଇଥିଲା । ସେ ଗତ ୨୩ ତାରିଖରେ କାମାକ୍ଷାନଗର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ।
ଝାନ୍ସି ପୁଲିସ ଭୂମିକାକୁ ନେଇ ପ୍ରଶ୍ନବାଚୀ
ଏହି ଘଟଣାରେ ଝାନ୍ସି ପୁଲିସ୍ର ଭୂମିକାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନାବାଳିକା ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଥିଲେ ବି ତାଙ୍କ ପ୍ରତି ବିପଦ ରହିଥିଲା । ତାଙ୍କୁ ଖୋଜୁଥିବା ଅଭିଯୁକ୍ତମାନେ ପୁଣି ଧରିନେବା ଆଶଙ୍କାରେ ସେ ଆତଙ୍କିତ ଥିଲେ । ଝାନ୍ସି ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ନାବାଳିକାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ପୁଲିସ୍ ତାଙ୍କୁ ଏକୁଟିଆ ଟ୍ରେନ୍ରେ ବସାଇ ଦେଇଯାଇଥିଲା । ହେଲେ ତାଙ୍କ ପାଇଁ ଟିକେଟ୍ କରାଇଦେଇନଥିଲା । ପୁଲିସ୍ ନାବାଳିକାଙ୍କୁ ଧରି ଓଡ଼ିଶା ଆସିବା ପରିବର୍ତ୍ତେ ଏଭଳି ପଠାଇଦେଇ ଦାୟିତ୍ୱ ସାରିଦେବା ଘଟଣାକୁ ନେଇ ସାମାଜିକକର୍ମୀ ଓ ମାନବଧିକାର କର୍ମୀ ପ୍ରଶ୍ନ ଉଠାଇଛନ୍ତି ।
ମୂକ ଭଳି ଚଳୁଥିଲେ
ନାବାଳିକା ସେଠାରେ ବହୁ ନିର୍ଯାତନା ସହିଛନ୍ତି । ଦିନ ସାରା ମଇଁଷି ଗୋଠରେ କାମ କରିବା ସହ ଘର କାମ କରିବାକୁ ପଡୁ଼ଥିଲା । ପ୍ରତିବାଦ କଲେ ମାଡ଼ ମରାଯାଉଥିଲା । ପ୍ରଥମେ ୧ ଲକ୍ଷ ଟଙ୍କାରେ କିଣିଥିବା ଅଭିଯୁକ୍ତ ଆଶିଷର ଘରେ ସେ ମୂକ ଭଳି ୩ ମାସ ରହିଥିଲେ । ପଡ଼ୋଶୀଙ୍କ ସହ ନ ମିଶିବାକୁ କଡ଼ା ତାଗିଦ୍ କରାଯାଇଥିଲା । କାଳେ କିଛି କେଉଁଠି କହିଦେବେ, ସେଥିପାଇଁ ତାଙ୍କୁ ମୂକ ଭଳି ସଜେଇ ଦିଆଯାଇଥିଲା । ଭୟଭୀତ ହୋଇ ସେ ୩ ମାସ କାଳ ମୂକ ଭଳି ଚଳୁଥିଲେ । ପରେ ତାଙ୍କୁ ଅନ୍ୟତ୍ର ବିକ୍ରି କରିଦିଆଯାଇଥିଲା ।
ପ୍ରସ୍ତୁତ କରିଥିଲେ ନକଲି ଆଧାରକାର୍ଡ
ବିବାହ କରିଛୁ ବୋଲି କହି ଦାଦା-ପୁତୁରା ବଳାତ୍କାର କରୁଥିଲେ । ତୃତୀୟ ଥର ପାଇଁ କିଣିଥିବା ଚଦ୍ରପାଳ ନାବାଳିକାଙ୍କୁ ବିବାହ କରିଛି ବୋଲି କହିଥିଲା । ବାହା ହୋଇଛୁ, ଆମ ଇଚ୍ଛା ଯାହା କରିବୁ ବୋଲି କହିଥିଲା । ଚନ୍ଦ୍ରପାଳ, ତା ବଡ଼ଭାଇ, ଦୁଇ ଦାଦା ନଜରବନ୍ଦୀରେ ରଖି ବର୍ଷାଧିକକାଳ ବଳାତ୍କାର କରିଥିଲେ । ଏମିତିକି କେହି ସନ୍ଦେହ ନ କରିବାକୁ ପୀଡ଼ିତାଙ୍କ ନାମ ବଦଳାଇ ‘ଲକ୍ଷ୍ମୀ’ ବୋଲି ନକଲି ଆଧାରକାର୍ଡ ପ୍ରସ୍ତୁତ କରିଥିଲେ ଯୌନ ରାକ୍ଷସ ।
ଚତୁରତାର ସହ ଅଭିଯୁକ୍ତଙ୍କ ଫଟୋ ରଖିଥିଲେ ପୀଡ଼ିତା
ନାବାଳିକା ଅନେକ ନିର୍ଯାତନା ସହି ବି ଭାଙ୍ଗି ପଡି଼ନଥିଲେ । ଖସିବାକୁ ଚେଷ୍ଟା କରୁଥିଲେ । ଏଣୁ ଅଭିଯୁକ୍ତଙ୍କ ଫଟୋ ସେ ସଂଗ୍ରହ କରି ଫୋନ୍ରେ ରଖିଥିଲେ । ବିଭିନ୍ନ ସମୟରେ ସେମାନେ ହ୍ୱାଟ୍ସଆପ୍ ବ୍ୟବହାର କରିବା ବେଳେ ସେମାନଙ୍କ ଫଟୋ କୌଶଳକ୍ରମେ ସଂଗ୍ରହ କରିନେଇଥିଲେ । ସେଠାରୁ ଖସି ଆସିବା ପରେ ସେ ବ୍ୟବହାର କରୁଥିବା ସିମ୍ କାଢ଼ି ଫିଙ୍ଗି ଦେଇଥିଲେ । କାମାକ୍ଷାନଗର ଥାନାରେ ପହଞ୍ଚି ସେ ରଖିଥିବା ସମସ୍ତ ଅଭିଯୁକ୍ତଙ୍କ ଫଟୋ ପୁଲିସ୍କୁ ଦେଇଛନ୍ତି ।