ନୂଆଦିଲ୍ଲୀ ୧୩/୧୧: ସାରା ବିଶ୍ୱ ମିସ୍ ୟୁନିଭର୍ସ ୨୦୨୫ ଫାଇନାଲ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ (MUO) ଏହି ଇଭେଣ୍ଟର ଶେଷ ପର୍ଯ୍ୟାୟକୁ ଉନ୍ନତ କରିବା ପାଇଁ କାମ କରୁଛି। ପ୍ରତିଯୋଗୀମାନେ ବି ଏହି ଟାଇଟଲ ହାତେଇବାକୁ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଏବଂ ବିଚାରକଙ୍କୁ ପ୍ରଭାବିତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ନଜର ପକାଇବା କାର୍ଯ୍ୟକ୍ରମର ସମସ୍ତ ବିବରଣୀ ଉପରେ।
ରିପୋର୍ଟ ଅନୁଯାୟୀ, ମିସ୍ ୟୁନିଭର୍ସ ୨୦୨୫ ଫାଇନାଲ୍ ନଭେମ୍ବର ୨୧ ରେ ନନ୍ଥାବୁରୀର ପାକ୍ କ୍ରେଟ୍ର ଇମ୍ପାକ୍ଟ ଚ୍ୟାଲେଞ୍ଜର ହଲ୍ରେ ଅନୁଷ୍ଠିତ ହେବ। ଯାହା ଥାଇଲ୍ୟାଣ୍ଡ ଦ୍ୱାରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ, ୧୦୦ ରୁ ଅଧିକ ଦେଶ ମୁକୁଟ ପାଇଁ ପ୍ରତିଯୋଗିତା କରିବେ, ଯାହା ବର୍ତ୍ତମାନ ଡେନମାର୍କର ଭିକ୍ଟୋରିଆ କେଜର ଥେଲଭିଗଙ୍କ ପାଖରେ ଅଛି।
ନିକଟରେ MUO ଘୋଷଣା କରିଥିଲା ଯେ ପ୍ରତିଯୋଗିତାର ୭୪ତମ ସଂସ୍କରଣରେ ଏକ ଜାତୀୟ ପୋଷାକ ପ୍ରତିଯୋଗିତା ମଧ୍ୟ ଅନ୍ତର୍ଭୁକ୍ତ ହେବ, ଯାହା ନଭେମ୍ବର ୧୯ ଦିନ ମଧ୍ୟାହ୍ନରେ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ମଞ୍ଚ ଉପରେ ଗର୍ବର ସହିତ ସେମାନଙ୍କ ଦେଶର ସୃଜନଶୀଳ ପୋଷାକ ପ୍ରଦର୍ଶନ କରିବା ପରେ, ସେମାନଙ୍କୁ ସେହି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାରମ୍ଭିକ ପ୍ରତିଯୋଗିତାକୁ ନିଆଯିବ।
ତେବେ ଏଥର ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ରାଜସ୍ଥାନର ୨୨ ବର୍ଷୀୟା ଝିଅ ମନିକା ବିଶ୍ୱକର୍ମା। ଅଗଷ୍ଟ ୨୦୨୫ ରେ, ସେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ଏବେ ସେ କୋଟି କୋଟି ଭାରତୀୟଙ୍କ ଆଶାକୁ ବହନ କରି ଅନ୍ତର୍ଜାତୀୟ ସ୍ତରରେ ଆଗକୁ ବଢ଼ୁଛନ୍ତି।